ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାର ବାହାନଗା ଠାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାକୁ ଆଜି ପୁରିଛି ୧୧ ଦିନ । ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପାଇଁ ଗତକାଲି ଠାରୁ ବାହାନଗାରେ ତିନି ଦିନିଆ ସର୍ବଧର୍ମ ପ୍ରାର୍ଥନା ସଭା, ସମୂହ ଶ୍ରଦ୍ଧାଞ୍ଜଳି, ଶୁଦ୍ଧି କ୍ରିୟା ସହିତ ମୁଣ୍ଡନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବାହାନଗା ହାଇସ୍କୁଲ ପାଖ ପଡିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଦୁର୍ଘଟଣାରେ ଜୀବନ ହାରିଥିବା ଯାତ୍ରୀଙ୍କ ଆତ୍ମାର ସଦଗତି ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ଏହି ସମୂହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଆଜି ଏକାଦଶାହ ତଥା ସର୍ବଧର୍ମ ପ୍ରାର୍ଥନା ସଭାର ଦ୍ୱିତୀୟ ଦିନରେ ଚାଲିଛି ବିଶ୍ଵଶାନ୍ତି ମହାଯଜ୍ଞ ସହ ଅଷ୍ଟପ୍ରହରୀ ନାମ ସଂକୀର୍ତନ ଓ ଅଖଣ୍ଡ ଗାୟତ୍ରୀ ମନ୍ତ୍ର ଜପ । ସୋର ଅଞ୍ଚଳବାସୀ ଓ ବାଲେଶ୍ଵର ସାମାଜିକ ସଂଗଠନର କର୍ମକର୍ତା ମିଳିତ ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଗତକାଲି ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ସମୂହ ଦଶାହ ପାଳନ କରାଯାଇଥିଲା ।
ପ୍ରକାଶ ଥାଉକି, ଗତ ୨ ତାରିଖ ସଂନ୍ଧ୍ୟାରେ ବାଲେଶ୍ଵର ଜିଲ୍ଲାର ବାହାନଗା ଠାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଅଦ୍ୟାବଧି ସରକାରୀ ଭାବେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣା ପରେ ହଜାରେରୁ ଉର୍ଦ୍ଧ୍ଵ ଆହତ ହୋଇଥିଲେ । ଦୁର୍ଘଟଣାରେ ମୋଟ୍ ତିନୋଟି ଟ୍ରେନ୍ ସାମିଲ୍ ଥିଲା । ତନ୍ମଧ୍ୟରେ ରହିଥିଲା ଦୁଇଟି ଏକ୍ସପ୍ରେସ ଟ୍ରେନ୍ ଓ ଏକ ମାଲବାହୀ ଟ୍ରେନ୍ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now