ଆଇଟି ରିଟର୍ଣ୍ଣ ଭରୁଥିଲେ କଟିବନି ରାସନକାର୍ଡ!

କେଉଁ ଆୟକରଦାତାଙ୍କ କଟିବନି ରାସନକାର୍ଡ?

ଇ-କେଓ୍ୱାଇସି ବେଳେ ଆୟକର ଦେଉଥିବା ଲୋକଙ୍କ ରାସନକାର୍ଡ କଟିଯାଉଛି। ଆୟକରଦାତାଙ୍କ ମାନଦଣ୍ଡ ନିରୂପଣ ନେଇ ସ୍ପଷ୍ଟ କରୁନାହାନ୍ତି ସରକାର। ଜିରୋ ରିଟର୍ଣ୍ଣ ଇନକମ ଟାକ୍ସ ଫାଇଲ କରୁଥିବା ଗରିବଙ୍କ ରାସନକାର୍ଡ କାଟନ୍ତୁନି ସରକାର। ଅଧିକ ଆୟ କରି ଅଧିକ ଆୟକର ଭରୁଥିବା ଲୋକଙ୍କୁ ବରଂ ବାଦ୍ ଦିଅ।ଚା ଦୋକାନୀ, ପରିବା ବେପାରୀ, ଉଠା ଦୋକାନୀ ଯେଉଁମାନେ ପିଲାଙ୍କ ପାଠପଢ଼ା, ଘର ନିର୍ମାଣ, ଝିଅ ବାହାଘର ପାଇଁ ଋଣ କରିବାକୁ ଜିରୋ ରିଟର୍ଣ୍ଣରେ ଫାଇଲ କରୁଛନ୍ତି, ସେମାନଙ୍କ ରାସନ କାର୍ଡ କାଟି ସରକାର ଦାଉ ସାଧନ୍ତୁନି ବୋଲି ବିଧାନସଭାରେ ତୁମ୍ୱିତୋଫାନ ହୋଇଥିଲା। ବିଭିନ୍ନ ମାନଦଣ୍ଡରେ ଚିହ୍ନଟ କରି ୧୬ହଜାର ୧୮୪ ଅଯୋଗ୍ୟ ପରିବାରକୁ ବାଦ୍ ଦିଆଯାଇଛି ବୋଲି ଯୋଗାଣ ମନ୍ତ୍ରୀ ଲିଖିତ ଉତ୍ତରରେ କହିଥିଲେ। ଆୟକରଦାତାଙ୍କୁ ନୋଟିସ୍ ହୋଇଛି। ଏବେ ଯୋଗାଣ ମନ୍ତ୍ରୀ କହିଛନ୍ତି, ଆୟକର ଫାଇଲ୍ କରିଥିଲେ ବି କଟିବନି ରାସନକାର୍ଡ। ଫିଜିକାଲ ଭେରିଫିକେସନ କରିବେ ସରକାର। ତାଲିକା ଧରି ଘରକୁ ଘର ବୁଲି ତଦନ୍ତ କରିବେ ଅଫିସର୍। କାହାର ଆୟ କେତେ ଦେଖିଲା ପରେ କାର୍ଡ କଟିବ ନା ରହିବ, ନିଷ୍ପତ୍ତି ନିଆଯିବ। କାହାର କାର୍ଡ କାଟନି କି ଚାଉଳ ବନ୍ଦ କରନି ବୋଲି ନିର୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ଗରିବଙ୍କ କାର୍ଡ କଟିବନି। ଧନୀ ହାତେଇଥିଲେ କଟିବ। ଯଦି କଟିଛି, ବିଭାଗକୁ ଜଣାନ୍ତୁ। ତଦନ୍ତ କରି ପୁଣି ସାମିଲ୍ କରାଯିବ। ଗ୍ରାମାଞ୍ଚଳରେ ମାସିକ ୧୦ହଜାର ଓ ସହରାଞ୍ଚଳର ମାସିକ ୧୫ହଜାର ଆୟ ଥିଲେ କାର୍ଡ କାଟିବାକୁ ନିର୍ଦେଶ ଆସିଛି। ତା ସତ୍ତ୍ୱେ ପ୍ରକୃତ ଗରିବଙ୍କ କାର୍ଡ ଯେଭଳି ନ କଟେ, ସେଥିଲାଗି ଫିଜିକାଲ ଭେରିଫିକେସନ ହେବ। ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଗରିବ ଆୟକାରଦାତା ଆଶ୍ୱସ୍ତ ହୋଇଛନ୍ତି। ଋଣ ପାଇଁ ଆଇଟି ରିଟର୍ଣ୍ଣ ଜରୁରୀ ହେତୁ ସେମାନେ ଜିରୋ ରିଟର୍ଣ୍ଣ ଫାଇଲ୍ କରୁଛନ୍ତି। ଏହାର ଆଳ ନେଇ ସରକାର ସେମାନଙ୍କ ରାସନକାର୍ଡ କାଟିଦେଉଛନ୍ତି। ତୁରନ୍ତ ଫିଜିକାଲ ଭେରିଫିକେସନ କରି ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ୍ କରାଯାଉ। ରାସନକାର୍ଡ ଏମିତି ଏକ ମାନଦଣ୍ଡ ହୋଇଗଲାଣି ଯେ, ସବୁଥିରେ ଏହାର ଆଧାରକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଗଲାଣି। ଅଯୋଗ୍ୟ ବାଦ୍ ପଡ଼ନ୍ତୁ। ଯୋଗ୍ୟ ଯୋଡ଼ନ୍ତୁ। କିନ୍ତୁ ଆୟକରଦାତାଙ୍କ ମାନଦଣ୍ଡ ନିରୂପଣରେ ସରକାରୀ ସ୍ପଷ୍ଟତା ରହୁ। ତା ନହେଲେ ଜିରୋ ରିଟର୍ଣ୍ଣ ଫାଇଲ କରୁଥିବା ଗରିବ ତଥା ସ୍ୱଳ୍ପ ଆୟକାରୀଙ୍କ ଗୋଟିଏ ପଟେ ରାସନକାର୍ଡ କଟିବ। ଅନ୍ୟପଟେ ରାସନ କାର୍ଡରୁ ବଞ୍ଚିତ ଏହି ବର୍ଗ ରିଟର୍ଣ୍ଣ ଫାଇଲ୍ କରିବେ ନା ନାହିଁ। କାରଣ ରିଟର୍ଣ୍ଣ ଫାଇଲ ନ କଲେ ଋଣ ପାଇବାରୁ ବି ବଞ୍ଚିତ ହେବାର ଆଶଙ୍କା ରହିଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *