ପର୍ଯ୍ୟଟନ କ୍ଷେତ୍ର ପାପକ୍ଷୟର ବିକାଶ କାର୍ଯ୍ୟକୁ ନିଜେ ଦେଖିବାର ପ୍ରତିଶ୍ରୁତି ଦେଲେ ୫ ଟି ସଚିବ

Spread the love

ସୁବର୍ଣ୍ଣପୁର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ତଥା ୫ଟି ସଚିବ ଭି.କେ.ପାଣ୍ଡିଆନଙ୍କ ବହୁ ଚର୍ଚ୍ଚିତ ବିନିକା ଗସ୍ତ ଆଜି ବିନିକାବାସୀଙ୍କ ମନରେ ଗଭୀର ଆଶା ଓ ଆସ୍ଥା ସଞ୍ଚାର କରିଛି ଓ ପାଣ୍ଡିଆନ ଦୀର୍ଘ ୨୧ବର୍ଷ ପରେ ତାଙ୍କ ପ୍ରଶାସନିକ ବିକାଶର ଏଣ୍ଟୁଡିଶାଳ ବିନିକା ମାଟିରେ ପାଦ ଦେଇ ଭାବବିହ୍ୱଳ ହୋଇ ପଡ଼ିଥିଲେ । ଅତୀତର ସ୍ମୃତି ଚାରଣ କରି ପାଣ୍ଡିଆନ ପର୍ଯ୍ୟଟନ ସ୍ଥଳୀ ପାପକ୍ଷୟ ଘାଟର ପରିବେଶ ସହ ତାଙ୍କର ବ୍ୟକ୍ତିଗତ ଆବେଗ ବିଷୟରେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏକଦା ନିଜ ମା ଙ୍କ ସହ ଏହି ପୁଣ୍ୟପୀଠ କୁ ପରିଦର୍ଶନରେ ଆସିଥିବା ବେଳେ ବିଲ ମଧ୍ୟ ଦେଇ ଆସିଥିଲେ ବୋଲି କହିଥିଲେ । ସମ୍ପ୍ରତି ଏହାର ବିଭିନ୍ନ ଅବସ୍ଥାର ବିକାଶ ଘଟିଥିଲେ ହେଁ ଆଗାମୀ ଦିନରେ ସାମଗ୍ରିକ ବିକାଶ ପାଇଁ ସେ ବ୍ୟକ୍ତିଗତ ଭାବେ ଉଦ୍ୟମ କରିବେ ବୋଲି ନିଜ ଅଭିଭାଷଣରେ ଦୃଢ ପ୍ରତିଶ୍ରୁତି ଦେଇଥିଲେ ।ବିନିକା ମାଟିରେ ବିନିକାର ଏହି କରିତକର୍ମା ପ୍ରଶାସକଙ୍କ ଉପସ୍ଥିତିରେ ସମବେତ ହଜାର ହଜାର ଜନତାଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା ସ୍ୱୟଂ ସହାୟକ ଗୋଷ୍ଟି ସଦସ୍ୟାଙ୍କ ସମେତ ମହିଳା ମାନେ ବିଶେଷ ସଂଖ୍ୟାରେ ଯୋଗଦେଇ ହୁଳହୁଳୀରେ ସ୍ୱାଗତ କରିବା ସହ ସାଧୁବାଦ କୃତଜ୍ଞତା ଜ୍ଞାପନ କରିଥିଲେ ।

ଆଇଏଏସ ପାଇ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ପରେ ସେ ପ୍ରଥମ କରି ଏଠାରେ ପ୍ରଶିକ୍ଷଣ ନେଇଥିଲେ । ସ୍ୱଳ୍ପ ୪ମାସ ରହଣୀ କାଳରେ ବିନିକାର ବିକାଶ ପାଇଁ କରିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବନ୍ଧୁ ମାନଙ୍କୁ ସ୍ୱରଣ କରି ପୁନର୍ବାର ସେମାନଙ୍କୁ ଦେଖି ନିଜ ଘରକୁ ଆସିଥିଲାପରି ମନେ ହେଉଛି ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ବଖାଣିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣ ମାନଙ୍କ ସୁଖ ଦୁଃଖ ଓ ସମସ୍ୟା ବୁଝିବା ପାଇଁ ମତେ ପଠାଇଛନ୍ତି ବୋଲି କହି ଉପସ୍ଥିତ ମହିଳା ମାନଙ୍କୁ ବିଭିନ୍ନ ପ୍ରକାରର ସରକାରୀ ସୁବିଧା ପଚାରି ବୁଝିଥିଲେ । ସେ ମିଶନ ଶକ୍ତି ମା ମାନଙ୍କ ସ୍ୱାବଲମ୍ବୀ ପାଇଁ ସରକାର ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଛନ୍ତି,ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ସହାୟତା ମିଳୁଛି ଏବଂ ଯେଉଁମାନେ ପାଇନାହାନ୍ତି ଦ୍ୱିତୀୟ ପର୍ଯ୍ୟାୟର ଖୁବ ଶୀଘ୍ର ବିଜୁ ସ୍ୱାସ୍ଥ୍ୟ କାର୍ଡ ପାଇବେ ବୋଲି କହିଥିଲେ ।ବିନିକାର ଏହି ମୁକ୍ତିତୀର୍ଥ ପାପକ୍ଷୟ ଘାଟ ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ କରାଯିବ ଏବଂ ଆଗାମୀ ଦିନରେ ଏହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି କହିବା ପରେ ସମବେତ ଜନତାଙ୍କ ଉଛସିତ କରତାଳି ଓ ମହିଳାଙ୍କ ହୁଳହୁଳି ଧ୍ୱନୀ ସମଗ୍ର ପରିବେଶ କମ୍ପି ଉଠିଥିଲା । ଏହାର ଉନ୍ନତିକରଣ ନିଜେ ଦେଖିବେ ଏବଂ ଛଅ ମାସ ମଧ୍ୟରେ ପୁନର୍ବାର ଏହି ପୁଣ୍ୟପୀଠକୁ ପରିଦର୍ଶନରେ ଆସିବେ ବୋଲି କହିଥିଲେ । ଏହା ପୂର୍ବରୁ ୫ଟି ସଚିବ ଭି.କେ.ପାଣ୍ଡିଆନ ଯେତେବେଳେ ମୁକ୍ତିରତୀର୍ଥ ପାପକ୍ଷୟ ପରିସର କୁ ପାଦ ଦେଲେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ମହିଳା ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପାଣ୍ଡିଆନ ପ୍ରଥମେ ହନୁମାନ ମନ୍ଦିର ଦର୍ଶନ କରିଥିଲେ ।ପରେ ଶିବ ମନ୍ଦିର ଓ କିମ୍ବଦନ୍ତୀ ବହନ କରିଥିବା ରାଜାଙ୍କ ରୋଗମୁକ୍ତି ସ୍ଥଳ,ବହୁଚର୍ଚ୍ଚିତ ବଟବୃକ୍ଷ ପରିଦର୍ଶନ କରିଥିଲେ ।ତାଙ୍କୁ ଦେଖିବା ପାଇଁ ବ୍ୟାରିକେଟ ପାର୍ଶ୍ୱରେ ଛିଡ଼ା ହୋଇଥିବା ସାଧାରଣ ଜନତାଙ୍କ ସହ କରମର୍ଦ୍ଧନ କରିଥିଲେ ଏବଂ ନିରୀହ ଜନତାଙ୍କ ସୁଖଦୁଃଖ ପଚାରିବା ସହ ତାଙ୍କଠାରୁ ବ୍ୟକ୍ତିଗତ ତଥା ସାମୁହିକ ସମସ୍ୟା ଉପରେ ଅଭିଯୋଗ ପତ୍ର ଗୁଡ଼ିକ ଗ୍ରହଣ କରିଥିଲେ । ତାଙ୍କ ଗସ୍ତ ଫଳରେ ବିନିକା ଅଞ୍ଚଳ ବିକାଶରେ ଭାଗ୍ୟ ଉଦୟ ହେଲା ବୋଲି ସାରା ଅଞ୍ଚଳବାସୀଙ୍କ ଠାରେ ଆଶା ଓ ଉଦ୍ଦୀପନା ସୃଷ୍ଟି କରିଛି । ପରେ ୫ଟି ସଚିବ ପାଣ୍ଡିଆନ ବିନିକା ବ୍ଲକ ଅନ୍ତର୍ଗତ ଉଁଶୁଣି ଠାରେ ସରକାରଙ୍କ ଅନୁଦାନରୁ ଚାଲିଥିବା ମେଗା ପାଇପ ଜଳଯୋଗାଣ କେନ୍ଦ୍ର ର କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ହେଉଥିବା ଜଣକଲ୍ୟାଣ କାର୍ଯ୍ୟକ୍ରମ ଉପରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ ।

Leave a Reply

Your email address will not be published. Required fields are marked *