ଆୟୁଷ୍ମାନ ଆରମ୍ଭରୁ କେଉଁଠି କଳି କେଉଁଠି ଗାଳି..

ଓଡ଼ିଶାରେ ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ଆୟୁଷ୍ମାନ ଭାରତ ଯୋଜନା। ଏହା ଇନସ୍ୟୁରାନ୍ସ ନୁହେଁ, ବରଂ ଆସୁରାନ୍ସ ବୋଲି କଟକ ବାଲିଯାତ୍ରା ପଡ଼ିଆରେ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। ରାଜନୈତିକ ଉଦ୍ଦେଶ୍ୟ ରଖି ନବୀନ ସରକାର ଅମଳରେ ଓଡ଼ିଶାବାସୀଙ୍କୁ ଜାଣିଶୁଣି ଏଭଳି ବୃହତ୍ ଓ ଜନକଲ୍ୟାଣକାରୀ ଯୋଜନାରୁ ବଞ୍ଚିତ କରାଯାଉଥିଲା କହି ତୀବ୍ର କଟାକ୍ଷ ବି ଫିଙ୍ଗିଛନ୍ତି ରାଜ୍ୟ ସରକାର। ଗୋଟିଏ ପଟେ ଏହାର ଶୁଭାରମ୍ଭ କରି ଏହାର ମହତ୍ତ୍ୱ ଓ ସମାନ୍ତରାଳ ଭାବେ ଅତୀତ ସରକାରର ଗୋହି ଖୋଳୁଥିଲା ବେଳେ ସେପଟେ ଆୟୁଷ୍ମାନ ଅନିୟମିତତାକୁ ନେଇ କେଉଁଠି ଗାଳି ତ କେଉଁଠି କଳିର ନଜିର ଦେଖିବାକୁ ମିଳିଥିଲା। ଭୋଗରାଇ ବ୍ଲକରେ ଆୟୁଷ୍ମାନ କାର୍ଡ ବଣ୍ଟନରେ ଅନିୟମିତତା ନେଇ ଭୋଗରାଇ ବିଡିଓଙ୍କୁ ଘେରାଓ କରିଥିଲେ ବିଜେଡି ସମର୍ଥିତ ନିର୍ବାଚିତ ପ୍ରତିନିଧି। ଯାହାର ନେତୃତ୍ୱ ନେଇଥିଲେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ। ସରକାରୀ କାର୍ଯ୍ୟକ୍ରମ ରାଜନୈତିକ ଦଳର କାମରେ ପରିଣତ ହୋଇଛି କହି କୈଫୟତ ମାଗିଥିଲା ବିଜେଡି। ବିଡିଓ ବିଜେପି କର୍ମୀଙ୍କ ହାତବାରିସି ସାଜି କାମ କରୁଥିବାର ଆରୋପ ଲଦିଥିଲେ। ସେପଟେ ବିଡିଓ ପ୍ରଶାନ୍ତ ମହାରଣା ତୃଟି ସ୍ୱୀକାର କରିବା ସହ ନୂଆ କରି ଯୋଗ ଦେଇଥିବାରୁ ଭୁଲ୍ ହୋଇଗଲା ବୋଲି କହିଥିଲେ। ଜଗତସିଂହପୁରରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଥିଲା। ରଘୁନାଥପୁର ବ୍ଲକ ତାରିକୁନ୍ଦ ପଞ୍ଚାୟତ ପଡ଼ିଆରେ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ କାର୍ଡବଣ୍ଟନ କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ ବିଜେପି କର୍ମୀ। କାର୍ଯ୍ୟକ୍ରମରେ ବିଜେପି କର୍ମୀଙ୍କୁ ଅଣଦେଖା ପ୍ରତିବାଦରେ ଜଗତସିଂହପୁରରେ ଉଡ଼ିଥିଲା ଚେୟାର। ଓବିସି ମୋର୍ଚ୍ଚା ସଭାପତି ସୁବୋଧ ବାରିକଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ କାର୍ଯ୍ୟକ୍ରମକୁ ବନ୍ଦ କରିଦେଇଥିଲେ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ବି ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ବାଗଡ଼ିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ କାର୍ଡ ବଣ୍ଟନ ଆଗରୁ ମହିଳା ମାନେ ଉଠି ପଲାଇଥିଲେ। ଏହି ଘଟଣାକୁ ସରକାରୀ ଦଳ ନିନ୍ଦା କରିଥିଲା। ଛେଣ୍ଡିପଦା ବ୍ଲକ ପ୍ରଶାସନର ଏଭଳି ଅବ୍ୟବସ୍ଥାରୁ ହିତାଧିକାରୀ ଅସନ୍ତୁଷ୍ଟ ହୋଇ ଚାଲିଯିବା ପଛରେ ରାଜନୀତିକ ଷଡ଼ଯନ୍ତ୍ର ଅଛି ବୋଲି ଆରୋପ ଲଦିଛି ବିଜେପି। ଜିଲ୍ଲାର ଏକମାତ୍ର ବିଜେପି ଜିଲ୍ଲା ପରିଷଦ ସଭ୍ୟ ଯଶୋବନ୍ତ ପ୍ରସାଦ ବେହେରା ଏହି ଘଟଣାକୁ ନିନ୍ଦା କରିଛନ୍ତି। ବିଜେଡି କହୁଛି, ସମୟ କହିବ ଏହି ଯୋଜନା ଲୋକଙ୍କୁ କେତେ ଫାଏଦା ଦେବ। ବିଜୁ ସ୍ୱାସ୍ଥ୍ୟକାର୍ଡ ପାଇଁ ଗରିବ ଲୋକେ ଉପକୃତ ହେଉଥିଲେ। ଘରୋଇ ହସ୍ପିଟାଲ ପିଣ୍ଡି ମାଡ଼ିପାରୁନଥିବା ଲୋକେ ଚିକିତ୍ସା ପାଉଥିଲେ। ଲୋକେ ନବୀନଙ୍କୁ ନିଜ ବାପା ବୋଲି ଭାବୁଥିଲେ। ଆଗ କାର୍ଯ୍ୟକାରୀ ହେଉ, ଗ୍ରାଉଣ୍ଡରେ ଲୋକେ କେତେ ଉପକୃତ ହେଉଛନ୍ତି, ତା ପରେ ଯାଇ ଯାହା କହିବା କଥା କହିବୁ ବୋଲି କହିଛନ୍ତି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର। ଆୟୁଷ୍ମାନ କାର୍ଡ ବଣ୍ଟନକୁ ନେଇ ଅନିୟମିତତାରୁ ପାତରଅନ୍ତର ଯାଏ। ଆଉ ଆରମ୍ଭରୁ ରାଜନୀତି, କଳି ଓ ବିବାଦର ଅଧ୍ୟାୟ ଦେଖିବାକୁ ମିଳିଲାଣି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *