ବଲାଙ୍ଗିର : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମିଳନୀ କକ୍ଷ ଠାରେ ବଲାଙ୍ଗିର ଜିଲାରେ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ସଚେତନତା ବୈଠକ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ଉଦବୋଧନ ଦେଇ ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ସଂଗଠିତ ଭାବେ ସବୁ ସ୍ତରରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଉଦ୍ୟମ କରିବାକୁ ପରାମର୍ଶ ଦେବା ସହ ଏଥି ନିମନ୍ତେ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ଵାରୋପ କରିଥିଲେ । ବୈଠକରେ ଡେପୁଟି କଲେକ୍ଟର ଶୁଭସ୍ମିତା ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲୀଳାବତୀ ନାଗ, ଡିଏସପି, ଏଚଆରପିସି ସସ୍ମିତା ବାରିକ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ –ନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ, ଶ୍ରମ ନିରିକ୍ଷକ, ବଲାଙ୍ଗିର ଚାମ୍ବର ଅଫ କମର୍ସ ର ସଭାପତି ତ୍ରିପୁରାରୀ ପାଣିଗ୍ରାହୀ, ସମ୍ପାଦକ କିଶୋର କୁମାର ରଥ, ବଲାଙ୍ଗିର ଟେଣ୍ଟ ହାଉସ ଏସୋସିଏସନର ସଭାପତି ସୁଦାମ ଦାଶ, ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ ଲମ୍ବୋଦର ଦୀପ, ଶିଶୁ କଲ୍ୟାଣ କମିଟିର ସଦସ୍ୟା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ଥିଲେ ।
ବୈଠକରେ ଶ୍ରମ ଆଇନ ୧୯୮୬ ସମ୍ପର୍କରେ ଆଲୋଚନା ହେବାସହ ୧୪ ବର୍ଷ ପୂର୍ଣ୍ଣ କରିନଥିବା ଶିଶୁଙ୍କୁ କୌଣସି ପ୍ରକାରର ବୃତ୍ତି ଏବଂ ପ୍ରକ୍ରିୟାରେ ତଥା ୧୪ ବର୍ଷରୁ ୧୮ ବର୍ଷ ବୟସର କିଶୋର ମାନଙ୍କୁ ବିପଦସଙ୍କୁଳ ବୃତ୍ତି ଏବଂ ପ୍ରକ୍ରିୟାରେ ନିୟୋଜନ କରିବା ଏକ ଧର୍ତ୍ତବ୍ୟ ଅପରାଧ ଅଟେ ତେଣୁ ଏ ସମ୍ପର୍କରେ ବ୍ୟାପକ ଜନସଚେତନତା କରାଯିବା ଉପରେ ଆଲୋଚନା କରାଯାଇଥିଲା । ଯଦି କୌଣସି ବ୍ୟକ୍ତି ୧୪ ବର୍ଷରୁ କମ ବୟସର ଶିଶୁଙ୍କୁ କାମରେ ନିୟୋଜିତ କରିଛନ୍ତି କିମ୍ବା ୧୪ ବର୍ଷରୁ ୧୮ ବର୍ଷ ବୟସ ମଧ୍ୟରେ ଥିବା କିଶୋର ମାନଙ୍କୁ ବିପଦସଙ୍କୁଳ ବୃତ୍ତି ଏବଂ ପ୍ରକ୍ରିୟାରେ ନିୟୋଜିତ କରିବାର ନଜରକୁ ଆସେ ତେବେ ତୁରନ୍ତ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରିପାରିବେ । ଏତଦବ୍ୟତୀତ ନିଶୁଳ୍କ ଶ୍ରମିକ ସହାୟତା ହେଲ୍ପ ଲାଇନ ନମ୍ବର ୧୫୫୩୬୮ ଏବଂ ଚାଇଲ୍ଡ ଲାଇନ ନମ୍ବର ୧୦୯୮ କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ବୈଠକରେ ଶିଶୁ ଶ୍ରମିକ ଚିହ୍ନଟ କରିବା ସହ ସେମାନଙ୍କ ଥଇଥାନ ଉପରେ ଆଲୋଚନା ହୋଇଥିଲା । ଶିଶୁ ଶ୍ରମିକ ଆଇନର ଉଲ୍ଲଂଘନ କରୁଥିବା ଅନୁଷ୍ଠାନ କିମ୍ବା ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଶ୍ରମ ଆଇନ ଅନୁସାରେ କାର୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଡେପୁଟି କଲେକ୍ଟର ଶୁଭସ୍ମିତା ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ଜିଲ୍ଲା ପରାମର୍ଶଦାତା ସନ୍ଧ୍ୟାରାଣୀ ପତି ସଭା ପରିଚାଳନା କରିଥିଲେ ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ସକାଳେ ଅଦ୍ଵେକାର ଛାତ୍ରୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଙ୍ଗନବାଡି କର୍ମୀଙ୍କୁ ନେଇ ଏକ ସଚେତନତା ରାଲି ଜିଲ୍ଲା ସମାଜ ମଙ୍ଗଳ କାର୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ଏହି ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now