ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଉଦ୍ୟମରେ ଗବୋନ (ମଧ୍ୟ ଆଫ୍ରିକା)ରେ ଫସିଥିବା ୪ ଓଡିଆ ଯୁବକ ଗତ ଆଜି ସକାଳେ ନିଜର ଜନ୍ମସ୍ଥାନରେ ପହଂଚିଛନ୍ତି । ଏହି ଯୁବକ ମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ପଣ୍ଡା ନିବେଦନ କରିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ଘଡିଆମାଳ ଗ୍ରାମର ବିଦ୍ୟାଧର ପ୍ରଧାନ, ପିତା- ବିଜୟ ପ୍ରଧାନ, ଶୁଭ୍ରକାନ୍ତ ପ୍ରଧାନ, ପିତା- ସୁଦର୍ଶନ ପ୍ରଧାନ, ପ୍ରଶାନ୍ତ କୁମାର ରାଉତ, ପିତା- ପରମେଶ୍ୱର ରାଉତ ଏବଂ ନିରଞ୍ଜନ ମହାନ୍ତି, ପିତା- ଭଗବାନ ମହାନ୍ତି ଅଧିକ ରୋଜଗାର ଆଶାରେ ଏକ ଏଜେଂଟଙ୍କ ଜରିଆରେ ଚଳିତ ବର୍ଷ ଫେବୃଆରୀ ୧୪ ତାରିଖରେ ଗବୋନ ଯାଇଥିଲେ । କମ୍ପାନୀ କର୍ତୃପକ୍ଷ ମାସିକ ୨୫,୦୦୦/- ଟଙ୍କା ବେତନ ପ୍ରତିଶୃତି ଦେଇଥିଲେ କିନ୍ତୁ ୩ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କୌଣସି ପାରିଶ୍ରମିକ ନଦେଇ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଇ କାର୍ଯ୍ୟରେ ଲଗାଇଥିଲେ । ବହୁ ଅନୁରୋଧ ପରେ ମଧ୍ୟ ସେମାନେ ପାରିଶ୍ରମିକ ଦେଉନଥିଲେ କିମ୍ବା ସ୍ୱଦେଶ ଫେରିବାକୁ ଛାଡୁନଥିଲେ ।
ଉପାୟଶୂନ୍ୟ ହୋଇ ପରିବାର ଲୋକ ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ । ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସମସ୍ତଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now