ଅର୍ଥନୀତିଓଡ଼ିଶା

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ

ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଚାଷୀଙ୍କ ବିକାଶ ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ବଜେଟରେ ଦର୍ଶାଇଥିଲା ବେଳେ ମହିଳାଙ୍କ ବିକାଶରେ ମିଶନ ଶକ୍ତିର ପ୍ରମୁଖ ଭୂମିକାକୁ ଅଗ୍ରାଧିକାର ଦେଇ ଆଶାନୁରୂପ ବ୍ୟୟବରାଦ ହୋଇଛି। ସାଧାରଣ ବଜେଟରେ ଲୋକଙ୍କୁ ଆଶ୍ୱସ୍ତ କରିବାକୁ ଭରପୁର ପ୍ରୟାସ କରିଛନ୍ତି ସରକାର।

କାଳିଆ ଓ ବଳରାମ ଯୋଜନାରେ ଚାଷୀଙ୍କୁ ଅଧିକ ସଶକ୍ତ ଓ ସେମାନଙ୍କ ଆର୍ଥିକ ବିକାଶ ଦିଗରେ ସରକାର ପ୍ରତିଶୃତିବଦ୍ଧ। ସେଥିଲାଗି ଚାଷୀଙ୍କ ପାଇଁ ସୁଧ ରିହାତି ଯୋଜନାରେ ୮୯୩ କୋଟି ଟଙ୍କା ବ୍ୟୟବରାଦ ହୋଇଛି ବଜେଟରେ। ବଳରାମ ଯୋଜନାରେ ୫ ଲକ୍ଷ ଭୂମିହୀନ ଚାଷୀଙ୍କୁ ଜଏଣ୍ଟ ଲାଏବିଲିଟି ଗ୍ରୁପ ଜରିଆରେ ଅନ୍ତର୍ଭୁକ୍ତ କରି ସହଜରେ ଋଣ ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। କାଳିଆ ଯୋଜନା ଚାଲୁ ରହିବ। ସେଥିଲାଗି ୧୮୭୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏ ଯାବତ୍ କାଳିଆରେ ୩୮ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୮ ଲକ୍ଷ ଭୂମିହୀନ ଚାଷୀ ପରିବାର ସହାୟତା ପାଇଛନ୍ତି। ଅଚଳ ଉଠା ଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧୯୫ କୋଟି ଟଙ୍କା ବ୍ୟୟରେ ହଜାରେ ଉଠା ଜଳସେଚନ ପଏଣ୍ଟର ପୁନରୁଦ୍ଧାର ହେବ।

ଅତିରିକ୍ତ ୨ ଲକ୍ଷ ୬୩ହଜାର ହେକ୍ଟର ଜମିକୁ ଜଳସେଚନ ପାଇଁ ଆସନ୍ତା ୫ ବର୍ଷ ଭିତରେ ବୃହତ ଉଠା ଜଳସେଚନ ପ୍ରକଳ୍ପ ଲାଗି ୧୦ହଜାର୭୫୯ କୋଟି ଟଙ୍କା ବ୍ୟୟବରାଦ ଲକ୍ଷ୍ୟ ରଖାଯାଇଛି।  ମିଲେଟ୍ ମିଶନ ପାଇଁ ୩୬୨ କୋଟି, ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ୧୬୫୮ କୋଟି, ୧୨ହଜାର ୫ଶହ ଗଭୀର ନଳକୂଅ ଖନନ ପାଇଁ ୪ଶହ କୋଟି ଟଙ୍କା, ବିଜୁ କୃଷକ ବିକାଶ ଯୋଜନାରେ ୧୫ଶହ ଗୋଷ୍ଠୀ ଉଠା ଜଳସେଚନ ପାଇଁ ୪୨୨ କୋଟି ବ୍ୟୟବରାଦ ହୋଇଛି।

୨୦୨୨-୨୩ ଆର୍ଥିକ ବର୍ଷରେ କୋରାପୁଟର ଝଞ୍ଜାବତୀ ପ୍ରକଳ୍ପ କାମ ଆରମ୍ଭ ହେବ। ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପ ଜଳସେଚନ ଓ ଦେଓ ପ୍ରକଳ୍ପ ଖୁବ ଶୀଘ୍ର ଜନସାଧାରଣଙ୍କୁ ଉତ୍ସର୍ଗ କରାଯିବ। ସର୍ବୋପରି ଚାଷୀଙ୍କ ସମସ୍ତ ଆବଶ୍ୟକତା ପୂରଣ ସହ ସମସ୍ତ ସେବାକୁ ଫାଇଭ-ଟି ଓ ମୋ ସରକାରରେ ଅନ୍ତର୍ଭୁକ୍ତ କରାଯାଇଛି। ବନ୍ୟା ନିୟନ୍ତ୍ରଣ, ଜଳବାୟୁର ପରିବର୍ତ୍ତନକୁ ତାଳ ଦେଇ କିଭଳି ଚାଷ କାର୍ଯ୍ୟ ଚାଲୁ ରହିବ, ସେ ନେଇ ବ୍ୟୟବରାଦ ହୋଇଛି।

ନିମ୍ନମୁଖୀ ଅର୍ଥନୈତିକ ଚାପ ସତ୍ତ୍ୱେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧି ହାର ୮ରୁ ୮.୫ ପ୍ରତିଶତ ଭିତରେ ରହିବ ବୋଲି ଆକଳନ କରାଯାଇଛି। କୃଷି ବଜେଟ୍ ରେ ମୋଟ୍ ୨୧ହଜାର ୧୬୬ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

ରଘୁନାଥ ସାହୁଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍…

Leave a Reply

Your email address will not be published.

Back to top button