ଓଡ଼ିଶାରାଜନୀତି

ଥମୁନି ଫାଇଭ-ଟି ଝଡ

() ଫାଇଭ-ଟିକୁ ନେଇ ଥମୁନି ବିଧାନସଭାରେ ଝଡ଼। ଫାଇଭ-ଟି ର ଆକାର, ପ୍ରକାର ଓ  ବିଚାରକୁ ନେଇ ଦୁଇ ଦିନ ହେଲା ଯେମିତି ଚାଲିଛି ବିଧାନସଭାରେ ଶକ୍ତିପରୀକ୍ଷା। ଏତିକିବେଳେ ଫାଇଭ-ଟି ସ୍କୁଲର ରଙ୍ଗକୁ ଯୋଡ଼ି ମାଟ୍ରିକ ପିଲାଙ୍କ ଅନୁପସ୍ଥିତି ପ୍ରସଙ୍ଗକୁ ବିରୋଧୀ ଆଜି ଶୂନ୍ୟକାଳରେ ଗଣ୍ଠି କରିଥିଲା ବେଳେ କାଉଣ୍ଟର କରିବାକୁ ପୁଣି ଅରୁଣଙ୍କୁ ଆଗକୁ ଛାଡ଼ିଥିଲା ଆଜି ଶାସକ ଦଳ।

ଫାଇଭ-ଟିର ଆକାର , ପ୍ରକାର ଓ ବିଚାରକୁ ନେଇ ବିଧାନସଭାରେ କମ୍ପନ। ଏହା କଅଣ। ଏହା ବିଭାଗ ହୋଇଥିଲେ, ଏହା ଉପରେ ପ୍ରଶ୍ନୋତ୍ତର ପାଇଁ ବିଧାନସଭାରେ ବ୍ୟବସ୍ଥା ହେଉ। ସୋମବାର ଶୂନ୍ୟକାଳରେ ଏଭଳି ପ୍ରଶ୍ନରେ ସରକାରଙ୍କୁ ଛନ୍ଦି ଥିବା ବିରୋଧୀ ଦଳ ନେତା ମଙ୍ଗଳବାର ପୁଣି ଫାଇଭ-ଟି କ୍ରମରେ ୧୫ହଜାରରୁ ଅଧିକ ପିଲାଙ୍କର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତି ପ୍ରସଙ୍ଗକୁ ଉଖାରିଥିଲେ। ଡ୍ରପ୍ ଆଉଟ ଅନୁପାତ ହାରରେ ଓଡ଼ିଶା ଏକ ନମ୍ୱର। ପରୀକ୍ଷା ପରିଦର୍ଶନ ବେଳେ ଗଣଶିକ୍ଷା ମନ୍ତ୍ରୀ ଫଟୋ ସେସନ କରୁଛନ୍ତି। ଏଥିରେ ପରୀକ୍ଷାର୍ଥୀଙ୍କ ସ୍ଥିରଚିତ୍ତ ବ୍ୟାଘାତ ହେଉନି କି। ଅ ରୁ କ୍ଷ ପର୍ଯ୍ୟନ୍ତ ଷଷ୍ଠ ଶ୍ରେଣୀ ପିଲା କହିପାରୁନାହାନ୍ତି। ଏହା କଅଣ ସରକାରଙ୍କ ଫାଇଭ-ଟି। ବିରୋଧୀ ଦଳ ନେତାଙ୍କ ସ୍ୱରରେ ସ୍ୱର ମିଳାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ହଜାର ହଜାର ମାଟ୍ରିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ଚିନ୍ତାଜନକ ବୋଲି କହିଛନ୍ତି ନରସିଂହ। ଡ୍ରପ୍ ଆଉଟ ସ୍ଥିତି ଅତି ଉଦବେଗଜନକ। ଏହା ପୁରା ଶିକ୍ଷା ବ୍ୟବସ୍ଥା ପ୍ରତି ବିପଦ।

ସେପଟେ ଫାଇଭ-ଟି ସ୍କୁଲର ରଙ୍ଗ ଓ ଫାଇଭ-ଟିର ରୂପରେଖକୁ ନେଇ ଅଙ୍ଗୁଳି ଉଠାଇଥିବା ବିରୋଧୀ ଦଳ ନେତାଙ୍କୁ କାଉଣ୍ଟର କରିବାକୁ ଆଗକୁ ଆସିଥିଲେ ଅରୁଣ ସାହୁ। ଫାଇଭ-ଟି କଅଣ ତାହା ବୁଝି ଅବୁଝା ହେବାର ଅଭିନୟ କରୁଛନ୍ତି ବିରୋଧୀ ଦଳ ନେତା। ପ୍ରଗତିର ପ୍ରତୀକ ଫାଇଭ-ଟି। ବିରୋଧୀଙ୍କୁ ଫାଇଭ-ଟିର ଭୂତ ଲାଗିଛି। ଫାଇଭ-ଟି ସ୍କୁଲର ରଙ୍ଗ ସବୁଜକୁ ନେଇ ଆପତ୍ତି ଉଠାଉଥିବା ବିରୋଧୀ ସବୁଜ ପନିପରିବା ଖାଇବା ଛାଡ଼ିଦିଅନ୍ତୁ। ଜାତୀୟ ପତାକାରେ ଥିବା ସବୁଜ ରଙ୍ଗକୁ କଅଣ ଅବମାନନା କରିବେ କି ବିରୋଧୀ।

ଫାଇଭ-ଟି କୁ ନେଇ ବିରୋଧୀ ଆପତ୍ତି ଉଠାଇବା ମାତ୍ରେ ଚିହିଁକି ଉଠିଥିଲେ ଶାସକ ସଭ୍ୟ। ଶୂନ୍ୟକାଳରେ ଏହାର କଡ଼ା କାଉଣ୍ଟର କରିଥିଲା ଶାସକ ଦଳ। ସେପଟେ ଫାଇଭ-ଟିକୁ ଯୋଡ଼ି ଶାସନରୁ ନେଇ ଶ୍ରେଣୀ ଯାଏ, ସରକାରଙ୍କୁ ପ୍ରଶ୍ନଜାଲରେ ଛନ୍ଦିବାରେ ଛାଡ଼ୁନାହାନ୍ତି ବିରୋଧୀ।

ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button