ଓଡ଼ିଶାଯାଜପୁର

ଯାଜପୁର ରୋଡ଼-ଧାମରା ରେଳପଥକୁ ମଞ୍ଜୁରୀ ଦିଅ

କୋରେଇ : ରେଳ ବିଭାଗ ପକ୍ଷରୁ ଓଡିଶାରେ ବରଗଡ଼ ରୋଡ-ନୂଆପଡା ଭାୟା- ପଦ୍ମପୁର ଓ ଅନୁଗୁଳ-ତାଳଚେର ରେଳପଥ ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଥିବାରୁ ଯାଜପୁର ରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ସ୍ୱାଗତ କରାଯାଇଛି । ମାତ୍ର ଦୁର୍ଭାଗ୍ୟଜନକଭାବେ ୯୫.୯୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଯାଜପୁରରୋଡ-ଧାମରା ଭାୟା ଯାଜପୁର ଓ ଆରଡି ରେଳପଥକୁ ମଞ୍ଜୁରୀ ପ୍ରଦାନ କରିବାକୁ ରେଳ ମନ୍ତ୍ରଣାଳୟ ଅସ୍ୱୀକାର କରିଛନ୍ତି । ଏହି ରେଳପଥ ନିର୍ମାଣ କରାଗଲେ ୨୭.୪୩ ଶତାଂଶ ଲାଭ ଉପାର୍ଜନର ସମ୍ଭାବନା ଅଛି ବୋଲି ଆକଳନ କରାଯାଇଥିଲେ ମଧ୍ୟ ରେଳ ମନ୍ତ୍ରଣାଳୟ ସମସ୍ତ ପ୍ରକାରର ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଯୁକ୍ତିଯୁକ୍ତତା ପ୍ରତି ଆଖିବୁଜି ଦେବାକୁ କିପରି ଉଚିତ ମନେ କରୁଛି, ତାହା ହିଁ ବିସ୍ମୟର ବିଷୟ ପାଲଟିଛି । ଏହି ରେଳପଥ ନିର୍ମାଣ କରାଗଲେ ଯାଜପୁର ଜିଲ୍ଲାର ସଦର ମହକୁମା ସହ ରେଳ ସଂଯୋଗ ପ୍ରତିଷ୍ଠା ହୋଇପାରିବ । ଯାଜପୁରର ବିରଜା କ୍ଷେତ୍ର, ଶୈବପୀଠ ଆରଡି, ଧାମରାର ଧାମରାଇ ମନ୍ଦିର, ବ୍ୟାସ ସରୋବର ପରି ଧର୍ମପୀଠ ଏବଂ ଭିତର କନିକାର କୁମ୍ଭୀର ଅଭୟାରଣ୍ୟକୁ କେନ୍ଦ୍ର କରି ପର୍ଯ୍ୟଟନ ଶିଳ୍ପର ବିକାଶ ଘଟିବ । ସୁକିନ୍ଦା, କେଉଁଝର ଓ ତାଳଚେରର ଖଣିଜ ସଂପଦ ଏବଂ କଳିଙ୍ଗନଗର ଓ ନାଲକୋର ଶିଳ୍ପଜାତ ଦ୍ରବ୍ୟର ପରିବହନ ସୁଗମ ହୋଇପାରିବ । ବୈତରଣୀ, ସାଳନ୍ଦୀ ଓ ଖରସ୍ରୋତା ଅବବାହିକାର ଚାଷୀ ଓ ମତ୍ସ୍ୟଜୀବୀମାନେ କୃଷିଜାତ ଦ୍ରବ୍ୟ ଓ ମତ୍ସ୍ୟ ସଂପଦର ପରିବହନ ଯୋଗୁ ଉପକୃତ ହେବେ । ଶିଳ୍ପ ଓ ବନ୍ଦରକୁ କେନ୍ଦ୍ର କରି ଅର୍ଥନୈତିକ କାର୍ଯ୍ୟକଳାପ ସଂପ୍ରସାରତି ହେବା ସହ ଡି.ଆର.ଡି.ଓ.ର ପ୍ରତିରକ୍ଷା ଗବେଷଣା କାର୍ଯ୍ୟକ୍ରମ ଅଗ୍ରାଧିକାର ଭିତିରେ ତ୍ୱରାନ୍ୱିତ ହୋଇପାରବ ।୬୫ କିଲୋମିଟରରୁ ଉର୍ଦ୍ଧ୍ୱ ରେଳପଥ ଉପରେ ରେଳବାଇ ହରାଉଥିବା ରାଜସ୍ୱ ସଂଚୟ ହୋଇପାରିବ । ଏହା ପ୍ରତ୍ୟେକ୍ଷ ଓ ପରୋକ୍ଷଭାବେ କର୍ମନିଯୁକ୍ତିର ସୁଯୋଗକୁ ସଂପ୍ରସାରିତ କରିବ ।

ପୂର୍ବତଟ ରେଳପଥ ସମେତ ଦକ୍ଷିଣ-ପୂର୍ବ ରେଳପଥରେ ଥିବା କେଉଁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରୁ ବାର୍ଷିକ ଏକ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ରାଜସ୍ୱ ସଂଗ୍ରହ କରୁଥିବା ରେଳବାଇ ଓଡ଼ିଶାରେ ରେଳପଥର ବିକାଶ ପାଇଁ କାହିଁକି କୁଣ୍ଠା ପ୍ରକାଶ କରୁଛି, ତାହା ଏକ ବିରାଟ ପ୍ରଶ୍ନ ହୋଇ ଠିଆ ହୋଇଛି । ସାରା ଦେଶରେ ପ୍ରତି ଏକ ହଜାର ବର୍ଗ କିଲୋମିଟର ଅଂଚଳରେ ୨୧ କିଲୋମିଟର ରେଳପଥ ଥିଲାବେଳେ ଓଡ଼ିଶାରେ ରହିଛି ମାତ୍ର ୧୮ କିଲୋମିଟର । ଭାରତର ରେଳ ମାନଚିତ୍ରରେ ଓଡ଼ିଶାର ଏହି ଅନଗ୍ରସରତାର ପ୍ରତିକାର କରିବା କ’ଣ ରେଳମନ୍ତ୍ରୀଙ୍କ କର୍ତବ୍ୟ ନୁହେଁ କି ବୋଲି ଯାଜପୁର ରୋଡ-ଧାମରା ରେଳପଥ ସଂଗ୍ରାମ ସମିତିର ଆବାହକ ଶ୍ରୀ ସନ୍ତୋଷ ଦାସ ପ୍ରଶ୍ନ କରିଛନ୍ତି । ମାତ୍ର ୧୦୪୨ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଯାଜପୁରରୋଡ-ଧାମରା ରେଳପଥକୁ ତୁରନ୍ତ ମଞ୍ଜୁରୀ ପ୍ରଦାନ କରିବାକୁ ଶ୍ରୀ ଦାସ ଦାବି କରିଛନ୍ତି ।

Leave a Reply

Your email address will not be published.

Back to top button