ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାର ତଦନ୍ତ ସୁପ୍ରିମ କୋର୍ଟର ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ବିଶେଷଜ୍ଞ ଦଳ (ଏସ୍ଆଇଟି) କରିବା ଦାବିରେ ୧୨ଟି ରାଜନୈତିକ ଦଳ ତରଫରୁ ପୂର୍ବତଟ ରେଳବାଇ ମୁଖ୍ୟ ଦପ୍ତର ସମ୍ମୁଖରେ ଗଣଧାରଣା

Spread the love

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଗତ ଜୁନ୍ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ସରକାରୀ ତଥ୍ୟ ଅନୁଯାୟୀ ୨୮୮ଜଣ ରେଳଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ୧୧୯୯ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ମାତ୍ର ବାସ୍ତବ କ୍ଷେତ୍ରରେ ପ୍ରତ୍ୟକ୍ଷ ତଥ୍ୟାନୁସନ୍ଧାନରୁ ଜଣାପଡ଼ିଛି ଯେ, ଏହି ମୃତ୍ୟୁସଂଖ୍ୟା ଓ ଆହତଙ୍କ ସଂଖ୍ୟା ବହୁ ଅଧିକ । ବର୍ତମାନ ବିହାର ଓ ପଶ୍ଚିମବଙ୍ଗର ୧୧୯ଜଣ ରେଳ ଯାତ୍ରୀ ନିଖୋଜ ଅଛନ୍ତି ବୋଲି ଅଭିଯୋଗ ପ୍ରସଙ୍ଗ ପରିସ୍ଥିତିକୁ ଆହୁରି ଗମ୍ଭୀର କରିଛି । ଏଠାରେ ପ୍ରକୃତ ତଥ୍ୟ ଏବଂ ସତ୍ୟକୁ ଚାପି ଦେବା ପାଇଁ ଉଦ୍ୟମ କରିବା ଅତ୍ୟନ୍ତ ଉଦ୍ବେଗର ବିଷୟ । ଏହି ଦୁର୍ଘଟଣା ପୁଣି ପ୍ରମାଣ କରିଛି ଯେ, ଆମ ରେଳଯାତ୍ରୀ କେତେ ଅସୁରକ୍ଷିତ ଓ ଅସହାୟ ଏବଂ ଆମ ରେଳ ବ୍ୟବସ୍ଥା କେତେ ବିପନ୍ନ ଓ ଦୁର୍ବଳ ଅବସ୍ଥାରେ ରହିଛି ।

କେନ୍ଦ୍ର ବିଜେପି ସରକାରର ହାତବାରିସି ହୋଇ କାମ କରିବା ଯୋଗୁ ଲୋକଙ୍କ ବିଶ୍ୱାସ ହରାଇଥିବା ସିବିଆଇ ଦ୍ୱାରା ଏହିଭଳି ଏକ ଭୟଙ୍କର ରେଳ ଦୁର୍ଘଟଣାରର ତଦନ୍ତ ଘୋଷଣାକୁ ୧୨ଟି ରାଜନୈତିକ ଦଳ ତରଫରୁ ଗଭୀର ଉଦ୍ବେଗତାର ସହିତ ପ୍ରତ୍ୟାଖ୍ୟାନ କରାଯାଇଛି । କୌଣସି ପରିସ୍ଥିତିରେ ସିବିଆଇର ତଦନ୍ତ ନିରପେକ୍ଷ ହେବ ନାହିଁ ଏବଂ ଲୋକେ ନ୍ୟାୟ ପାଇବେ ନାହିଁ । ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ, ପୀଡ଼ିତ ଓ ଆକ୍ରାନ୍ତ ପରିବାର ମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ସୁପ୍ରିମକୋର୍ଟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ବିଶେଷଜ୍ଞ ଦଳ ଦ୍ୱାରା (ଏସ୍ଆଇଟି) ଦ୍ୱାରା ତଦନ୍ତ କରିବା ପାଇଁ ଦାବି କରାଯାଇଛି । ଏହା ସହିତ ପ୍ରତ୍ୟେକ ମୃତକ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ସହିତ ସମସ୍ତ ଆହତମାନଙ୍କୁ ଉନ୍ନତମାନର ଅତ୍ୟାଧୁନିକ ମାଗଣା ଚିକିତ୍ସା ଦେଇ କାର୍ଯ୍ୟକ୍ଷମ ହେଲା ପର୍ଯ୍ୟନ୍ତ ବଞ୍ଚବା ପାଇଁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ଦାବି କରାଯାଇଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାର ଏବଂ ଆହତ ହୋଇ ସମ୍ପୂର୍ଣ୍ଣ ଭିନ୍ନକ୍ଷମ / ଅକ୍ଷମ ହୋଇଯାଇଥିବା ପ୍ରତ୍ୟେକ ପରିବାରର ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ପଦବୀରୁ ଇସ୍ତଫା ଦେଲେ ହିଁ ରେଳ ଦୁର୍ଘଟଣାର ନିରପେକ୍ଷ ତଦନ୍ତ ହୋଇପାରିବ ୧୨ଟି ଦଳ ପକ୍ଷରୁ କୁହାଯାଇଛି । ଏଥିପାଇଁ ରେଳମନ୍ତ୍ରୀ ତୁରନ୍ତ ଇସ୍ତଫା ପ୍ରଦାନ କରିବା ପାଇଁ ଦାବି କରାଯାଇଛି । ସମସ୍ତ ମୃତକ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସରଳୀକରଣ କରିବା ସହିତ ମୃତକମାନଙ୍କର ନାମତାଲିକା ସର୍ବସାଧାରଣରେ ଏବଂ ସବୁଭାଷାର ପ୍ରମୁଖ ଖବରକାଗଜ ଗୁଡ଼ିକରେ ପ୍ରକାଶ କରିବା ପାଇଁ ଦାବି କରାଯାଇଛି ।

ରେଳବାଇର ବେପରୁଆ ଟ୍ରାଫିକ ପରିଚାଳନା, ରେଳଧାରଣାଗୁଡ଼ିକ କ୍ରମାଗତ ଭାବେ ରକ୍ଷଣାବେକ୍ଷଣ ଓ ମରାମତି ନହେବା, ଦୁର୍ଘଟଣାକୁ ରୋକିବା ପାଇଁ ଆଧୁନିକ ଜ୍ଞାନକୌଶଳ ‘କବଚ’ର ପ୍ରଚାର କରି ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବାର ବ୍ୟର୍ଥତା ଯୋଗୁ ହିଁ ଏହି ଦୁର୍ଘଟଣା ଘଟିଛି । ରେଳ ଚଳାଚଳର ଭିତିଭୂମି ସମ୍ପର୍କୀୟ ନାନାଦି ଦୁର୍ବଳତା ଉପରେ ସିଏଜି ରିପୋର୍ଟରେ ଦିଆଯାଇଥିବା ଚେତାବନୀକୁ ମଧ୍ୟ ଅଣଦେଖା କରାଯାଇଛି । ରେଳ ଚଳାଉଥିବା ଲୋକରନିଙ୍ଗ ଷ୍ଟାଫ ଏବଂ ସହଯୋଗୀ ଷ୍ଟାଫମାନଙ୍କ ଉପରେ ଆବଶ୍ୟକତା ଠାରୁ ବହୁ ଅଧିକ ସମୟ ଏକ ଅସ୍ୱାଭାବିକ ପରିବେଶ ମଧ୍ୟରେ କାର୍ଯ୍ୟ କରିବାକୁ ପଡିଛି । ପ୍ରକାଶଥାଉକି, ରେଳ ବିଭାଗରେ ୩ ଲକ୍ଷ ୧୨ ହଜାର ପଦବୀ ଖାଲି ପଡ଼ିଛି ଏବଂ ସେଥିରୁ ୧ ଲକ୍ଷ ୪୨ ହଜାର ପଦବୀ କେବଳ ସୁରକ୍ଷା ଓ ଯାତ୍ରୀ ନିରାପତ୍ତା ବିଭାଗ ପାଇଁ ଉଦ୍ଦିଷ୍ଟ । ଏଥିରେ ବହୁ ଡ୍ରାଇଭର, ଇଞ୍ଜିନିୟର, ଗାର୍ଡ ଓ ଅନ୍ୟାନ୍ୟ ପଦବୀ ଖାଲି ପଡ଼ିଛି । ଭାରତ ସରକାର ଏବଂ ରେଳ ମନ୍ତ୍ରଣାଳୟ ସମଗ୍ର ରେଳ ବ୍ୟବସ୍ଥାରେ ମୌଳିକ ଭିତିଭୂମିର ବିକାଶ ପାଇଁ ଅର୍ଥ ବିନିଯୋଗ ନକରି ପ୍ରଚାରଧର୍ମୀ ବ୍ୟୟବହୁଳ ନୂତନ ଚଳାଚଳ ଘୋଷଣା ସମସ୍ୟାକୁ ସମାଧାନ କରିବା ପରିବର୍ତେ ଆହୁରି ଘନିଭୂତ କରିବ । ରେଳ ଦୁର୍ଘଟଣା ସମ୍ପର୍କୀୟ ଉପରୋକ୍ତ ସାମଗ୍ରୀକ ସମସ୍ୟା ସହିତ ରେଳ ଯାତ୍ରୀମାନଙ୍କର ନିରାପତ୍ତା ଏବଂ ରେଳ ଭିତି ଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଅବିଳମ୍ବେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରାଯାଇଛି ।

୨୦୧୪ ମସିହାରେ କେନ୍ଦ୍ରରେ ଏନ୍ଡିଏ ସରକାର କ୍ଷମତାକୁ ଆସିଲା ପରେ ରେଳବାଇର ଘରୋଇକରଣ ପାଇଁ ବିବେକ ଦେବରାୟ କମିଟିର ସୁପାରିଶ ରେଳ ଭିତିଭୂମିକୁ ବିପର୍ଯ୍ୟୟରେ ପରିଣତ କରିଛି । ରେଳବାଇର ଘରୋଇକରଣ ରୋକିବା ପାଇଁ ତୁରନ୍ତ ଦେବରାୟ କମିଟି ସୁପାରିଶକୁ ପ୍ରତ୍ୟାହାର କରିବା ପାଇଁ ୧୨ ଦଳ ଦାବି କରିଛନ୍ତି । ସୋମବାର ଦିନ ଭୁବନେଶ୍ୱର ପୂର୍ବତଟ ରେଳବାଇ ମୁଖ୍ୟ ଦପ୍ତର ସମ୍ମୁଖରେ ଏକ ବିଶାଳ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ଏକ ୧୫ଜଣିଆ ପ୍ରତିନିଧି ଦଳ ଇଷ୍ଟକୋଷ୍ଟ ରେଳବାଇର ଉପମୁଖ୍ୟ ପ୍ରବନ୍ଧକଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିବା ସହିତ ପୂର୍ବତଟ ରେଳବାଇର ମହାପ୍ରବନ୍ଧକଙ୍କୁ ମଧ୍ୟ ଏକ ସ୍ୱତନ୍ତ୍ର ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିବାଦ ଆନ୍ଦୋଳନରେ ଭାରତୀୟ ଜାତୀୟ କଂଗ୍ରେସ, ସି.ପି.ଆଇ, ସି.ପି.ଆଇ(ଏମ୍), ସି.ପି.ଆଇ(ଏମ୍-ଏଲ୍) ଲିବରେସନ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ, ଆମ ଆଦ୍ମୀ ପାର୍ଟି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ସମତାକ୍ରାନ୍ତି ଦଳ, ଆର.ପି.ଆଇ, ସି.ପି.ଆଇ ଏମ୍-ଏଲ (ରେଡଷ୍ଟାର) ପ୍ରମୁଖ ୧୨ଟି ରାଜନୈତିକ ଦଳର ନେତୃବୃନ୍ଦ ସାମିଲ ହୋଇଥିଲେ ।

ସୁରେଶ ପାଣିଗ୍ରାହୀଙ୍କ ସଂଯୋଜନାରେ ପୂର୍ବତଟ ରେଳବାଇ ମୁଖ୍ୟ ଦପ୍ତର ସମ୍ମୁଖରେ ଅନୁଷ୍ଠିତ ଏହି ଆନ୍ଦୋଳନରେ ନିରଞ୍ଜନ ପଟ୍ଟନାୟକ, ଜନାର୍ଦ୍ଦନ ପତି, ଅଭୟ ସାହୁ, ଯୁଧିଷ୍ଠିର ମହାପାତ୍ର, ଜ୍ୟୋତି ରଞ୍ଜନ ମହାପାତ୍ର, ରବି ବେହେରା, ହରିଶ ମହାପାତ୍ର, ବିକ୍ରମ ସ୍ୱାଇଁ, ପ୍ରମିଳ ଏବଂ ପ୍ରଭାସ ସାମନ୍ତରାୟ ପ୍ରମୁଖଙ୍କ ନେତୃତ୍ୱରେ ହୋଇଥିବା ଏହି ଗଣଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଶିବାନନ୍ଦ ରାୟ, ବିଧାୟକ ସୁରେଶ ରାଉତରାୟ, ମହମ୍ମଦ ମୋକିମ, ଗଣେଶ୍ୱର ବେହେରା, ବିଶ୍ୱଜିତ ଦାସ, ଅମିୟ ପାଣ୍ଡବ, ରଜନୀ ମହାନ୍ତି, ତାପସୀ ପ୍ରହରାଜ, ଶରତ ବେହେରା, ଅନନ୍ତ ମଙ୍ଗରାଜ, ଜଗନ୍ନାଥ ଦେଓ, ସରୋଜ ନାୟକ, ପ୍ରଦୀପ୍ତ ନାୟକ, ଆଶିଷ କାନୁନଗୋ, ଜୟନ୍ତ ଦାସ, ସୁର ଜେନା, ନୃସିଂହ ବେହେରା, ରାଧାକାନ୍ତ ସେଠି, ମହେନ୍ଦ୍ର ପରିଡ଼ା, ବଂଶୀଧର ପରିଡ଼ା, ରୁପେନ, ପୂର୍ଣ୍ଣଚନ୍ଦ୍ର ପାଢୀ, ନାରାୟଣ ଡାଳୁଆ, ସୁଦର୍ଶନ ପ୍ରଧାନ, ସଞ୍ଜୟ ନାୟକ, ବିଜୟ ବେହେରା, ହେମନ୍ତ କୁମାର, ଶଙ୍କର, ସୁଦର୍ଶନ ଦାସ, ବିସ୍ମୟ ମହପାତ୍ର, ୟାସିର ନୱାଜ, ବିଶ୍ୱନାଥ ମହାପାତ୍ର, ପ୍ରଭାତ ପାଣିଗ୍ରାହୀ, ମିନତୀ ପାଣଗ୍ରାହୀ, ରମେଶ ଜେନା, ପୂର୍ଣ୍ଣଚନ୍ଦ୍ର ପାଢୀ, ଚାମ୍ବରୁ ସୋରେନ, ପବିତ୍ର ଇନ୍ଦ୍ରଜିତ, ଜଗଦୀଶ ଜେନା, ବିଷ୍ଣୁଚରଣ ବେହେରା, ବସନ୍ତ ସାହୁ, ରଶ୍ମିରଞ୍ଜନ ତ୍ରିପାଠୀ ଏବଂ ଶୁଭ୍ରାଂଶୁ ଉଦ୍ଗାଥା ପ୍ରମୁଖ ବହୁ ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *