ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଛି : ମୁଖ୍ୟ ସଚିବ

Spread the love

ଭୁବନେଶ୍ୱର : ଗତ ଶୁକ୍ରବାର ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି । ସମସ୍ତ ପ୍ରକାର ଯାଞ୍ଚ ପରେ ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଜିଲ୍ଲାପାଳମାନଙ୍କ ଚୂଡ଼ାନ୍ତ ରିପୋର୍ଟ ଆଧାରରେ ମୁଖ୍ୟ ସଚିବ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଦୁର୍ଘଟଣା ସ୍ଥଳରୁ ଭୁବନେଶ୍ୱରକୁ ମୋଟ ୧୯୩ଟି ମୃତଦେହ ଆସିଥିଲା । ବାଲେଶ୍ୱରରେ ହିଁ ୯୪ଟି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ସେହିପରି ଭଦ୍ରକ ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିବା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି ।

ଭୁବନେଶ୍ୱରକୁ ୯୬ଟି ଆମ୍ବୁଲାନ୍ସରେ ଆସିଥିବା ୧୯୩ଟି ମୃତଦେହରୁ ୧୧୦ଟି ଚିହ୍ନଟ ହୋଇଥିବା ବେଳେ ସେଗୁଡିକୁ ସେମାନଙ୍କ ନିକଟ ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରାଯାଇଛି । ମୋଟ ୨୮୮ ମୃତଦେହ ମଧ୍ୟରୁ ୨୦୫ଟି ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର କରାଯାଇଛି । ବିଭିନ୍ନ ହସ୍ପିଟାଲରେ ଏବେ ବି ୮୩ଟି ମୃତଦେହ ରହିଛି, ସେସବୁର ଡିଏନ୍ଏ ସାମ୍ପଲ ରଖାଯାଇଛି । ସେସବୁ ମୃତଦେହର ଦାବିଦାର ଆସିଲେ ଡିଏନ୍ଏ ମ୍ୟାଚିଂ କରି ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

Leave a Reply

Your email address will not be published. Required fields are marked *