ବିଧାନସଭାରେ ବିଜେଡିର ପ୍ରତିବାଦ। କେତେବେଳେ ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଲେଣି। ତ କେତେବେଳେ ମଧୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ ବନ୍ଦେ ଉତ୍କଳ ଜନନୀର ସାମୂହିକ ଗାନ। ପୁଣି କେତେବେଳେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ ପ୍ରବାଦ ପୁରୁଷ ବିଜୁଙ୍କୁ ଅପମାନ ଓଡ଼ିଶାକୁ ଅପମାନ ଓ ଓଡ଼ିଆ ଅସ୍ମିତାକୁ କୁଠାରଘାତର ନାରା ଦେବା ସହ ନାନା କବିତା, ବ୍ୟଙ୍ଗ ସାହିତ୍ୟରେ ସରକାରଙ୍କୁ ସମାଲୋଚନାର ତୀର୍ଯ୍ୟକ ତୀର। ସବୁଠି ଲିଡ୍ କରୁଛନ୍ତି ଯେମିତି ବିଧାୟକ ଅରୁଣ ସାହୁ। ଅନୁସୂଚିତ ଜାତି, ଜନଜାତି ଓ ଓବିସିଙ୍କୁ ଆନୁପାତିକ ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ଦାବି ନେଇ କେମିତି ବିଧାନସଭା ଭିତରେ ଶାଣିତ ଟାର୍ଗେଟ କରାଯିବ। ଆଉ ନିଲମ୍ୱିତ କଂଗ୍ରେସ ସଭ୍ୟ ବିଧାନସଭା ଗେଟ୍ ବାହାରେ ପ୍ରତିବାଦ କରି ମିଡିଆରେ ସବୁ ମାଇଲେଜ୍ ଏକାକୀ ଗୋଟାଇ ନେବେ କାହିଁକି। ସେଠି ବି ପ୍ଲାକାର୍ଡ ଧରି ଗୃହ ଭିତରୁ ବାହାରକୁ ଆସି ବିଧାନସଭାରେ ପରିକ୍ରମା କରି ବାବା ସାହେବ ଆମ୍ୱେଦକରଙ୍କ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ କରିବା ବେଳକୁ ଗେଟ୍ ଭାଙ୍ଗି ବାହାରକୁ ଯିବାରେ ବି ଲିଡ୍ କରି ଆଗରେ ଥିଲେ ଅରୁଣ। ମିଡିଆର ଆଟେନସନ କେମିତି ନିଆଯିବ, ଅରୁଣଙ୍କୁ ଏ ଷ୍ଟ୍ରାଟେଜି ବେଶ୍ ଭଲ ଭାବେ ଜଣା। ଆଉ ଆଜି ବିଧାନସଭା ଘେରାଓ କରିବାକୁ କଂଗ୍ରେସ ସମରସଜ୍ଜା କରୁଥିଲା ବେଳେ ବିଧାନସଭା ଭିତରେ କଅଣ କଲେ, ମିଡିଆ ଦୃଷ୍ଟି ଆକର୍ଷଣ କରିବ। ସେଥିରେ ବି କୁଆଡ଼େ ରଣନୀତିକାର ଥିଲେ ଅରୁଣ। ଆଉ ବିଧାନସଭା ପରିକ୍ରମା କରି ହାତରେ କଳସ ଧରି ଗଙ୍ଗାଜଳ ଛିଞ୍ଚି ବିଧାନସଭାକୁ ପବିତ୍ର କରିବାର ଫର୍ମୁଲା ଅରୁଣଙ୍କ ମୁଣ୍ଡରୁ ବାହାରିଥିଲା। ଏମିତିରେ ବିଧାନସଭାରେ ବିଜେଡିର ସଂରକ୍ଷଣ ନେଇ ଆଗତ ମୁଲତବୀ ପ୍ରସ୍ତାବ ଥିଲା। ବିଜେଡି ହଟ୍ଟଗୋଳ କଲେ ବିଜେଡି ବଦନାମ ମୁଣ୍ଡାଇଥାଆନ୍ତା। ସେଥିଲାଗି ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ଆଲୋଚନାରେ ବିଜେଡି ବିନା ହଙ୍ଗାମାରେ ଭାଗ ନେଇଥିଲା। କାରଣ ବିଜେଡିର ଏଜେଣ୍ଡାକୁ କୌଣସିମତେ ଡିଷ୍ଟର୍ବ କରିବାକୁ ଗୃହରେ ଯେହେତୁ କଂଗ୍ରେସ ନଥିଲା। ଏ ସୁଯୋଗକୁ ହାତଛଡ଼ା କରନ୍ତା ବା କାହିଁକି ବିଜେଡି। ସେଥିଲାଗି ସବୁଠି ଚର୍ଚ୍ଚା। ଅରୁଣଙ୍କ ଆଇଡିଆ ବେଶ୍ ସୁହାଉଛି ବିଜେଡିକୁ ବୋଧେ। ପ୍ରତୀକାତ୍ମକ ପ୍ରତିବାଦ ଭିତରେ କଂଗ୍ରେସକୁ ଆଗକୁ ଠେଲିଦେଇ ପଛରେ ରହି ଡ୍ରାମା କରିବା, ମିଡିଆର ବି ଭରପୁର ଆଟେନସନ ଟାଣିବାରେ ସକ୍ଷମ ସହ ମୁଖ୍ୟ ବିରୋଧୀ ଦଳ ଭାବେ ନିଜର ଉପସ୍ଥାନ ଓ ଛବିକୁ ବେଶ ଭଲଭାବେ ପ୍ରତିଫଳିତ କରିବାକୁ ଏ ସମୟ ଓ ସୁଯୋଗକୁ ଯେମିତି ଉଣ୍ଡି ବସିଥିଲା ଶଙ୍ଖ ଶିବିର।


Naxatra News is now on Whatsapp
Join and get latest news update delivered to you via whatsapp
Join Now