ସ୍ୱାଭାବିକ ହୋଇପାରୁନି ବିଧାନସଭା। ଆରମ୍ଭରୁ ଗୃହରେ ହୋହଲ୍ଲା, ହଟ୍ଟଗୋଳରୁ ଗୃହ ମୁଲତବୀର ଅଧ୍ୟାୟ ଜାରି ରହିଛି। ଆଜି ପ୍ରଥମାର୍ଦ୍ଧରେ ମାତ୍ର ୭ ମିନିଟ୍ ଚାଲିପାରିଲା ଗୃହ। ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରସଙ୍ଗ ଉଠାଇଥିଲା ବିଜେଡି। ବାଚସ୍ପତିଙ୍କ ପୋଡିଅମ ତଳେ ବିଜେଡି ବିଧାୟକ ନାରାବାଜି କରିଥିଲେ। ଆଉ ଗୃହ ଅଚଳାବସ୍ଥା ନେଇ ନିଜ ଆସନରେ ଛିଡ଼ା ହୋଇ କଂଗ୍ରେସ ବିଧାୟକ ପ୍ରତିବାଦ କରିଥିଲେ। ଅନାସ୍ଥା ନ ଆଣିବାକୁ ଫନ୍ଦି କରିବା ଅଭିଯୋଗରେ ବିଜେପି- ବିଜେଡି ଭାଇ ଭାଇ ପୋଷ୍ଟର ଦେଖାଇ କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଥିଲେ। ପ୍ଲାକାର୍ଡ, ପୋଷ୍ଟର ଧରି ବିରୋଧୀ ସଦସ୍ୟ ହଟ୍ଟଗୋଳ କରିବା ସହ ହୋହଲ୍ଲା କରିଥିଲେ। ଗୃହରେ ନାରାବାଜି ଜାରି ରହିବାରୁ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଦେଇଥିଲେ ବାଚସ୍ପତି। ବାଚସ୍ପତି ଯେତେ ବୁଝାଇଲେ ବି ବୁଝିନଥିଲେ ବିରୋଧୀ। ଆଜି ଉଭୟ ବିରୋଧୀ ଦଳ ପରସ୍ପରର ଗୋହି ଖୋଳିଛନ୍ତି। ଗୃହ ଚଳାଇନଦେବା ପଛରେ ଶାସକ ଦଳ ସହ ପରସ୍ପରର ସଲାସୁତୁରାର ଆରୋପ ଲଗାଇଛନ୍ତି କଂଗ୍ରେସ ଓ ବିଜେଡି। ସେପଟେ ଶାସକ ଦଳ କହିଛି, ଜାଣିଶୁଣି ଗୃହକୁ ଚଳାଇନଦେବା ମାନସିକତାରେ ଆସୁଛନ୍ତି ବିରୋଧୀ ଦଳ। ସୁପର ବସ୍ ଙ୍କ ନିର୍ଦେଶରେ ଅକାରଣରେ ବି ଗୃହ ବନ୍ଦ କରିବ ବିଜେଡି। ବିଜେଡି-କଂଗ୍ରେସ ଭାଇ ଭାଇ। ସରକାରୀ ଦଳ ଆଲୋଚନା ଲାଗି ପ୍ରସ୍ତୁତ। ଲିଖିତ ଭାବେ ବିରୋଧୀ ଆଲୋଚନା ଲାଗି ନ ଦେଇ ଗୃହକୁ ବନ୍ଦ କରିଦେଉଛନ୍ତି। ବିଧାନସଭା ରେକର୍ଡରେ ନାହିଁ। କିନ୍ତୁ ମିଡିଆରୁ ଜାଣିବାକୁ ପାଉଛୁ କେଉଁ ପ୍ରସଙ୍ଗକୁ ନେଇ ସେମାନେ ଉଠାଇବାକୁ ଚାହୁଁଛନ୍ତି। ବିରୋଧୀ ଦଳର ଉଦ୍ଦେଶ୍ୟ ଜଣାପଡ଼ିଗଲାଣି। ବିଧାନସଭା ବନ୍ଦ କରିବା ପ୍ରହସନ।ପ୍ରଥମ ଦିନରେ ଶୋକପ୍ରସ୍ତାବକୁ ଛାଡ଼ିଦେଲେ ବାକି ଦୁଇ ଦିନ ସାର ସଙ୍କଟକୁ ନେଇ ବିରୋଧୀ ମିଳିତ ପ୍ରତିବାଦ କରିଥିଲେ। ଆଉ ଅଚାନକ ଆଜି ଅଲଗା ଅଲଗା ପ୍ରସଙ୍ଗକୁ ନେଇ ଗୃହକୁ ଓହ୍ଲାଇ ହଟ୍ଟଗୋଳ କରିବାରୁ ଗୃହ ଚାଲିପାରିଲାନି। ନା ପ୍ରଶ୍ନକାଳ ଚାଲିପାରୁଛି ନା ଶୂନ୍ୟକାଳ। ନା ମୁଲତବୀ ପ୍ରସ୍ତାବ ଆଲୋଚନା ହେଉଛି। ଜନତାଙ୍କ ସ୍ୱାର୍ଥ ସମ୍ୱଳିତ ପ୍ରସଙ୍ଗ ଉଠିପାରୁନି। ଶାସକ ଓ ବିରୋଧୀଙ୍କ ଭିତରେ ନା ଅଛି ସହଯୋଗ ନା ଅଛି ସମନ୍ୱୟ। ତା ସହ ବେକାରରେ ଚାଲିଯାଉଛି ବିଧାନସଭାର ସ୍ୱଳ୍ପକାଳୀନ ଅଧିବେଶନର ଅବଧି। ଯାହାକି ବିଡ଼ମ୍ୱନା। ସେପଟେ କଂଗ୍ରେସର ଅନାସ୍ଥାକୁ ଅଗ୍ରାହ୍ୟ କରିଦେଇଛନ୍ତି ବାଚସ୍ପତି। ଗୃହରେ ଅଚଳାବସ୍ଥା ଲାଗି ଅବଧି ସରିଛି ବୋଲି ଅବଗତ କରାଇଲେ ବାଚସ୍ପତି। ଅନାସ୍ଥା ନୋଟିସ ଆସିବାର ପରଦିନ ଗୃହକୁ ଆଣିବାକୁ ଦିଆଯାଇଥିଲା ନିର୍ଦେଶ। କିନ୍ତୁ ଗୃହ ସ୍ୱାଭାବିକ ନଥିବାରୁ ଗୃହକୁ ଆସିପାରିନଥିଲା। ଅନାସ୍ଥା ନୋଟିସ ଅଗ୍ରାହ୍ୟକୁ ନେଇ କଂଗ୍ରେସ ସଦସ୍ୟ କକ୍ଷତ୍ୟାଗ କରିଥିଲେ ଆଉ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇ ପ୍ରତିବାଦ କରିଥିଲେ। ବିଜେଡି ବିଜେପି ମିଶି ଗୃହକୁ ଜାଣିଶୁଣି ଅଚଳ କରୁଛନ୍ତି ବୋଲି ଆରୋପ ଲଦିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now