ଭୁବନେଶ୍ବର: ରାତି ପାହିଲେ ଧାମନଗର ଉପନିର୍ବାଚନ। ଧାମନଗରର ବିକାଶର ମନ୍ତ୍ରକୁ ପାଥେୟ କରି ପ୍ରାର୍ଥୀ ଓ ଦଳ ପ୍ରଚାରରେ ମୁଖ୍ୟ ଏଜେଣ୍ଡା କରିଥିଲେ। ତେବେ ବିକାଶର ବାର୍ତ୍ତା ଆଳରେ ଭୋଟରଙ୍କୁ ମୁଖ୍ୟମନ୍ତ୍ରୀ ଭୂଆଁ ବୁଲାଉଥିବାର ଆରୋପ ଲଦିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ କଂଗ୍ରେସ ପରିବର୍ତ୍ତନର ସ୍ୱରର ଶୁଭାରମ୍ଭ ଏଇଠୁ କରିବ ବୋଲି ଆଶା ବାନ୍ଧିଥିଲା ବେଳେ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ ଉପରେ ସମସ୍ତଙ୍କ ନଜର।
ଧାମନଗର ପାଇଁ ସରିଛି ଘମାଘୋଟ ପ୍ରଚାର। ତିନି ପ୍ରମୁଖ ଦଳର ହାଇଭୋଲଟେଜ ପ୍ରଚାରରେ କମ୍ପିଥିଲା ଧାମନଗର। ଆଉ ତା ସହ ଆରୋପ ପ୍ରତ୍ୟାରୋପକୁ ନେଇ ଯେତିକି ପ୍ରଚାର ମୈଦାନ ଜମିଥିଲା, ସେହି ଅନୁପାତରେ ଟଙ୍କା ବଣ୍ଟାକୁ ନେଇ ଥରହର ହୋଇଥିଲା। ଧାମନଗରର ବିକାଶ ତାଙ୍କର ଦାୟିତ୍ୱ ବୋଲି କଥା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ୧୮ ମାସରେ ୫ ବର୍ଷର ବିକାଶ ହେବ ବୋଲି ପ୍ରତିଶୃତି ଦେଇଛନ୍ତି। କିନ୍ତୁ ଶେଷ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ କେବଳ ଟାର୍ଗେଟ କରିନଥିଲେ, ବରଂ କିଭଳି ଭଦ୍ରକ ଓ ଧାମନଗରରେ ଶାସକ ଦଳ ବିକାଶରେ ପ୍ରତିବନ୍ଧକ ସାଜିଛି, ସେ କଥାର ବି ଅବତାରଣା କରିଥିଲେ।
ମୁଖ୍ୟମନ୍ତ୍ରୀ କାହିଁକି ପ୍ରଲୋଭନ ଦେଖାଉଛନ୍ତି କହି ଗର୍ଜିବା ସହ ଅର୍ଚ୍ଚନା ନାଗ ଫାଶରେ ସମସ୍ତେ ପଡ଼ିଛନ୍ତି। ବଡ଼ ଏଜେନ୍ସି ଏହାର ତଦନ୍ତ କରୁଛି ଆଉ ଖୁବ୍ ଶୀଘ୍ର ସମସ୍ତେ ଧରାପଡ଼ିବେ ବୋଲି ସଙ୍କେତ ଦେଇଛନ୍ତି। ପୋଲ୍ ପୂର୍ବରୁ ତଦନ୍ତକାରୀ ଏଜେନ୍ସିର ଭୟ, ଟଙ୍କା ବଣ୍ଟାକୁ ନେଇ ହଇଚଇ ସୃଷ୍ଟି ହେବା ପରେ ଅନ୍ଧାରୀବିଜେକୁ ନେଇ ସେତିକି ସରଗରମ ଚର୍ଚ୍ଚା ପୁରା ଧାମନଗରରେ। ଧାମନଗରରୁ ଧର୍ମେନ୍ଦ୍ରଙ୍କ ଧମକ ବିଜେପିର ହତାଶଭାବର ପରିଚୟ ଦେଇଛି ବୋଲି କହିଛି ବିଜେଡି। ନିର୍ବାଚନ ବେଳେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିର ଭୟ ବିଜେଡିକୁ ଦେଖାନ୍ତୁନି।
କାହାକୁ ଅଡ଼ୁଆ ହେବ, ତଦନ୍ତ ପରେ ଜଣାପଡ଼ିବ। ଆଉ ବିଜେପି ବି ଏହାର କାଉଣ୍ଟର କରିବାକୁ ପଛାଇନି। ଡାଏରୀ ଖୋଲିବ ଆଉ ଇଡି ବି ତଦନ୍ତ ଆରମ୍ଭ କଲାଣି। ଓଡିଶାବାସୀଙ୍କ ସେବା ବଦଳରେ ଅର୍ଚ୍ଚନାର ସେବା କରୁଛନ୍ତି ରାଜ୍ୟ ସରକାର। ଆଉ କଂଗ୍ରେସ କହିଛି, ରାଜନୈତିକ ତଥା ମନ୍ଦ ଉଦ୍ଦେଶ୍ୟରେ ଇଡିକୁ ବ୍ୟବହାର କରାନଯାଉ। ଦଳମତ ନିର୍ବିଶେଷରେ ଯେଉଁମାନେ ଅର୍ଚ୍ଚନା ନାଗଫାଶରେ ପଡ଼ିଛନ୍ତି, ସମସ୍ତଙ୍କ ମୁଖା ଖୋଲୁ। ଅର୍ଥବଳ ଓ ବାହୁବଳରେ ପ୍ରତିଦ୍ୱନ୍ଦିତା କରିପାରିବନି ବୋଲି କହି ଧାମନଗରରେ ବିକାଶର କଥା କହି ଜନମତକୁ ନିଜ ଆଡ଼କୁ ଟାଣିବାକୁ ଆରମ୍ଭରୁ କହି ବୁଲୁଛି କଂଗ୍ରେସ।
ଧାମନଗରର ସ୍ୱାଭିମାନ, ସମ୍ମାନ ଓ ବିକାଶର କଥା କହି ଭୋଟ ମାଗିଛନ୍ତି ସଭିଏଁ। ଗୁରୁବାର ଧାମନଗର ପାଇଁ ପଡ଼ିବ ଭୋଟ୍। ଏଥିଲାଗି ପୁଲିଂ ପାର୍ଟି ପହଞ୍ଚିସାରିଛନ୍ତି ନିଜ ଗନ୍ତବ୍ୟ ସ୍ଥଳରେ। ହେଲେ ପୋଲ୍ ପୂର୍ବରୁ ଯେଭଳି ପ୍ରଚାର ବେଳେ ଆରୋପ ପ୍ରତ୍ୟାରୋପ ରାଜନୀତି ପୁରା କବଳିତ କରି ରଖିଥିଲା ଧାମନଗରକୁ, ସେ ଚର୍ଚ୍ଚା ପତିଆରା ରାଜନୀତିକୁ ପ୍ରତିଫଳିତ କରୁଥିଲା। ଆଉ ସର୍ବୋପରି କହିବାକୁ ଗଲେ ଅର୍ଚ୍ଚନା ଏପିସୋଡ୍ ବି ଧାମନଗର ଉପନିର୍ବାଚନରେ ଏକ ପ୍ରମୁଖ ମୁଦ୍ଦା ଭାବେ ଉଭା ହୋଇଥିଲା।
ନବକିଶୋର ସାହୁଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now