ବିଧାନସଭାରେ ପାଣି ରାଜନୀତି

ବିଧାନସଭାରେ ପାଣି ଚିନ୍ତା। କେବେ ସୁଦ୍ଧା ଲୋକଙ୍କୁ ପାଇପ ଯୋଗେ ପିଇବା ପାଣି ମିଳିବ। ମେଗା ପାଇପ ଜଳଯୋଗାଣରେ ଅନିୟମିତତାରୁ ନେଇ ଆକ୍ସନ ଯାଏ, ଦଳମତ ନିର୍ବିଶେଷରେ ସମସ୍ତଙ୍କ ଉଦବେଗ ବାରି ହୋଇପଡ଼ିଥିଲା ଗୃହରେ। ଏଜେନ୍ସିମାନଙ୍କ ଉପରେ ସରକାରଙ୍କ ଲଗାମ ନଥିବାରୁ ଲୋକେ ହେଉଛନ୍ତି ହନ୍ତସନ୍ତ। ଆଉ ମନ୍ତ୍ରୀ କହିଛନ୍ତି, ୨୦୨୫ ଶେଷ ସୁଦ୍ଧା ୧୧୦ଟି ନିର୍ମାଣଧୀନ ପ୍ରକଳ୍ପ ସରିବ ଓ ବାକି ୮୧ ପ୍ରକଳ୍ପ ଜୁନ୍ ୨୦୨୬ ସୁଦ୍ଧା ସରିବ। ଅତୀତ ସରକାର ଭୁଲ୍ ଲାଗି ବାହାର ରାଜ୍ୟର ଏଜେନ୍ସିମାନଙ୍କୁ କାମ ଦିଆଯାଇ କୌଣସି ଉତ୍ତରଦାୟିତ୍ୱ ଧାର୍ଯ୍ୟ ହୋଇନଥିବାରୁ ପ୍ରକଳ୍ପରେ ବିଳମ୍ୱ ହେଉଛି।

କେବଳ ପାଣି ପାଇପ ବିଛା ଯାଇଛି। କିନ୍ତୁ ପାଣିର ଉତ୍ସକୁ ଠାବ ହୋଇନି।  ଲୋକେ ପାଇପ ଯୋଗେ ପିଇବା ପାଣି ପାଇପାରୁନାହାନ୍ତି। ଅନେକ ଜାଗାରେ ପାଇପ ଫାଟି ଗଲାଣି। ପୁରୁଣା କାମ ଅଧା ଥିଲା ବେଳେ କଂକ୍ରିଟ ରାସ୍ତା ଖୋଳି ଏଜେନ୍ସିମାନେ ଆହୁରି ଅଡ଼ୁଆ ଛିଡ଼ା କରୁଛନ୍ତି। ନା ଟାଙ୍କିକୁ ପାଣି ଯାଉଛି ନା ଲୋକଙ୍କ ପାଖକୁ ପହଞ୍ଚୁଛି। ଖରା ଦିନେ ଜଳକଷ୍ଟରେ ପୁଣି ତାତିବେ ଲୋକେ। ଏଇ ପାଣି ପାଇଁ ତ ବିଜେଡି ବି କ୍ଷମତାରୁ ଚାଲିଗଲା। ନିର୍ବାଚନ ପୂର୍ବରୁ ପାନୀୟଜଳ ପ୍ରକଳ୍ପ ନ ସରିବାରୁ ଲୋକଙ୍କ ଆକ୍ରୋଶ ବଢ଼ିବାରୁ ବହୁ କମ୍ ମାର୍ଜିନରେ ଗଲା ନିର୍ବାଚନରେ ଅଧିକାଂଶ ବିଧାୟକ ହାରିଲେ। ଏ କଥା କହିବାକୁ ପଛାଇନାହାନ୍ତି ବରିଷ୍ଠ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର। ଶାସକ ଦଳର ବିଧାୟକ ବି କହିଛନ୍ତି, ମେଗା ପାନୀୟ ଜଳ ପ୍ରକଳ୍ପ ଟାର୍ଗେଟ ସମୟରେ ସରିବା ନେଇ ସନ୍ଦେହ ରହିଛି। ଯେଉଁ ଏଜେନ୍ସିମାନେ ବିଳମ୍ୱ କଲେ, ନା ଉତ୍ତରଦାୟିତ୍ୱ ଧାର୍ଯ୍ୟ ହୋଇଛି ନା ସେମାନଙ୍କୁ ଲଗାମ ନା ଦଣ୍ଡବିଧାନ ହେଉଛି। ଜଳଜୀବନ ମିଶନର ପ୍ରଥମ ପଏଣ୍ଟ ଜଳର ଉତ୍ସ ହିଁ ଠାବ ହୋଇନି। ତାରାପ୍ରସାଦ ବାହିନୀପତି ତ କଟାକ୍ଷ କରି କହିଥିଲେ ଯେ, ୬ ବର୍ଷ ହୋଇଗଲାଣି। ଟାଙ୍କିରୁ ଆସୁଥିବା ପାଣିର ପରିମାଣ ନକହିବା ଭଲ। କିନ୍ତୁ ଠିକାଦାର ଏଜେନ୍ସିକୁ ବିଲ୍ ପେମେଣ୍ଟ ୯୮ ପ୍ରତିଶତ ସରିଲାଣି। ମେଗାପ୍ରକଳ୍ପ ଧାର୍ଯ୍ୟ ସମୟରେ ସରିବା ନେଇ ସମସ୍ତଙ୍କ ସନ୍ଦେହ ଥିବାରୁ ଅନ୍ତତଃ ସେ ପର୍ଯ୍ୟନ୍ତ ଲୋକଙ୍କ ଜଳକ୍ଳିଷ୍ଟକୁ ମୁକାବିଲା କରିବାକୁ ବିଧାୟକଙ୍କୁ ଶହେଟି ଲେଖାଏଁ ଟ୍ୟୁବଓ୍ୱେଲ ସରକାର ଦିଅନ୍ତୁ କହି ଦାବି କରିଥିଲେ।

ସେପଟେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ କହିଛନ୍ତି, ରାଜ୍ୟରେ ମୋଟ୍ ୨୦୭ ମେଗା ପାନୀୟ ଜଳ ପ୍ରକଳ୍ପରୁ ୧୬ଟିର ସରିଛି। ୩ଟି ପର୍ଯ୍ୟାୟରେ ବାକି ୧୯୧ଟି ସମ୍ପୂର୍ଣ୍ଣ କରିବାକୁ ଟାର୍ଗେଟ ହୋଇଛି। ମାର୍ଚ୍ଚ ୨୦୨୫ ସୁଦ୍ଧା ୫୬, ଡିସେମ୍ୱର ସୁଦ୍ଧା ୫୪ ଓ ୨୦୨୬ ଜୁନ୍ ସୁଦ୍ଧା ବାକି ୮୧ଟି ମେଗା ପାଇପ ପାନୀୟଜଳ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବ। ଖିଲାଫି ଏଜେନ୍ସିଙ୍କ ବିରୁଦ୍ଧରେ ଜରିମାନାର ପ୍ରାବଧାନ ରହିଛି। ବାହାର ରାଜ୍ୟର ଏଜେନ୍ସିଙ୍କୁ ଡାକି ଅତୀତର ସରକାର କେଉଁ ଉଦେଶ୍ୟରେ ଏ ସବୁ କାମ କରୁଥିଲେ, ତାକୁ ନେଇ ଅଙ୍ଗୁଳି ଉଠାଇଥିଲେ ମନ୍ତ୍ରୀ। ନା ସେମାନଙ୍କ ଉପରେ ଲଗାମ ଥିଲା ନା ସେମାନଙ୍କୁ କେହି ପଚାରୁଥିଲେ। କିନ୍ତୁ ମୋହନ ସରକାରରେ ଏସବୁ ବରଦାସ୍ତ କରାଯିବନି। ମେଗା, ଏଲ ଆଣ୍ଡ ଟି ଭଳି ନିର୍ମାଣକାରୀ ଏଜେନ୍ସିର କାମ ସମୀକ୍ଷା ହେବ। ବିଧାନସଭା ସରିବାର ୧୦ ଦିନ ଭିତରେ ମନ୍ତ୍ରୀ, ସଚିବ ଓ ବିଭାଗୀୟ ଅଧିକାରୀ ପ୍ରକଳ୍ପ ପରିଦର୍ଶନ କରି ସମୀକ୍ଷା କରି ଆବଶ୍ୟକୀୟ ଆକ୍ସନ ନେବେ। ପଞ୍ଚାୟତର ସରପଞ୍ଚଙ୍କୁ କ୍ଷମତା ଦିଆଯାଇଛି। ପ୍ରତି ଦୁଇ ଦିନରେ ପିଡି ଓ ସପ୍ତାହକରେ ଥରେ ଜିଲ୍ଲାପାଳଙ୍କ ପାଖରୁ କାମ ଅଗ୍ରଗତିର ରିପୋର୍ଟ ତଲବ ହେବ।

ମେଗା ପାଇପ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ନେଇ ବିଧାନସଭା ହୋଇଥିଲା ହୁଲସ୍ତୁଲ। ଖିଲାଫୀ ଏଜେନ୍ସିଙ୍କ ବିରୁଦ୍ଧରେ ଏତଲା କରିବାକୁ ଅନେକ ଦାବି କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *