ନବୀନ ସରକାର ଅମଳରେ ଅତ୍ୟନ୍ତ ସମ୍ୱେଦନଶୀଳ ମାମଲା ଗୁଡ଼ିକର ପରିଚାଳନା କେହି ନ ପାରିଲେ, ଜଣେ ପାରିବ ବୋଲି ଧାରଣା ସୃଷ୍ଟି କରାଯାଇଥିଲା। ସେ ଥିଲେ ଆଇପିଏସ ଅରୁଣ ବୋଥ୍ରା। ପରୀ ମୃତ୍ୟୁ ମାମଲା ହେଉ ଅବା ହାଇପ୍ରୋଫାଇଲ୍ ନବ ଦାସ ହତ୍ୟାକାଣ୍ଡ ମାମଲା। ସବୁ କାମରେ ଅରୁଣଙ୍କୁ ଖୋଜା ପଡ଼ିଥିଲା। କାରଣ ଗୃହ ବିଭାଗ ଥିଲା ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୌଣସି ମାମଲାରେ ବିରୋଧୀ ଘେରିବା କି କୌଣସି ମାମଲାକୁ ନେଇ ତୁମ୍ୱିତୋଫାନ ବେଳେ ଏହାକୁ ମୁକାବିଲା ଲାଗି ତଦନ୍ତର ଭାର କ୍ରାଇମବ୍ରାଞ୍ଚକୁ ଦିଆଗଲା କହି ଧାଡ଼ିକିଆ ନିର୍ଦେଶ ଦେଇ ଥମାଇବାକୁ ଚେଷ୍ଟା କରୁଥିଲେ ନବୀନ। ଆଉ ତଦନ୍ତର ଭାର ପଡୁଥିଲା ଅରୁଣଙ୍କ କାନ୍ଧରେ। ଏମିତିକି ବୋଥ୍ରାଙ୍କ ତଦନ୍ତର ଶୈଳୀ ନିଆରା। ସେଥିଲାଗି ସରକାରର ଗେହ୍ଲାପୁଅ ସାଜିଥିଲେ ଅରୁଣ। ଅରୁଣଙ୍କ ଅତୀତ ସରକାର ପ୍ରତି ଅହେତୁକ ଆନୁଗତ୍ୟ ଏବେ ଅଡ଼ୁଆ କଲାଣି। କାରଣ ସେତେବେଳେ ବିରୋଧୀ ଦଳରେ ବସିଥିବା ବିଜେପି ସଭ୍ୟମାନଙ୍କର ମୁଖ୍ୟ ଟାର୍ଗେଟ ଥିଲେ ଯେମିତି ବୋଥ୍ରା। ତୃତୀୟ ମହଲାର ପାଖ ହେବାକୁ କିଏ କେତେ କସରତ କରୁଥିଲା। ତା ସତ୍ତ୍ୱେ ଅନେକ ବରିଷ୍ଠ ଆଇପିଏସ ବି ବୋଥ୍ରାଙ୍କ ଆଗରେ ମଳିନ ପଡ଼ିଯାଉଥିଲେ। କାରଣ ଗଣମାଧ୍ୟମରେ ପୁରା ଛାଇ ଯାଉଥିଲେ ବୋଥ୍ରା। ସବୁ କ୍ରେଡିଟ୍ ଗୋଟାଇ ନେଉଥିଲେ। ନବୀନ ସରକାର ଅମଳରେ ବ୍ୟୁରୋକ୍ରାଟିକ୍ ଢାଞ୍ଚାରେ ସବୁ ବାଧାବିଘ୍ନକୁ ସାମ୍ନା କରିବାକୁ ବୋଥ୍ରାଙ୍କୁ ଆଗରେ ରଖାଯାଉଥିଲା। ତଦନ୍ତ ବାଟବଣା ହେଉ ଅବା ସରକାରୀ ଦଳର ଚାପରେ ପୁଲିସ ଚେପା। ଏ ସବୁ ଖବରର ଶିରୋନାମାରେ ସରକାରଙ୍କ କାରନାମା କମ୍। ବୋଥ୍ରାଙ୍କ ପାରିଲାପଣିଆକୁ ବେଶ୍ ଦର୍ଶାଯାଇଥାଏ। ସେଥିଲାଗି ଡେଙ୍ଗା ମୁଣ୍ଡରେ ଠେଙ୍ଗା କହି ପ୍ରତୀକାତ୍ମକ ଭାବେ ବୋଥ୍ରାଙ୍କୁ ସାମ୍ନାରେ ରଖାଯାଉଥିଲା। ଆଉ ତୃତୀୟ ମହଲାର ଅଭୟବର ପାଇଆସୁଥିବା ବୋଥ୍ରା ବି ଧରାକୁ ସରା ମଣୁଥିଲେ। ଲୋକସେବା ଭବନ ହେଉ ଅବା ବିଧାନସଭା କରିଡର। ଆଇପିଏସ ଗୋଷ୍ଠୀ ଭିତରେ ବାରି ହୋଇପଡୁଥିଲେ ବୋଥ୍ରା। ତାଙ୍କର ନିଆରା ଅନ୍ଦାଜ ପାଇଁ। ଏମିତିରେ ସାମ୍ୱାଦିକତାରୁ ଆଇପିଏସ। ସେଥିଲାଗି ସାମ୍ୱାଦିକଙ୍କୁ ବି ନିରାଶ କରନ୍ତିନି। ତଥ୍ୟ ନିଜେ ଦିଅନ୍ତି ନଚେତ ତଳିଆ କର୍ମଚାରୀଙ୍କ ଜରିଆରେ ଖବର କିଛିଟା ଲିକ୍ କରିଦେଇ ସାମ୍ୱାଦିକଙ୍କ ଫେଭୋରାଇଟ୍ ଅଫିସର ଭାବେ ନିଜକୁ ପ୍ରମାଣିତ କରୁଥିଲେ। ଏ କଥା ତୃତୀୟ ମହଲାର ଗୋଚରରେ ଯେ ହେଉଥିଲା, ଏ କଥା କାଇଁ କିଏ ଜାଣନ୍ତା। ଖବର ମିଳିବା ଆଉ ପୁଣି ଆଗତୁରା। ଏଥିରେ ସାମ୍ୱାଦିକ ଧାଇଁଥାଆନ୍ତି। କିଏ ଉପରୁ କହିଲା। କାହା ନିର୍ଦେଶରେ ବୋଥ୍ରା ଏତେ ପାଓ୍ୱାରଫୁଲ୍ ଏ ଚର୍ଚ୍ଚା ଲାଗି ସମୟ କାଇଁ। ହେଲେ ସମୟ ସିନା ନାହିଁ। କିନ୍ତୁ ସମୟ ବଦଳିଯାଇଛି। ଓଡ଼ିଶାରେ ନୂଆ ସରକାର ଆସିବା ପରେ ଅତୀତ ସରକାରର ଗେହ୍ଲା ଅଫିସରଙ୍କୁ ଆଗ ଟାର୍ଗେଟ ହେଲାଣି। ହେବନି ବା କେମିତି। ଲୋକଙ୍କ ସରକାର ବଦଳରେ ନିଜକୁ ଅଧିକାଂଶ ସରକାରୀ ଅଧିକାରୀ ସରକାର ବୋଲି ଦେଖାଇବାକୁ ଚାହୁଁଥିଲେ। ନେତା କିଛି ନୁହେଁ, ଆମେ ସବୁ ବୋଲି ଧାରଣାରେ ଦୀର୍ଘ ବର୍ଷ ରହି କାହାକୁ ଖାତିର୍ କରୁନଥିଲେ। କାରଣ ନବୀନ ସରକାର ଅମଳରେ ବ୍ୟୁରୋକ୍ରାଟ୍ ହିଁ ସବୁକିଛି। ଆଉ ସମସ୍ତେ ତୁଛ ବୋଲି ଏହି ଫର୍ମାଟରେ ପଡ଼ି ଅଫିସର ରାଜ୍ ଚାଲିଥିଲା। ଆଉ ମୋହନ ସରକାର କ୍ଷମତାକୁ ଆସିବା ପରେ ଏ ନିଶା ଛଡ଼ାଇଦେଲେଣି। ଏହି କ୍ରମରେ ବୋଥ୍ରାଙ୍କ ଉପରେ ବି ପଡ଼ିଲାଣି ଚଡ଼କ। ଅତୀତ ସରକାରରେ ଧଳାକୁ କଳା ଓ କଳାକୁ ଧଳା କରିବାରେ ମାହିର୍ ଥିଲେ ଅରୁଣ। ବିଗ୍ ଡିଲ୍ ବି କୁଆଡ଼େ ଅରୁଣଙ୍କ ମଧ୍ୟସ୍ଥତାରେ ହୁଏ ବୋଲି ଅନେକ ଚର୍ଚ୍ଚା ହୋଇଥାଏ। ତେବେ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଫାଇଲ୍ ଏକରକମ କ୍ଲୋଜ୍ ହେବାକୁ ବସିଥିଲା ବେଳେ ନବଙ୍କ ପରିବାର ଏହାର ସିବିଆଇ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଗୁହାରି କରିବା ପରେ ଘଟଣାରେ ଟ୍ୱିଷ୍ଟ୍ ଆସିଛି। ଯଦିଓ ସିବିଆଇ ତଦନ୍ତ ନେଇ କୌଣସି ସଙ୍କେତ ଆସିନି। କିନ୍ତୁ ବୋଥ୍ରାଙ୍କ ଲାଗି ଅଡ଼ୁଆ ହୋଇପାରେ। ଯେଉଁ ଷଡ଼ଯନ୍ତ୍ର ଦିଗକୁ ନେଇ ବୋଥ୍ରା ଚାପିଦେଇଥିବା ଆରୋପ ଉଠିଥିଲା। ସେ ସବୁ ଦିଗକୁ ଘାଣ୍ଟିଲେ ବୋଥ୍ରା ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି। ସରକାରଙ୍କ ଉପରେ ନିର୍ଭର କରେ। ନ୍ୟାୟ ଦେବାକୁ ନିରପେକ୍ଷ ତଦନ୍ତ ହେବ ନା କାହାକୁ ଟାର୍ଗେଟ କରି ବଦନାମ କରିବାକୁ ତଦନ୍ତର ଦିଗକୁ ବଦଳାଇଦିଆଯିବ। ଏ ପୁରା ପ୍ରକରଣ ଦେଖିଲେ, କମ୍ ସମୟରେ ଚତୁରତାର ସହ ଗୋଟି ଚଳାଇ ବଡ଼ ବଡ଼ ଘଟଣାର ପର୍ଦ୍ଦାଫାସ କରିଥାଆନ୍ତି ଅରୁଣ। କିନ୍ତୁ ସେ ତଦନ୍ତ ସରିଲା ନା ତଦନ୍ତକୁ ଅଧିକ ରୋଚକ କରି ଲୋକଙ୍କ ଦୃଷ୍ଟଭଙ୍ଗୀକୁ ଡାଇଭର୍ଟ କରି ଶେଷରେ ସବୁତକ କ୍ରେଡିଟ୍ ନେଇଯାଉଥିଲେ ବୋଥ୍ରା। ଦକ୍ଷ ଅଫିସର ଅରୁଣଙ୍କ ଏବେ ବେଳ ଆସିଛି। ତାଙ୍କ ଦକ୍ଷତାରେ ଅତୀତ ସରକାର ପ୍ରତି ଅତିଶୟ ଆନୁଗତ୍ୟ ଥିଲା। ଆଉ ସେଇ ଆନୁଗତ୍ୟ ଏବେ ଅଡ଼ୁଆରେ ପକାଇବ କି ବୋଲି ସବୁଠି ଚର୍ଚ୍ଚା।

Naxatra News is now on Whatsapp
Join and get latest news update delivered to you via whatsapp
Join Now