ଲଗାଣ ବର୍ଷାରେ ୧୨ ଜିଲ୍ଲାର ୪୮୧ଟି ଗାଁ ପ୍ରଭାବିତ, ମଧ୍ୟମ ଧରଣର ବନ୍ୟା ଆଶଙ୍କା

Spread the love

ଭୁବନେଶ୍ୱର : ରାଜ୍ୟରେ ଏକ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି । ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି ) ସତ୍ୟବ୍ରତ ସାହୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଲଗାଣ ବର୍ଷା ଯୋଗୁଁ ରାଜ୍ୟର କିଛି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି । ଲଗାଣ ବର୍ଷାରେ ୧୨ ଜିଲ୍ଲାର ୪୮୧ଟି ଗାଁ ପ୍ରଭାବିତ ହୋଇଛି । ବର୍ଷା ଛାଡ଼ିଲେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ସମ୍ଭାବ୍ୟ ବନ୍ୟା ପାଇଁ ମହାନଦୀ ସିଷ୍ଟମର ୭ ଜିଲ୍ଲାରେ ପ୍ରସ୍ତୁତି ହୋଇଛି । ବିଭିନ୍ନ ଜିଲ୍ଲାରେ ୨୩ ଓଡ୍ରାଫ୍, ୮ ଏନ୍ଡିଆରଏଫ୍, ୬୨ଟି ଅଗ୍ନିଶମ ଟିମ୍ ମୁତୟନ ହୋଇଛନ୍ତି ।

ରାଜ୍ୟରେ ବନ୍ୟା ଆଶଙ୍କା ନେଇ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି ) ଗୁରୁବାର ସକାଳେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଏଥିରେ ଜଳସମ୍ପଦ ଅଧିକାରୀଙ୍କ ସହ ଅନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ସମ୍ଭାବ୍ୟ ବନ୍ୟାକୁ ନେଇ ୭ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି ।

ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତିଙ୍କ ସୂଚନା ମୁତାବକ ବର୍ତ୍ତମାନ ମୁଣ୍ଡଳୀରେ ୭ ଲକ୍ଷ ୯୮ ହଜାର ୫୯୯ କ୍ୟୁସେକ ପାଣି ପ୍ରବାହିତ ହେଉଥିବାବେଳେ ଜଳସ୍ତର ଅପ ଷ୍ଟ୍ରିମରେ ୯୨ ଫୁଟ ଓ ଡାଉନ ଷ୍ଟ୍ରିମରେ ୮୮ ଫୁଟ ରହିଛି । ମଧ୍ୟାହ୍ନ ସୁଦ୍ଧା ୮ ଲକ୍ଷ ୫୦ ହଜାର କ୍ୟୁଚେସକ ପାଣି ପ୍ରବାହିତ ହେବାକୁ ଥିବାବେଳେ ସନ୍ଧ୍ୟା ସୁଦ୍ଧା ୯ରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ ପାଣି ପ୍ରବାହିତ ହେବ । ମୁଣ୍ଡଳୀରେ ୮ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବାକୁ ଥିବାବେଳେ ସମ୍ଭାବ୍ୟ ବନ୍ୟାକୁ ନେଇ ୭ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଉଛି ଅନୁଗୁଳ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ।

ନୟାଗଡ଼ ଓ କଟକରେ ବନ୍ୟା ଜଳ ଅଧିକ କ୍ଷତି ଘଟାଇବା ଆଶଙ୍କା ଥିବାରୁ ଏହି ୨ ଜିଲ୍ଲାକୁ ପ୍ରାଥମିକତା ଦିଆଯାଉଛି । ଏନଡିଆରଏଫ ଓ ଓଡ୍ରାଫ ଟିମ୍ ଏହି ସବୁ ଜିଲ୍ଲାକୁ ପଠାଇ ଦିଆଯାଇଛି । ଅଗ୍ନିଶମ ବିଭାଗର ୨ଟି ଲେଖାଏ ଟିମ୍ ପଠାଯାଇଛି । ଏହାବାଦ ୧୫ ଜିଲ୍ଲାକୁ ୮ ଟି ଏନଡିଆରଏଫ୍ ଟିମ, ୧୩ଟି ଓଡ୍ରାଫ ଯଏବଂ ୨୩ଟି ଅତିରିକ୍ତ ଅଗ୍ନିଶମ ବାହିନୀର ଟିମ ପଠାଯାଇଛି । ପ୍ରଭାବିତ ୧୫ ଜିଲ୍ଲା ଗୁଡିକ ହେଲା ଭଦ୍ରକ, ଯାଜପୁର, ସମ୍ବଲପୁର, କେନ୍ଦୁଝର, ମୟୂରଭଂଜ, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ, ବାଲେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ।

ବିଶେଷ କରି ଦୁର୍ବଳ ନଦୀ ବନ୍ଧ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାନଦୀ ଫୁଲିବା ପରେ ଛୋଟ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ତେଣୁ ଦୁର୍ବଳ ନଦୀବନ୍ଧ ସ୍ଥାନକୁ ଜଗିବା ସହ ପାଟ୍ରୋଲିଂ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡିଲେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଛି । ସୁରକ୍ଷିତ କୋଠାରେ ରହିବା ଓ ଖାଇବାର ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି ।

Leave a Reply

Your email address will not be published. Required fields are marked *