ଆନ୍ଧ୍ର-ଓଡ଼ିଶା ସୀମା ବିବାଦ : ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ ଡାକି ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟିର ଚିଠି

Spread the love

ଭୁବନେଶ୍ୱର : କୋରାପୁଟ, ଗଜପତି, ଗଞ୍ଜାମ ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତରେ ଆନ୍ଧ୍ର ସରକାରଙ୍କର ଦାଦାଗିରି ଦିନକୁ ଦିନ ବଢିବାରେ ଲାଗିଛି । ମୁଖ୍ୟ ଶାସନ ସଚିବ ସ୍ତରୀୟ କମିଟି ଗଠନ କରାଯାଇଥିଲେ ମଧ୍ୟ ଆନ୍ଧ୍ରପ୍ରଦେଶର ମନ୍ତ୍ରୀ ଓ ଅଧିକାରୀମାନେ ଆପୋଷ ସମାଧାନକୁ ନ ଆସି ସବୁବେଳେ ଓଡ଼ିଶା ଉପରେ ଲୋଲୁପ ଦୃଷ୍ଟି ପକାଉଛନ୍ତି । ଦୁଇଦିନ ତଳେ ଆନ୍ଧ୍ର ଜିଲ୍ଲାର ଅଧିକାରୀମାନେ ମାଛକୁଣ୍ଡ ଜଳପ୍ରପାତ ନିକଟ ଜଲାପୁଟ ଜଳଭଣ୍ଡାର ନିକଟରେ କୋରାପୁଟ ଜିଲ୍ଲାପାଳଙ୍କ ସୂଚନା ଫଳକକୁ କାଢି ଫୋପାଡି ଦେଇଛନ୍ତି । ଏହାଫଳରେ ସୀମାନ୍ତ ଓଡ଼ିଆ ଲୋକମାନଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଛି । ଏହାକୁ ଏଡ଼ାଇବା ପାଇଁ ଏବଂ ଉଭୟ ରାଜ୍ୟ ମଧ୍ୟରେ ଥିବା ଭାଇଚାରା ଓ ସଦ୍ଭାବନାକୁ ଦୃଷ୍ଟିରେ ରଖି ତୁରନ୍ତ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି । ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟିର ସଭାପତି ରବି ବେହେରା ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ତୁରନ୍ତ ମୁଖ୍ୟ ଶାସନ ସଚିବ ସ୍ତରୀୟ କମିଟିର ବୈଠକ ଡାକିବାକୁ ଅନୁରୋଧ କରିଛନ୍ତି । ଫଳରେ ଏହି ଉଭୟ ରାଜ୍ୟ ଭିତରେ ଥିବା ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ସମ୍ଭବ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଏହାବ୍ୟତୀତ ରାଜ୍ୟର ସାଂସଦମାନେ ଦଳମତ ନିର୍ବିଶେଷରେ ପାର୍ଲାମେଣ୍ଟ ଅଧିବେଶନ ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟି ଉଭୟ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଲାଗି ରହିଥିବା ବିବାଦର ସ୍ଥାୟୀ ସମାଧାନ କରିବାକୁ କେନ୍ଦ୍ରର ହସ୍ତକ୍ଷେପ କରିବାକୁ ସ୍ମାରକପତ୍ର ଦେବାପାଇଁ ସେ ସବୁ ସାଂସଦମାନଙ୍କୁ ଅନୁରୋଧ କରିଛନ୍ତି । ସାଂସଦମାନଙ୍କ ଦୃଷ୍ଟି ଆକର୍ଷଣ କରି ବେହେରା ଏକ ଅନୁରୋଧ ପତ୍ର ସେମାନଙ୍କୁ ଲେଖିବା ସହିତ ଉଭୟ ରାଜ୍ୟ ମଧ୍ୟରେ ଥିବା ଭାଇଚାରା ଓ ସଦ୍ଭାବନା ଦୃଷ୍ଟିରୁ ତୁରନ୍ତ କେନ୍ଦ୍ର ହସ୍ତକ୍ଷେପ କରିବାକୁ ଗୃହମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *