ନୂତନ ମୃତିକା ନମୁନା ସଂଗ୍ରହ ଆପ୍ ରେ ସଂଶୋଧନ ଦାବି, କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କୃଷିମନ୍ତ୍ରୀ

Spread the love

ଭୁବନେଶ୍ୱର : ରାଜ୍ୟର ଚାଷୀମାନଙ୍କୁ ଚାଷଜମିର ମୃତିକା ସଂଗ୍ରହ, ପରୀକ୍ଷଣ ଓ ମୃତିକା ସ୍ୱାସ୍ଥ୍ୟକାର୍ଡ ସୁବିଧାରେ ଓ ସମୟ ମୁତାବକ ଯୋଗାଇଦେବା ନିମନ୍ତେ ଭାରତ ସରକାରଙ୍କ ଦ୍ୱାରା ପ୍ରଚଳନ କରାଯାଇଥିବା ନବୀକୃତ ମୃତିକା ସ୍ୱାସ୍ଥ୍ୟକାର୍ଡ ପୋର୍ଟାଲର ମୃତିକା ନମୁନା ସଂଗ୍ରହ ଆପ୍ ରେ ଆବଶ୍ୟକ ସଂଶୋଧନ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହି ମର୍ମରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ପତ୍ରଲେଖି ରାଜ୍ୟର ଚାଷୀମାନଙ୍କ ହିତ ଦୃଷ୍ଟିରୁ ନୂତନ ଆପ୍ ରେ ପୂର୍ବଧାରା ଅନୁସାରେ ଗୋଟିଏ ଗ୍ରୀଡ଼୍ ର ନମୁନାରେ ଏକାଧିକ କୃଷକଙ୍କୁ ପଂଜିକରଣ କରିବାର ସୁବିଧା ଯୋଗାଇଦେବା ପାଇଁ ଅନୁରୋଧ କରିଛନ୍ତି ।

ଚାଷକାର୍ଯ୍ୟ ନିମନ୍ତେ ମୃତିକାର ସ୍ୱାସ୍ଥ୍ୟ ଓ ଗୁଣବତା ବଜାୟ ରଖିବା ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ୨୦୨୨-୨୩ ମସିହାରୁ ରାଜ୍ୟରେ ଗ୍ରୀଡ଼୍ ବ୍ୟବସ୍ଥାରେ ଚାଷୀମାନଙ୍କ କ୍ଷେତରୁ ମୃତିକା ନମୁନା ସଂଗ୍ରହ ଏବଂ ପରୀକ୍ଷଣ କରି ମୃତିକା ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯାଇ ଆସୁଥିଲା । ଏଥି ପାଇଁ ପ୍ରସ୍ତୁତ ଏକ ତିନିବର୍ଷିଆ ଯୋଜନାରେ ରାଜ୍ୟର ପ୍ରାୟ ୧୩ ଲକ୍ଷ ୫୭ ହଜାର ଗ୍ରୀଡ଼୍ ବ୍ୟବସ୍ଥା କରାଯାଇ ଅଧିକରୁ ଅଧିକ ଚାଷୀ ଓ ଚାଷଜମି ଜୋତକୁ ମୃତିକା ସ୍ୱାସ୍ଥ୍ୟକାର୍ଡ ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି । ଉଭୟ ଜଳସେଚିତ ଓ ଅଣଜଳସେଚିତ ଜମି ପାଇଁ ଗ୍ରୀଡ଼୍ ପିଛା ଯଥାକ୍ରମେ ୨.୫ ହେକ୍ଟର ଓ ୧୦ ହେକ୍ଟର ବ୍ୟବସ୍ଥିତ କରାଯାଇ, ସେଥିରୁ ସଂମିଶ୍ରିତ ନମୁନା ମୃତିକା ସଂଗ୍ରହ ଓ ପରୀକ୍ଷଣ କରାଯାଇ ଚାଷୀମାନଙ୍କୁ ମୃତିକା ସ୍ୱାସ୍ଥ୍ୟକାର୍ଡ ଯୋଗାଇଦେବାକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଥିଲା । ଏହି ଗ୍ରୀଡ୍ ବ୍ୟବସ୍ଥାରେ ଗୋଟିଏ ସଂଗୃହୀତ ମାଟି ନମୁନା ମାର୍ଫତରେ ଏକାଧିକ ଚାଷୀଙ୍କ ନାମ ପଞ୍ଜିକରଣ କରିବାର ବ୍ୟବସ୍ଥା ଥିଲା । କିନ୍ତୁ ଗତ ଡିସେମ୍ବର ୨୦୨୨ରେ କେନ୍ଦ୍ର ସରକାର ସେହି ପୋର୍ଟାଲଟିକୁ ବନ୍ଦ କରିଦେଇ ମାର୍ଚ୍ଚ ୨୦୨୩ ମସିହାରେ ଏକ ରୂପାନ୍ତରିତ ପୋର୍ଟାଲର ପ୍ରଚଳନ କଲେ । ନୂତନ ଆପ୍ ରେ ଗୋଟିଏ ଗ୍ରୀଡ୍ ରୁ ସଂଗୃହୀତ ସମ୍ମିଶ୍ରିତ ନମୁନା ମୃତିକା ଅଧିନରେ ଏକାଧିକ ଚାଷୀଙ୍କ ନାମ ପଞ୍ଜିକରଣର ସୁବିଧା ନାହିଁ । ଫଳରେ ମୃତିକା ସ୍ୱାସ୍ଥ୍ୟକାର୍ଡ ପ୍ରସ୍ତୁତ କରି ଚାଷୀମାନଙ୍କୁ ଯୋଗାଇଦେବା ସମ୍ଭବପର ହୋଇପାରୁ ନାହିଁ ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବଙ୍କୁ ୧୧.୦୫.୨୦୨୩ ମସିହାରେ ନୂତନ ପ୍ରଚଳନ କରାଯାଇଥିବା ମୃତିକା ନମୁନା ସଂଗ୍ରହ ଆପ୍ ରେ ଗୋଟିଏ ଗ୍ରୀଡ୍ ମାଟି ନମୁନାରେ ଏକାଧିକ ଚାଷୀଙ୍କୁ ତାଲିକାଭୁକ୍ତ କରିବାର ସୁବିଧା ଯୋଗାଇଦେବା ପାଇଁ ଅନୁରୋଧ କରି ପତ୍ର ଲେଖିଥିଲେ ।

ରାଜ୍ୟରେ ମଇ ମାସରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ମୃତିକା ନମୁନା ସଂଗ୍ରହ ପାଇଁ ସର୍ବୋଚ୍ଚ ସମୟ ଭାବରେ ବିବେଚନା କରାଯାଏ ଏବଂ ମୌସୁମୀର ଆଗମନ ଦ୍ୱାରା ମୃତିକା ନମୁନା ସଂଗ୍ରହ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାରୁ ଏ ଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ପୋର୍ଟାଲ ଓ ମୃତିକା ସଂଗ୍ରହ ଆପ୍ ରେ ଆବଶ୍ୟକ ସଂଶୋଧନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ତୋମାରଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *