ଏସିଆନ ଆଥଲେଟିକ୍ସରେ ଇତିହାସ ରଚିଲେ ଓଡ଼ିଆ ପୁଅ ଅନିମେଶ କୁଜୁର। ଭାରତୀୟ ଧାବକ ଅନିମେଶ କୁଜୁର ଆଥଲେଟିକ୍ସ ରେ ୨ଶହ ମିଟର ଦୌଡ଼ରେ ରାଷ୍ଟ୍ରୀୟ ରେକର୍ଡ ଭାଙ୍ଗିଲେ। ଦକ୍ଷିଣ କୋରିଆର ଗୁମି ନଗରରେ ଆୟୋଜିତ ୨୬ତମ ଏସିୟନ ଏଥଲେଟିକ୍ସ ଚାମ୍ପିଅନ୍ସିପ୍ରେ କୁଜୁର ପୁରୁଷ ବର୍ଗରେ ୨ଶହ ମିଟର ଫାଇନାଲ୍ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ୨୦.୩୨ ସେକେଣ୍ଡ ସମୟରେ ଦୌଡ଼ି ନୂଆ କୀର୍ତ୍ତି ସ୍ଥାପନ କରିଛନ୍ତି। ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି ଅନିମେଶ। ଏଭଳି କୀର୍ତ୍ତି ରଚିବା ସହ ଭାରତର ମେଡାଲ ତାଲିକାରେ ୧୯ତମ ମେଡାଲ ଯୋଡ଼ିଛନ୍ତି ଅନିମେଶ। ପଦକ ତାଲିକାରେ ଚୀନ ତଳକୁ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ। ଭାରତ ଏଯାଏଁ ୮ଟି ସ୍ୱର୍ଣ୍ଣ ପଦକ, ୭ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ଜିତିଛି। ଜାପାନର ତୋଆ ଉଜାଓ୍ୱା ୨୦.୧୧ ସେକେଣ୍ଡରେ ସ୍ୱର୍ଣ୍ଣ ପଦକ ଓ ସାଉଦି ଆରବର ଅବଦ୍ଦୁଲ ଅଜିଜ୍ ୨୦.୩୧ ସେକେଣ୍ଡରେ ରୌପ୍ୟ ପଦକ ଜିତିଛନ୍ତି। ଅନିମେଶଙ୍କ ଏହି ରେକର୍ଡ ପୂର୍ବରୁ ୨୦୨୨ ରେ ଅମ୍ଲାନ ବୋରଗୋହାଇନ୍ ୨୦.୫୨ ସେକେଣ୍ଡରେ କରିଥିଲେ। ପୂର୍ବରୁ କୋଚିରେ ଆୟୋଜିତ ଫେଡେରେସନ୍ କପ୍ ଆଥଲେଟିକ୍ସ ଚାମ୍ପିଅନ୍ସିପ୍ରେ କୁଜୁର ୨ଶହ ମିଟରରେ ୨୦.୪୦ ସେକେଣ୍ଡରେ ଦୌଡ଼ି ଜାତୀୟ ରେକର୍ଡ ଭାଙ୍ଗିଥିଲେ। ଏହି କାରଣରୁ ସେ ଏସିଆନ ଚାମ୍ପିଅନ୍ସିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ସ୍ପେନରେ ହୋଇଥିବା ଏକ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ସେ ୧୦୦ ମିଟରରେ ତାଙ୍କର ବ୍ୟକ୍ତିଗତ ସର୍ବୋତ୍ତମ ୧୦.୨୭ ସେକେଣ୍ଡ ସମୟରେ ଦୌଡ଼ିଛନ୍ତି। ଏହାସହିତ ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରି-2 ରେ 100ମି. ଓ 200ମି. ଦୌଡ଼ରେ ସେ 10.31 ଓ 20.55 ସେକେଣ୍ଡ ସମୟରେ ପ୍ରଥମ ହୋଇଛନ୍ତି। ରିଲେ ଦଳରେ ବି ରାଷ୍ଚ୍ରୀୟ ରେକର୍ଡ ଅନିମେଶଙ୍କ ନାଁରେ ରହିଛି। ଅନିମେଶ କୁଜୁର, ଅମ୍ଲାନ ବୋରଗୋହାଇନ୍, ଗୁରିନ୍ଦରବିର୍ ସିଂହ ଓ ମଣିକାନ୍ତ ହୋବଳିଧର ସହ ମିଶି 4×100ମି. ରିଲେ ଦଳରେ ଭାରତ ପକ୍ଷରୁ 38.69 ସେକେଣ୍ଡ ସମୟରେ ଏକ ନୂଆ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି। ୨୧ ବର୍ଷୀୟ ଖେଳାଳୀ ଅନିମେଶଙ୍କ ଏହି ନୂଆ କୀର୍ତ୍ତିମାନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି। ୨୦୧୫ରେ ଏସିଆନ ଚାମ୍ପିୟନସିପରେ ଧରମବୀର ସିଂଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଏସିଆନ ଚାମ୍ପିଅନସିପରେ ମେଡାଲ ଜିତିବାର ଗୌରବ ସାଉଁଟିଛନ୍ତି ଅନିମେଶ। ୧୦ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଲେ ଅନିମେଶ।

Naxatra News is now on Whatsapp
Join and get latest news update delivered to you via whatsapp
Join Now