ଭୁବନେଶ୍ୱର : ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ବାଲେଶ୍ୱର ପକ୍ଷରୁ ମିଶନ ଲାଇଫ, ଜଳ ଶକ୍ତି ଅଭିଯାନ ଏବଂ ହର୍ ଘର୍ ଜଲ୍ ଉପରେ ଏକ ସଚେତନତା କର୍ମଶାଳା ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ସ୍ଥିତ ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପ୍ରମିଳା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ। ଅତିଥି ବକ୍ତା ଭାବେ ପରିବେଶବିତ୍ ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ବେତନଟୀ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁର୍ଯ୍ୟୋଧନ ମୁଣ୍ଡା ଯୋଗ ଦେଇଥିଲେ। ବିଦ୍ୟାଳୟର ଦର୍ଶନ ଶାସ୍ତ୍ର ଅଧ୍ୟାପକ ଡ. ପର୍ଶୁରାମ ଦାସ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଦୈନନ୍ଦିନ ଅଭ୍ୟାସରେ ସୁଧାର ଅଣାଯାଇ କିପରି ପରିବେଶ ସୁରକ୍ଷା ଓ ସଂରକ୍ଷଣ କରାଯାଇପାରିବ ସେଥିପ୍ରତି ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ଅଭିଯାନ, ହର୍ ଘର୍ ଜଲ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ବିଚାରବିମର୍ଶ କରିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ପଦଯାତ୍ରା ଗାଁ ପରିକ୍ରମା କରିଥିଲା। ପିଲାମାନଙ୍କୁ ନେଇ ବକ୍ତୃତା, ଚିତ୍ରାଙ୍କନ, ରଙ୍ଗୋଲୀ ଓ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କୃତି ପ୍ରତିଯୋଗୀମାନଙ୍କୁ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ପୁରସ୍କୃତ କରାଯାଇଥିଲା।
କ୍ଷେତ୍ର ପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା ସଭା ପରିଚାଳନା କରିଥିବା ବେଳେ ସହଯୋଗୀ ଖଗେଶ ବାଇପାଇ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ଭୁବନେଶ୍ୱର ଦ୍ୱାରା ପ୍ରେରିତ ବିନୋରୀ ୱେଲଫେୟାର ସଂସ୍ଥା ପକ୍ଷରୁ ସୂଚନାଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now