ଓଡ଼ିଶାଧର୍ମପୁରୀ

ସ୍ନାନପୂର୍ଣ୍ଣିମା ୪ ଦିନ ପୂର୍ବରୁ ଉଠିଲା ୪ ନାହାକା

ପୁରୀ  : ଅକ୍ଷୟ ତୃତୀୟା ଠାରୁ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ବିଶ୍ୱକର୍ମା ମହାରଣାମାନେ ହବିଷବ୍ରତ ପାଳନ କରି ନିଷ୍ଠାର ସହ ରଥ ନିର୍ମାଣ କାର୍ଯ୍ୟ କରୁଛନ୍ତି । ପ୍ରଥମେ ତୁମ୍ବ ନିର୍ମାଣ ପରେ ଅର ଓ ପହି ସଂଯୋଗ କରି ଚକ ନିର୍ମାଣ କରାଯାଇଥିଲା । ୪୨ଟି ଚକରେ ୨୧ଟି ଅଖ ସଂଯୋଗ କରାଯାଇ ରଥ ଖଳାରେ ଡ଼େରା ଯାଇଥିଲା । ପରେ ଅଖ ଦଣ୍ଡା ବାଡ଼ିଆ ଯାଇଥିଲା । ପରେ ଫ୍ରେମ ସଂଯୋଗ କରାଯାଇ ତାଉପରେ ମଙ୍ଗଳବାର ଦିନ ୪ ନାହାକା ଉଠିଛି । ରଥ ସଂହିତା ଅନୁଯାୟୀ ସ୍ନାନ ପୂର୍ଣ୍ଣିମା ଦିନ ୪ ନାହାକା ଉଠିବା ବିଧି ରହିଛି । ଚଳିତବର୍ଷ ଅବଧିର ୪ ଦିନ ପୂର୍ବରୁ ପ୍ରତି ରଥର ୪ ନାହାକା ଉଠିଛି । ଭୋଇ ସେବକମାନଙ୍କ ଦ୍ୱାରା ନାହାକା ଉଠିବା ସହ ତୃତୀୟ ହରିବୋଲ ପଡ଼ିଥିଲା । ଦଣ୍ଡା ଫ୍ରେମରେ ଆଗଆଣି ଓ ପଛଆଣି ମୁହାଁଟରେ ଗୁଜ,ଜଳଯନ୍ତ୍ର ଉଠିଥିଲା । ତା ଉପରେ ଆଗ ଓ ପଛ ନିରାଡ଼ି ସଂଯୋଗ ହୋଇ ପ୍ରତି ରଥରେ ଦୁଇଟି ଲେଖା ଗରଗରା ଉଠିଥିଲା । ଗରଗରାରେ କଂଟା ବାଡ଼ିଆ ହୋଇ ତାଉପରେ ପ୍ରତି ରଥର ୪ ନାହାକା ଉଠିଥିଲା । ପୋଲ ଗୟଳକୁ ମୁଣ୍ଡାଇ ରଖିବା ପାଇଁ ପ୍ରତି ରଥର ଉଭୟ ପାଶ୍ୱର୍ରେ ଛଡ଼େଇ ଦଣ୍ଡାରେ ୭ଟି କମ୍ବି, ୨ଟି ଆସୁଆରି ଉଠି ବଡ଼ ଫୁଲ ଗୟଳ ସଂଯୋଗ କରାଯାଇଥିଲା । ରଥ ଖଳାରେ ବିଶ୍ୱକର୍ମା ମହରଣାମାନଙ୍କ ସହ ରୂପକାର ସେବକ, ଭୋଇ ସେବକ, କରତି ସେବକ, ବିନ୍ଧ କାରିଗର, କମାର ସେବକମାନଙ୍କ ସହ ଅନ୍ୟ ସେବକମାନେ ରଥ ନିର୍ମାଣରେ ନିୟୋଜିତ ହୋଇଛନ୍ତି । ରଥ ନିର୍ମାଣ କାର୍ଯ୍ୟକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । 

Leave a Reply

Your email address will not be published.

Back to top button