କିସମ ଯଦି ଘରବାରି। ତେଣିକି ଜମି ଖୋଜୁଥିବା ଲୋକେ ସହଜେ ବା କାହିଁକି ହାତଛଡ଼ା କରନ୍ତେ। ଏହା ସ୍ୱାଭାବିକ କଥା। ବାସ୍ ଏମିତି ମଉକା ଆସିବା ଦେଖି ତୁରନ୍ତ ଦର ଛିଡ଼ାଇ ଜମି କିଣିବାକୁ ବାହାରି ପଡ଼ିଥିଲେ ଚନ୍ଦକାର ଦୁଇ ଭାଇ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ବିପ୍ଳବ ସାମନ୍ତରାୟ। ଭୁବନେଶ୍ୱରରେ ଜମି ଖଣ୍ଡେ କିଣିବାକୁ ଦୀର୍ଘ ଦିନ ହେଲା ଘରବାରି କିସମର ଜମି ଖୋଜୁଥିଲେ। ଶେଷରେ କୁଜିମହଲରେ ନିଜର ୧୨୦ ଡିସିମିଲ୍ ଜାଗା ବିକିବାକୁ ଦେବେଶ ଦତ୍ତ ଲୋକ ଖୋଜୁଛନ୍ତି ବୋଲି ଜାଣିବାକୁ ପାଇଥିଲେ। ଦେବେଶ ଦତ୍ତଙ୍କର ବି ଟଙ୍କା ଜରୁରୀ ଥିଲା। ଗୋଟିଏ ପଟେ ଏମ୍ସରେ ପତ୍ନୀଙ୍କ ଚିକିତ୍ସା ସାଙ୍ଗକୁ ଅନ୍ୟପଟେ ପିଲାଙ୍କ ଆଡମିଶନ ଲାଗି ନିହାତି ଟଙ୍କା ଆବଶ୍ୟକତା ଥିଲା। ଗୋଟିଏ ପଟେ ଦେବେଶ ତୁରନ୍ତ କ୍ରେତା ଯୋଗାଡ଼ କରି ଜମିକୁ ବିକ୍ରି କରି ପାଇବା ଟଙ୍କାରେ ପତ୍ନୀଙ୍କ ଜରୁରୀକାଳୀନ ଚିକିତ୍ସା ଭାର ବହନ କରିବା ଚିନ୍ତାରେ ଥିଲେ। ଆଉ ଯୋଗକୁ ଚନ୍ଦକାର ପବିତ୍ର ମୋହନ ସାମନ୍ତରାୟଙ୍କ ଦୁଇ ପୁଅ ଆବଶ୍ୟକୀୟ କାଗଜପତ୍ର ଦେଖି ଆଉ ଘରବାରି କିସମର ଜମି ଦେଖି ପଞ୍ଜୀକରଣ ଲାଗି ରାଜି ହୋଇଯାଇଥିଲେ। ଜୁଲାଇ ୩୦ରେ ଖଣ୍ଡଗିରି ସବ-ରେଜିଷ୍ଟ୍ରାର ଅଫିସରେ ଜମି ବି ପଞ୍ଜୀକରଣ ହୋଇଗଲା। ରେକର୍ଡରେ ଯଦି କିଛି ଭୁଲ ବାହାରେ, ଅନ୍ତତଃ ସବ-ରେଜିଷ୍ଟ୍ରାର ଅଫିସରେ ଜଣାପଡ଼ିବ ବୋଲି ନିଶ୍ଚିତରେ ଥିଲେ କ୍ରେତା। ବିକ୍ରେତା ଦେବେଶ ଦତ୍ତ ବି ବେଫିକର ଥିଲେ। କାରଣ ଯେଉଁ ଜମିକୁ ସେ ବିକୁଛନ୍ତି, ତାହାର କିସମ ସେ ଘରବାରି କରିସାରିଛନ୍ତି। ଏଇଠି ହିଁ କେଁ ରହିଥିଲା। ଯାହାକୁ ମାତ୍ର କେଇଟା ମୂହୂର୍ତ୍ତରେ ଧରିପାରିଥାଆନ୍ତେ ସବ-ରେଜିଷ୍ଟ୍ରାର ଅର୍ଚ୍ଚନା ଗୌଡ଼। କେବଳ ଭୂଲେଖ ଓ୍ୱେବସାଇଟରେ ଦେଖିଦେବାର ଥିଲା, ବାସ୍ତବରେ ଜମିର କିସମ କଅଣ ଅଛି। ୩୭୮ ନମ୍ୱର ପ୍ଲଟର କିସମ ତ ଏବେ ବି ଗୋଚର ଅଛି। ତାହେଲେ କେଉଁ ଭିତ୍ତିରେ ମୂଳ ଖାତା ନମ୍ୱର ୩୨୪ରେ ଥିବା ୩୭୮ ପ୍ଲଟର ବାଇ-ପ୍ଲଟ ଘରବାରି ହୋଇଗଲା। ଏହି ପ୍ଲଟର କିସମ ଯଦି ଗୋଚର, ଲିଜ୍ ଦେବା ଆଗରୁ ଏହାକୁ ଜିଲ୍ଲାପାଳଙ୍କ ପାଖରେ ଡି-ରିଜର୍ଭେସନ ହୋଇଛି କି ନାହିଁ। ଏହାର ତଦାରଖ ଦାୟିତ୍ୱ କାହାର ଥିଲା। ଘରବାରି କେମିତି ହୋଇଗଲା, ଏତକ ବି ଅନୁଧ୍ୟାନ କରିପାରିଲେନି ଅର୍ଚ୍ଚନା। ସେଥିଲାଗି ତ କୁଜିମହଲରେ କରିଥିବା ଭୁଲ୍ ଲାଗି କାଶୀପୁର ମୌଜାର ମନ୍ଦିର ଜମିର ସତ୍ତ୍ୱକୁ ପଟ୍ଟାରେ କାରସାଦି କରି ଘରବାରି କରି କିଣାବିକା ବେଳେ ଭୁଲ୍ କରିବସିଥିଲେ ଅର୍ଚ୍ଚନା। ଜୁଲାଇ ୩୦ରେ କୁଜିମହଲ ମୌଜାର ଏହି ୧୨୦ ଡିସିମିଲ ଜମି ରେଜିଷ୍ଟ୍ରେସନ ହୋଇଥିଲା ବେଳେ ଅଗଷ୍ଟ ୧ରେ କାଶୀପୁର ମୌଜାର ୬୪୦ ଡିସିମିଲ ମନ୍ଦିର ଜମିକୁ ୮ଜଣ କିଣିନେବାର ଦଲିଲ୍ ଉପରେ ମୋହର ମାରିଦେଇଥିଲେ ଅର୍ଚ୍ଚନା। କଥା ପଡ଼ିଛି। କାଶୀପୁର ମୌଜାରେ ସିନା ବିକ୍ରେତା ଜାଣିଶୁଣି ପଟ୍ଟାରେ ଜାଲିଆତି କରି ୮ଜଣଙ୍କୁ ବିକିଥିଲେ। ସେଠାରେ ବି ଭୂଲେଖ ଚେକ୍ କଲେନି ଅର୍ଚ୍ଚନା। ନକ୍ଷତ୍ର ନ୍ୟୁଜରେ ଖବର ପ୍ରସାରଣ ପରେ ଦମ୍ପତ୍ତି ବନ୍ଧା ହୋଇଥିଲେ। ସବ-ରେଜିଷ୍ଟ୍ରାର ଅର୍ଚ୍ଚନା ଗୌଡ଼ ବି ବଡ଼ଗଡ଼ ଥାନାରେ ଏତଲା ଦେଇଥିଲେ। କିନ୍ତୁ ନିଜ ଉପରୁ ଦାୟିତ୍ୱ ଖସାଇଦେବାକୁ ସବୁ ଫନ୍ଦି କରିଥିଲେ ସୁଦ୍ଧା ଆଇଜିଆରଙ୍କ ନଜରରୁ ବାଦ୍ ପଡ଼ିନଥିଲେ। ଆଉ ଅର୍ଚ୍ଚନାଙ୍କୁ ସୋକଜ୍ ନୋଟିସ ଜାରି ହୋଇଥିଲା। ଏ କ୍ଷେତ୍ରରେ ଗୋଚର, ଲିଜ୍ ଜମି ଓ ପୁଣି ଘରବାରିକୁ କିସମ ପରିବର୍ତ୍ତନ। ଏତେ କଥା ହୋଇଗଲା। ତହସିଲ କ୍ଷେତ୍ରରେ ତୃଟି ନା ଆଉ କେଉଁଠି ଚଞ୍ଚକତା କରାଯାଇଛି। ସେ କଥା ବିଲକୁଲ କେମିତି ମୁଣ୍ଡରେ ପୁରାଇଲେନି ଅର୍ଚ୍ଚନା ଗୌଡ଼। କୁଜିମହଲ ମୌଜାରେ ୧୨୦ ଡିସିମିଲ ଜମି କିଣାବିକା ବେଳେ ହୁଏତ କ୍ରେତା ଓ ବିକ୍ରେତା ଅସଲ ଆଇନଗତ ଦିଗକୁ ଜାଣି ନଥାଇପାରନ୍ତି। ମୂଳ ରେକର୍ଡ ଯାଞ୍ଚ ଲାଗି ବୁଦ୍ଧି ପଶିନଥିବ। ହେଲେ ସବ-ରେଜିଷ୍ଟ୍ରାର ଚୌକିରେ ବସିଥିବା ଅର୍ଚ୍ଚନା ଗୌଡ଼ ତ ଏ ବାବଦରେ କଦାପି ଅଜ୍ଞ ନ ଥିବେ। ସବୁ କଥାକୁ ଟିକିନିଖି ଦେଖିବା, ତର୍ଜମା କରିବା। କୌଣସି ସନ୍ଦେହ ହେଲେ ଉପରିସ୍ଥ ଅଧିକାରୀଙ୍କ ପାଖରୁ କ୍ଲାରିଫିକେସନ ମାଗନ୍ତି। କିନ୍ତୁ ଏ କ୍ଷେତ୍ରରେ କାହିଁକି ଚୁପ୍ ରହିଲେ। ନିଜର ଦାୟିତ୍ୱ ପ୍ରତି ସଚେତନ ନଥିବା ସବ-ରେଜିଷ୍ଟ୍ରାର ଅନ୍ୟମାନଙ୍କ ଜାଲିଆତି ଧରିବେ କେମିତି। ସେ ଇଛାକୃତ ହୋଇଥାଉ ବା କେହି ଅଜାଣତରେ ଭୁଲ୍ କରିଥାଉ। ଥରେ ଦଲିଲରେ ମୋହର ମାରିଦେଲେ କଥା ସରିଲା ନ୍ୟାୟରେ ଏବେ ଘାଣ୍ଟି ହେଉଛନ୍ତି ଉଭୟ କ୍ରେତା ଓ ବିକ୍ରେତା। ପଞ୍ଜୀକରଣ ବେଳେ ଯଦି ଭୁଲଭଟକା ଧରିଥାଆନ୍ତେ ଅର୍ଚ୍ଚନା, ତା ହେଲେ ହୁଏତ ଏତେ ବାଟକୁ କଥା ଯାଇଥାଆନ୍ତା କି। ଯିଏ ବିକିଛି ଓ ଯିଏ କିଣିଛି, ଏବେ ସେମାନେ ମାନସିକ ଓ ଆର୍ଥିକ ଚାପରେ ଅନ୍ତତଃ ନଥାଆନ୍ତେ। କଥା ପଡ଼ିଛି। ଜମି ପଞ୍ଜୀକରଣ ବେଳେ ବିକ୍ରେତା ରହିବା ଶତପ୍ରତିଶତ ବାଧ୍ୟତାମୂଳକ। କ୍ରେତା ରହିଲେ ଚଳିବ ନଚେତ ନୁହେଁ। କିନ୍ତୁ ସବ-ରେଜିଷ୍ଟ୍ରାର ଅଫିସ ଉପରେ ବିଶ୍ୱାସ ରଖିଥିବା କ୍ରେତାଟିଏ ଏମିତି ପରିସ୍ଥିତିରେ କରିବ କଅଣ। ଯଦି ଖୋଦ୍ ସବ-ରେଜିଷ୍ଟ୍ରାର ହିଁ ଏଭଳି ତୃଟିବିଚ୍ୟୁତିକୁ ଧରିପାରୁନାହାନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now