ଓଡ଼ିଶା

ଧରଣୀଧର ସ୍ୱୟଂଶାସିତ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା

କେନ୍ଦୁଝର: କେନ୍ଦୁଝର ଧରଣୀଧର ସ୍ୱୟଂଶାସିତ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଲେ ସରକାର। ଆଉ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଦଳମତ ନିର୍ବିଶେଷରେ ସମସ୍ତେ ଧନ୍ୟବାଦ ଦେବା ସହ ବିଳମ୍ୱରେ ହେଲେ ବି ଏହା ହୋଇଛି ବୋଲି ଆଶ୍ୱସ୍ତ  ପ୍ରକାଶ କରିଛନ୍ତି। କିନ୍ତୁ ମଞ୍ଚରେ ବିଜେଡିର ନିର୍ବାଚନୀ ପ୍ରଚାର କସରତ ବି ଦେଖିଲେ ସଭିଏଁ। ଆଉ ସଦର ବିଧାୟକ କେନ୍ଦ୍ର ବିନା କଲେଜକୁ ବିଶ୍ୱସ୍ତରୀୟ କରିବା ସ୍ୱପ୍ନ ଦେଖିବା ସମ୍ଭବ ନୁହେଁ ବୋଲି ଚେତାଇ ଦେଇଥିଲେ।

ଫାଇଭ-ଟି ସଚିବ ଘୋଷଣା କଲେ। ଆଉ ସେହି ଐତିହାସିକ ମୂହୂର୍ତ୍ତକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଓ ତାଙ୍କ ହାତରୁ ସ୍ୱୀକୃତି ପତ୍ର ଗ୍ରହଣ କରିବାକୁ ଉତ୍ସୁକତାର ସହ ମଞ୍ଚକୁ ଆସିଥିଲେ ଡିଡି କଲେଜ ଛାତ୍ରଛାତ୍ରୀ। ମୁଖ୍ୟମନ୍ତ୍ରୀ ବି ଏହି ଐତିହାସିକ କ୍ଷଣକୁ ସମବେତ ଛାତ୍ରଛାତ୍ରୀ ଓ ଜନତାଙ୍କ ସହ କାଟିବା ସହ ସବୁ ଜୀବନ ତାଙ୍କ ଲାଗି ମୂଲ୍ୟବାନ ବୋଲି କହିଥିଲେ।

କିନ୍ତୁ ଏହି ଐତିହାସିକ କ୍ଷଣ ଆଗରୁ ମଞ୍ଚ ଉପରେ ଯେଭଳି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାର ପ୍ରତିଯୋଗିତା ଚାଲିଥିଲା ନେତାଙ୍କ ଭିତରେ। ଠିକ୍ ସେଭଳି ସେମାନଙ୍କ ନିର୍ବାଚନୀ ପ୍ରତିଯୋଗିତା ଓ ଶ୍ରେୟ ନେବାର ଠାଣି ବି ବେଶ୍ ବାରି ହୋଇପଡ଼ୁଥିଲା। ସ୍ଥିତି ଏମିତି ହେଲା ଯେ, ସାଂସଦ ମମତା ମହାନ୍ତଙ୍କ ମୁହଁରେ ମହିଳା ସଶକ୍ତିକରଣ ବଦଳରେ ସଶସ୍ତିକରଣ ଉଚ୍ଚାରଣ ବାରମ୍ୱାର କାନକୁ ଖଟକା କରିଥିଲା। ସମୟ ସୀମା ନ ଦେଖି କହିଚାଲିଥିବାରୁ ଅଧାରୁ ଅଟକାଇବାକୁ ପଡ଼ିଥିଲା। ବିଧାୟକ ଭାଗିରଥୀ ସେଠୀଙ୍କ ମୁହଁରୁ  ମୋଦି-ଆଦାନୀ ସମ୍ପର୍କ, କେନ୍ଦ୍ର ବିରୋଧୀ ମନ୍ତବ୍ୟ ବାହାରିବା ମାତ୍ରେ ତାଙ୍କୁ ବି ଅଧାରୁ ଅଟକାଇ ଦିଆଯାଇଥିଲା। ସାଂସଦ ଚନ୍ଦ୍ରାଣୀ ମୁର୍ମୁ ତ ଆଉ ଥରେ ନବୀନଙ୍କ ହାତମୁଠାକୁ ଟାଣ ଲାଗି ବିପୁଳ ସମର୍ଥନ କରିବାକୁ ମଞ୍ଚ ଉପରେ ଯେମିତି ନିର୍ବାଚନୀ ପ୍ରଚାର ଦାୟିତ୍ୱ ତୁଲାଉଥିଲେ।

ଅବଶ୍ୟ କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ ଏ ଦାବି ମେଣ୍ଟ ସରକାର ଅମଳର ବୋଲି ମନେ ପକାଇ ବିନା କେନ୍ଦ୍ର ସରକାରଙ୍କ ଅନୁଦାନରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ କଳ୍ପନା କରିବା ଅସମ୍ଭବ ବୋଲି କହିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ କାର୍ପଣ୍ୟତା ପ୍ରକାଶ କରିନଥିଲେ। ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ବି ବେଶ୍ ମାପିଚୁପି ମନ୍ତବ୍ୟ ଦେଇ କୌଣସି ରାଜନୀତିର ଆଭାସ କି ଶ୍ରେୟ ଲଢ଼େଇ କଥା କହିନଥିଲେ।

୨୪ ଘଣ୍ଟା ପୂର୍ବରୁ ଡିଡି କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଲାଗି ଅନୁମୋଦନ ଦେଇସାରିଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିକୁ ନେଇ କିଏ କେମିତି ପଲିଟିକାଲ ମାଇଲେଜ ନେଇପାରୁଛି, ତାକୁ ନେଇ କେନ୍ଦୁଝରବାସୀ ଦେଖିଲେ ନୂଆ ପଲିଟିକ୍ସର ଆଧାର।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button