ଶାସନର ବର୍ଷ ପୂର୍ତ୍ତି- କେତେ ସଫଳ କେତେ ବିଫଳ ?

ମୋଦି ସରକାରଙ୍କୁ ତୃତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ହେଲା। ଦୀର୍ଘ ୧୧ ବର୍ଷ ଧରି ମୋଦିଙ୍କ ନେତୃତ୍ୱାଧୀନ ସରକାରକୁ ପଲିଟିକାଲ ପରଫର୍ମାନ୍ସ, ଜବାବଦେହୀ ସରକାର, ପଲିଟିକ୍ସ ଅଫ ରିପୋର୍ଟ କାର୍ଡ ବୋଲି ଦର୍ଶାଇଛି ବିଜେପି। ପ୍ରଧାନମନ୍ତ୍ରୀ ମୋଦି ସବୁ ସମସ୍ୟାକୁ ସାମ୍ନାରେ ହିଁ ମୁକାବିଲା କରିଛନ୍ତି। ବିଜେପିର ଗରିବ କଲ୍ୟାଣ କେବଳ ଏକ ନାରା ନଥିଲା। ୭୦ ବର୍ଷ ଧରି କଂଗ୍ରେସ ଭଳି ଗରିବୀ ଦୂର କରିବା ନାରାକୁ ନେଇ ଚାଲିନଥିଲା ମୋଦି ସରକାର। ବରଂ ବାସ୍ତବରେ ଗରିବୀ ଦୂର ହୋଇଛି। ଭବିଷ୍ୟତ ଦୂରଦୃଷ୍ଟିକୁ ଦେଖି ମୋଦି ସରକାର ବିକଶିତ ଭାରତର ଭିତ୍ତିଭୂମି କରିଛନ୍ତି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସେବା, ସୁଶାସନ ଓ ଗରିବ କଲ୍ୟାଣ କଥା କହୁଥିବା ବିଜେପି ସରକାରକୁ ସମାଲୋଚନା କରିଛି କଂଗ୍ରେସ। ବିଜେପିର ୧୫୦ ପୃଷ୍ଠାର ପୁସ୍ତିକାରେ ଦର୍ଶାଯାଇଥିବା ଏଭଳି ବାସ୍ତବତାକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ। ଗରିବ, ପଛୁଆ ବର୍ଗଙ୍କ ବିକାଶ ଲାଗି ସରକାର କିଛି କରିନାହାନ୍ତି। ନାରୀ ସଶକ୍ତିକରଣ କେବଳ ଭେଳିକି। ଗଲା ୧୧ ବର୍ଷ ଭିତରେ ୯୦୬ ସ୍କିମ୍ ଘୋଷଣା ହୋଇଛି। ଏଥିରୁ ୭୧ ପ୍ରତିଶତ ସ୍କିମ୍ ଫେଲ୍ ହୋଇଛି। କେବଳ ଗୋଲାପୀ ଚିତ୍ର ଅଙ୍କାଯାଇଛି। ନୋ ଡାଟା ଭଳି ମୋଦି ସରକାରଙ୍କ ଅସଲ ଚିତ୍ର ଅଟେ ନୋ ଡାଟା ସଦୃଶ। ମୋଦି ସରକାର ପ୍ରଚାରସର୍ବସ୍ୱ ସରକାରରେ ପରିଣତ ହୋଇଛି। ନା ସମର୍ପଣ ନା ସୁଶାସନ। ନା ସମଭାବାପନ୍ନ  ନା ଶିଷ୍ଟାଚାର। ନା ନୀତି ଅଛି ନିୟତ ବୋଲି କଟାକ୍ଷ କରିଛନ୍ତି କଂଗ୍ରେସ ମୁଖପାତ୍ର ମହିମା ସିଂ। ଆଜିର ଦିନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଦିଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ମୋଦି ଭାରତ ଶାସନର ମଙ୍ଗ ତୃତୀୟ ଥର ପାଇଁ ଧରିଥିଲେ। ସେପଟେ ଆଉ ଦିନ ୩ଟା ପରେ ଅର୍ଥାତ୍ ଜୁନ୍ ୧୨ରେ ଓଡ଼ିଶାରେ ପ୍ରଥମ ଥର ଏକାକୀ ଶାସନ କ୍ଷମତାରେ ବସିଥିବା ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାରର ଶପଥ ସମାରୋହକୁ ବର୍ଷେ ପୁରିବ। ଓଡ଼ିଶାରେ ବିଜେପି ସରକାରର ବର୍ଷ ପୂର୍ତ୍ତି ପାଳନ ନେଇ ବିଜେପି ମୁଖ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଥିଲା ବିଧାୟକଙ୍କ ବୈଠକ। ବର୍ଷେ ଭିତରେ ସରକାରଙ୍କ ସଫଳତାକୁ ନେଇ ଘରେ ଘରେ ପହଞ୍ଚାଇବାକୁ ନିଷ୍ପତ୍ତି ହୋଇଛି।  ଲୋକସେବା ଭବନରେ ବି ସରକାରଙ୍କ ବର୍ଷେ ପୂର୍ତ୍ତି ଉପଲକ୍ଷେ ସାଂସଦ ଓ ବିଧାୟକଙ୍କ ସହ ବିଶେଷ ଅଧିବେଶନ ହୋଇଥିଲା। ଏହାର ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ। ବିଜେଡି କହିଛି, ବିଜେପି ସରକାରକୁ ଆସିବା ମାତ୍ରେ ଦୁର୍ନୀତି ବଢ଼ିଚାଲିଛି। ସରକାରୀ ଅଧିକାରୀମାନେ ଲାଞ୍ଚ କାରବାରରେ ବ୍ୟସ୍ତ। କେବଳ ନା ଓ ରଙ୍ଗ ବଦଳାଇବାରେ ବ୍ୟସ୍ତ ସରକାର। ଲୋକେ ଅପେକ୍ଷା କରିଛନ୍ତି, କେବେ ନିର୍ବାଚନ ହେବ। ଆଉ ଏମାନଙ୍କୁ ପାନେ ଚଖାଇବେ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ କୁମାର ସାହୁ। ବିଜେପି ସରକାର ସଫଳତା ନେଇ ଲୋକଙ୍କୁ ପାଖକୁ ଗଲେ ବିଫଳତାର ଲମ୍ୱା ଚିଠା ଥୋଇବ ବିଜେଡି ବୋଲି କହିଛନ୍ତି ପ୍ରତାପ ଜେନା। କଂଗ୍ରେସ କହିଛି, ଡବଲ ଇଞ୍ଜିନ ସରକାର ସବୁଥିରେ ଫେଲ୍। କେନ୍ଦ୍ରରେ ମୋଦି ସରକାର ଓଡ଼ିଶାକୁ କ୍ରମାଗତ ଅବହେଳା କରିଚାଲିଛନ୍ତି। ଓଡ଼ିଶା ସରକାର ବି ମୁକଦ୍ରଷ୍ଟା ସାଜିଛନ୍ତି ବୋଲି ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ।କେନ୍ଦ୍ରରେ ମୋଦି ସରକାରଙ୍କ ତୃତୀୟ ପାଳିର ଆଜି ପ୍ରଥମ ବର୍ଷ ପୂର୍ତ୍ତି ହେଲା। ସେପଟେ ଜୁନ୍ ୧୨ରେ ଓଡ଼ିଶାରେ ମୋହନ ସରକାରଙ୍କୁ ବର୍ଷେ ପୁରିବ। ଏତିକିବେଳେ ସୁଶାସନ, ଉତ୍ତରଦାୟିତ୍ୱ ଓ ବିକାଶକୁ ନେଇ ବିରୋଧୀ ବାସ୍ତବତାକୁ ଅଙ୍ଗୁଳି ଉଠାଇଲେଣି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *