ରଜ ସଂକ୍ରାନ୍ତିରେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ ୫୦ ହଜାର ଭକ୍ତ

Spread the love

ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ନପାଇ ଭକ୍ତ ବ୍ୟାକୁଳ । ଅଣସର ସମୟରେ ଚତୁର୍ଦ୍ଧାମୂର୍ତି ମହାପ୍ରଭୁ ବ୍ରହ୍ମଗିରି ସ୍ଥିତ ଶ୍ରୀଅଲାରନାଥ ଦେବଙ୍କ ଦର୍ଶନ କଲେ ବହୁ ପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଆଜି ରଜ ସଂକ୍ରାନ୍ତି ଓ ଗୁରୁବାର ପଡ଼ିଥିବାରୁ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ଵ ଭକ୍ତ ଶ୍ରୀଅଲାରନାଥଙ୍କ ଦର୍ଶନ କରିଥିବା ଜଣାପଡ଼ିଛି ।

ଶ୍ରୀଅଲାନାଥଙ୍କ ବିଗ୍ରହ ସାଢେ ୫ ଫୁଟ ବିଶିଷ୍ଟ କଳା ମୁଗୁନି ପଥରର ଚତୁର୍ଦ୍ଧାମୂର୍ତି ନାରାୟଣ । ଶ୍ରୀ ଚୈତନ୍ୟ ଦେବ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ନପାଇ ମନ ଦୁଃଖରେ ପଶ୍ଚିମ ଦିଗକୁ ଜଙ୍ଗଲ ଭିତରେ ଯାଉଥିବା ସମୟରେ ଚତୁର୍ଦ୍ଧାମୂର୍ତି ନାରୟଣ ଶ୍ରୀଅଲାନାଥଙ୍କୁ ଦର୍ଶନ କରିବା ପରେ ସେହି ଠାରେ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ । ଯାହାର ପ୍ରମାଣ ପ୍ରଣିପାତ ପଥରୁ ମିଳିଛି । ସେହି ସ୍ଥାନରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ମନ୍ଦିର ନିର୍ମାଣ କରାଯାଇଛି । ବଉଳ, କେତକୀ ଓ ନାରିକେଳ ପରିବେଶ ମଧ୍ୟରେ ଶ୍ରୀଅଲାରନାଥ ମନ୍ଦିର ଅବସ୍ଥିତ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ନପାଇ ଅଣସର ୧୫ ଦିନ ଯାକ ଭକ୍ତମାନେ ଶ୍ରୀଅଲାରନାଥଙ୍କ ଦର୍ଶନ କରିଥାନ୍ତି । କଥିତ ଅଛି ବର୍ଷକଯାକ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ଯେତିକି ପୂଣ୍ୟ ମିଳିଥାଏ ଅଣସର ସମୟରେ ଗୋଟିଏ ଦିନ ଶ୍ରୀଅଲାରନାଥଙ୍କ ଦର୍ଶନ ପରେ ସମ ପୂଣ୍ୟ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଖିରୀ ପ୍ରିୟ ଶ୍ରୀଅଲାରନାଥ ଦେବ । ଖିରି ଭୋଗ ପ୍ରତିଦିନ ଶ୍ରୀଅଲାରନାଥଙ୍କୁ ଲାଗି ହୋଇଥାଏ ।

ଅଣସର ସମୟରେ ହଜାର ହଜାର ଭକ୍ତ ଶ୍ରୀଅଲାରନାଥଙ୍କୁ ଦର୍ଶନ କରୁଥିଲେ ମଧ୍ୟ ଗୋଡ଼ ଧୋଇବା ପାଇଁ ପାଦ ପ୍ରକ୍ଷାଳନ ବ୍ୟବସ୍ଥା ଚାଲୁନାହିଁ । ଟ୍ୟୁବଲ ମାରି ଭକ୍ତମାନେ ପାଦ ଧୋଉଛନ୍ତି । ଧାଡ଼ି ଦର୍ଶନ ବ୍ୟବସ୍ଥା ହୋଇଥିଲେ ମଧ୍ୟ କେତେକ ସେବାୟତ ଭକ୍ତମାନଙ୍କୁ ଗଳିଆ ବାଟରେ ନେଇ ଦର୍ଶନ କରାଉଥିବା ଅଭିଯୋଗ ହୋଇଛି । ହଜାର ହଜାର ଭକ୍ତଙ୍କ ପାଇଁ ଶୌଚାଳୟ ଓ ପରିଶ୍ରାଗାରର ସୁବିଧା ନଥିବାରୁ ଭକ୍ତ ଅସନ୍ତୋଷ ବୃଦ୍ଧି ପାଉଛି । ଅଲାରନାଥ ଦେବଙ୍କ ସମ୍ପତିର ସୁରକ୍ଷା କରାଯିବାକୁ ଭକ୍ତ ମହଲରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *