ଏକ ନୂଆ ଯୁଗର ଶୁଭାରମ୍ଭ ହେବାକୁ ଯାଉଛି – ଧର୍ମେନ୍ଦ୍ର ପ୍ରଧାନ

Spread the love

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ଆଜି ଏକ ମହତ୍ତ୍ୱପୂର୍ଣ୍ଣ ଦିନ । କାମାକ୍ଷାନଗର – ଡୁବୁରି ସେକ୍ସନ ଦ୍ୱାରା ତାଳଚେର-ଅନୁଗୁଳ ଶିଳ୍ପାଞ୍ଚଳ, କାମାକ୍ଷାନଗର-କପିଳାସ ଅଞ୍ଚଳ, କଳିଙ୍ଗନଗର ଶିଳ୍ପାଞ୍ଚଳ ମଧ୍ୟରେ ଯୋଗାଯୋଗ, ପର୍ଯ୍ୟଟନ ଓ ବ୍ୟବସାୟ କ୍ଷେତ୍ରରେ ଏକ ନୂଆ ଯୁଗର ଶୁଭାରମ୍ଭ ହେବାକୁ ଯାଉଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ଠାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନଙ୍କ କରକମଳରେ ଜାତୀୟ ରାଜପଥ-୫୩ ଅନ୍ତର୍ଗତ ୪ ଲେନ୍ ବିଶିଷ୍ଟ କାମାକ୍ଷାନଗର-ଡୁବୁରି ସେକ୍ସନର ଉଦଘାଟନ ଏବଂ କଳାହାଣ୍ଡି ଜିଲ୍ଲାର ମୋଟେର୍ – ବାନର ରାସ୍ତାର ସମ୍ପ୍ରସାରଣ ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଟ୍ୱିଟ କରି ପ୍ରଧାନ ଏହା କହିଛନ୍ତି ।

ସେ କହିଛନ୍ତି, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରି ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ କାମାକ୍ଷାନଗର-ଡୁବୁରି ସେକ୍ସନକୁ ପ୍ରଥମ ଥର ପାଇଁ ଏନଏଚର ମାନ୍ୟତା ଦେଇଥିଲେ । ଏହି ଏନଏଚ୍ ଆଜି ମୋଦି ସରକାରରେ ୪ ଲେନରେ ପରିଣତ ହେବା ଖୁସିର ବିଷୟ । ଆଜି ଏହି ପ୍ରକଳ୍ପର ଶୁଭାରମ୍ଭ ପାଇଁ ମୁଁ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଏବଂ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଙ୍କୁ ଧନ୍ୟବାଦ ଜଣାଉଛି ।

ମୋଦି ସରକାର ବିଗତ ୯ ବର୍ଷରେ ପୂର୍ବ ସରକାରର ୧୦ ବର୍ଷ ତୁଳନାରେ ଓଡ଼ିଶା ପ୍ରତି ଅନେକ ଦାୟିତ୍ୱ ନେଇଛନ୍ତି । ଜାତୀୟ ରାଜପଥ, ରେଳପଥ, ବନ୍ଦର ଓ ଜଳପଥର ବିକାଶ, ଡିଏମଏଫ, ଅର୍ଥ କମିଶନ, ଜିଏସଟି ସଂଗ୍ରହ ସମେତ ଏନଡିଆରଏଫ, ଏସଡିଆରଏଫ, ପ୍ରଧାନମନ୍ତ୍ରୀ ଆବାସ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରେକର୍ଡସଂଖ୍ୟକ ଅର୍ଥ ଓଡ଼ିଶାକୁ ଆସିଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି, ମହାପ୍ରଭୁଙ୍କ ସେବା କାର୍ଯ୍ୟ ପାଇଁ ସହଯୋଗ, ଓଡ଼ିଶାର ଜନଜାତି ଝିଅଙ୍କୁ ରାଷ୍ଟ୍ରପତି ପଦବୀରେ ଅଭିସିକ୍ତ କରିବା, ସନ୍ଥକବି ଭୀମ ଭୋଇଙ୍କ ବିଚାରକୁ ଆଗକୁ ନେବାର ଦାୟିତ୍ୱ ପ୍ରଧାନମନ୍ତ୍ରୀ ନେଇଛନ୍ତି । ଜାତୀୟ ଶିକ୍ଷା ନୀତି ଅନୁସାରେ ମାତୃଭାଷା ଆଧାରିତ ଶିକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇଛି ।

Leave a Reply

Your email address will not be published. Required fields are marked *