ଜୀବନ ସହିତ ସଂଘର୍ଷରେ ଅନିକେଶ: ଅର୍ଥ ସାଜିଛି ବାଧକ

Spread the love

ବଲାଙ୍ଗିର : ଶିଶୁଟିର ବୟସ ଏବେ ନଅ ବର୍ଷ ଅତିକ୍ରମ କରି ସାରିଛି । ଯେଉଁ ବୟସରେ ପାଠ ପଢିବା ସହ ଖେଳକୁଦ କରିବା କଥା ସେହି ବୟସରେ ଶଯ୍ୟାଶାୟୀ ହୋଇ ରହିଛି । ଗୋଟିଏ ଦୁର୍ଘଟଣାରେ ଅବସ୍ଥା ଏମିତି ହେଲା ଯେ, ଶିଶୁ ଖଟରୁ ଉଠିବା ମଧ୍ୟ ସମ୍ଭବ ହେଉ ନାହିଁ । ଶିଶୁଟିର ଏଭଳି ଦୟନୀୟ ଅବସ୍ଥା ଦେଖି ଅସହାୟ ହେଉଛନ୍ତି ତାର ବାପା ଓ ମା’ । ତେବେ ଏହି ଶଯ୍ୟାଶାୟୀ ଅବସ୍ଥାରେ ଥିବା ଶିଶୁଟି ହେଉଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପଞ୍ଚାୟତ ଅନ୍ତର୍ଗତ ମହୁରୁଣ୍ଡି ଗ୍ରାମର ଦୁର୍ଯ୍ୟୋଧନ ବେହରା ଓ ବାସନ୍ତୀ ବେହରାଙ୍କ ପୁଅ ଅନିକେଶ ବେହରା(୯) । ସୂଚନା ଅନୁସାରେ ଅନିକେଶ ମହୁରୁଣ୍ଡି ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ଗତ ମେ’ ମାସ ୧୦ ତାରିଖ ଦିନ ସାଇକେଲରେ ଗ୍ରାମରେ ଥିବା ଦୋକାନକୁ ଯାଇ ଫେରୁଥିବା ସମୟରେ ସାଇକେଲରୁ ପଡିଯାଇଥିଲେ । ହେଲେ ଦୁର୍ଘଟଣାରେ କୌଣସି ଖଣ୍ଡିଆ ଖାବରା ହୋଇନଥିବା ବେଳେ ସେ ବାରମ୍ବାର ବାନ୍ତି କରୁଥିଲେ । ଏନେଇ ବାପା ଦୁର୍ଯ୍ୟୋଧନ ବେହେରା ପୁଅକୁ ଖପ୍ରାଖୋଲ ଡାକ୍ତରଖାନାକୁ ନେଇଥିଲେ । ହେଲେ ଉନ୍ନତ ମାନର ଚିକିତ୍ସା ପାଇଁ ପାଟଣାଗଡ଼, ବଲାଙ୍ଗିର ଏବଂ ଶେଷରେ ବୁର୍ଲା ଡାକ୍ତରଖାନାକୁ ଡାକ୍ତର ସ୍ଥାନାନ୍ତରିତ କରିଥିଲେ । ତେବେ ବୁର୍ଲା ଡାକ୍ତରଖାନାରେ ମେ’ ୧୨ ତାରିଖ ଦିନ ଅନିକେଶର ପେଟର ଅସ୍ତ୍ରୋପଚାର କରି ଡାକ୍ତର ଘରକୁ ଫେରାଇ ଦେଇଥିଲେ । ଗୋଟିଏ ମାସ ବିତିଯାଇଥିଲେ ସୁଦ୍ଧା ଶିଶୁଟିର ସ୍ୱାସ୍ଥ୍ୟବସ୍ଥାରେ କିଛି ମଧ୍ୟ ଉନ୍ନତି ନହେବାରୁ ପୁଣି ବିଭିନ୍ନ ସ୍ଥାନକୁ ଚିକିତ୍ସା ପାଇଁ ନେଇଥିଲେ ଅନିକେଶର ବାପା ଓ ମା’ । ଶିଶୁ ଅନିକେଶ ବେହେରାର ବାପା ଓ ମା’ ଗରିବ ଶ୍ରେଣୀର ହୋଇଥିବାରୁ ନିଜ ପୁଅକୁ ଉଚ୍ଚତର ଚିକିତ୍ସା କରିବାରେ ଅସମର୍ଥ ଅଟନ୍ତି । ଶିଶୁଟି ବସି ପାରୁନଥିବା ଏବଂ ଚାଲିପାରୁ ନଥିବାରୁ ଚିନ୍ତିତ ହୋଇ ରହିଛନ୍ତି ବାପା ଓ ମା’ । ପିଲାଟି କିପରି ଭାବରେ ଆରୋଗ୍ୟ ହେବ ସେହି ଚିନ୍ତାରେ ରହିଛନ୍ତି ବାପା ଓ ମା’ । ଶିଶୁର ଅବସ୍ଥା ଦେଖି ଶିଶୁର ବାପା ଓ ମା’ କୋହଭରା କଣ୍ଠରେ ଶିଶୁର ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *