ନୂଆକୋର୍ଟ ବିଲଡିଂ ନିର୍ମାଣ ପ୍ରସଙ୍ଗ : ଇନ୍ଦିରାନଗର ପରେ ପୃଥ୍ଵୀରାଜ ଗୋଶାଳା ଉପରେ ପ୍ରଶାସନର ନଜର, ହାଇକୋର୍ଟରେ ମାମଲା

Spread the love

ବଲାଙ୍ଗିର : ବଲାଙ୍ଗିର ସିଭିଲକୋର୍ଟରେ ସ୍ଥାନାଭାବ । ନୂଆ ନୂଆ କୋର୍ଟ ଖୋଲୁଛି ତେଣୁ ଏଥିପାଇଁ ନୂଆ ନୂଆ କୋର୍ଟବିଲଡିଂର ଆବଶ୍ୟକତା ରହିଛି । ହେଲେ ଦୀର୍ଘ ଏକବର୍ଷ ହେଲା ନୂତନ କୋର୍ଟ ବିଲ୍ଡିଂ ନିର୍ମାଣ ପାଇଁ ପ୍ରଶାସନ ଜବରଦଖଲମୁକ୍ତ ସରକାରୀ ଜମି ଯୋଗାଇଦେଇପାରୁନି । ଯେଉଁ ଜମି ଚିହ୍ନଟ କରି ପ୍ରଶାସନ କୋର୍ଟକୁ ରିପୋର୍ଟ ଦେଉଛି ସେହିସବୁ ଜମି ଜବରଦଖଲରେ ରହିଛି । ପୂର୍ବରୁ ଜିଲ୍ଲାପାଳ ଇନ୍ଦିରା ନଗରରେ ଜବରଦଖଲମୁକ୍ତ ଜମିଥିବା ଦର୍ଶାଇ ୫ଏକର ଜମି କୋର୍ଟ ବିଲ୍ଡିଂ ପାଇଁ ଦିଆଯିବାକୁ ଚିହ୍ନଟ କରିଥିଲେ । ହେଲେ ସେତେବେଳେ ଜିଲ୍ଲାପାଳ ରାଜ୍ୟ ସରକାର ତଥା କୋର୍ଟକୁ ମିଥ୍ୟା ରିପୋର୍ଟ ଦେଇଥିଲେ । ଯେଉଁ ଜମି ଜବରଦଖଲମୁକ୍ତ ବୋଲି ଦର୍ଶାଇଥିଲେ ସେହି ଜମି ଉପରେ ଦୀର୍ଘ ୪୦ ବର୍ଷ ହେଲା ଶହ ଶହ ପରିବାର ଘରକରି ରହିଆସୁଛନ୍ତି । ଖୋଦ ପୌରପାଳିକାର ଅନେକ ଯୋଜନା ଯଥା ସ୍କୁଲଘର, ଅଙ୍ଗନୱାଡି ଘର, କ୍ଲବଘର, କଂକ୍ରୀଟରାସ୍ତା, ବିଦ୍ୟୁତକରଣ ଇତ୍ୟାଦି ହୋଇଛି । ତଥାପି କୌଣସି ଜବରଦଖଳ ନାହିଁ ବୋଲି ପ୍ରଶାସନ ରିପୋର୍ଟ ଦେଇଥିଲା ଓ ଶେଷରେ ଲୋକଙ୍କ ପ୍ରତିବାଦ ପରେ ସେହି ଠକାମି ଧରାପଡିଲା । ଏବେ ପ୍ରଶାସନ ଇନ୍ଦିରା ନଗରରୁ ଧ୍ୟାନ ହଟାଇ ପହଞ୍ଚିଛି ବଲାଙ୍ଗୀର ସହର ତଥା ଓଡିଶାର ସର୍ବପୁରାତନ ଗୋଶାଲା ଥିବା ଜମିକୁ । ଦୀର୍ଘ ୧୦୪ ବର୍ଷ ଧରି ରହିଆସିଥିବା ଗୋଶାଲା ଥିବା ଜମିରେ କୋର୍ଟ ବିଲ୍ଡିଂ ନିର୍ମାଣ କରିବାକୁ ରାଜ୍ୟ ସରକାର ତଥା କୋର୍ଟକୁ ପ୍ରସ୍ତାବ ଦେଇଛି । ଯାହାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି ଓ ଏହାର ପ୍ରତିବାଦରେ ପୃଥ୍ବୀରାଜ ଗୋଶାଳାର ପରିଚାଳନା କମିଟି ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି । ହାଇକୋର୍ଟ ଏହି ମାମଲାକୁ ଗ୍ରହଣ କରି ଆସନ୍ତା ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ନୋଟିସ କରିଥିବା ଜଣାଯାଇଛି ।

ମିଳିଥିବା ସୂଚନାରୁ ଜଣାଯାଇଛି ଯେ, ପାଟଣାଗଡଜାତ ରାଜ୍ୟ ସମୟରେ ୧୯୧୯ ମସିହାରେ ରାଜାଙ୍କ ଦେୱାନ ଦେଓରାଜ ଆନନ୍ଦ ଲର୍କିପାଲି ମୌଜାର ୫ ଏକର ଜମିରେ ଏକ ଗୋଶାଳା ନିର୍ମାଣ କରାଇଥିଲେ । ସେହି ଗୋଶାଳାକୁ ମହାରାଜା ପୃଥ୍ବୀରାଜ ସିଂଦେଓଙ୍କ ସମ୍ମାନାର୍ଥେ ମହାରାଜାଙ୍କ ନାମରେ ନାମିତ କରିଥିଲେ । ସେହିଦିନରୁ ଆଜି ପର୍ଯ୍ୟନ୍ତ ୧୦୪ ବର୍ଷ ଧରି ସେହି ଜମିରେ ପୃଥ୍ବୀରାଜ ଗୋଶାଳା ଚାଲିଆସୁଛି । ସ୍ଵାଧିନତା ପରେ ରାଜାମାନଙ୍କ କ୍ଷମତା ଚାଲିଗଲାପରେ ଏହାର ପରିଚାଳନାରେ ଅସୁବିଧା ଦେଖାଦେବାରୁ ଏହି ଗୋଶାଳାକୁ ପରିଚାଳନା କରୁଥିବା କମିଟି ୧୯୫୭ ମସିହାରେ ଏହାକୁ (ସୋସାଇଟି ରେଜିଷ୍ଟ୍ରେସନ ଏକ୍ଟ ୧୮୬୦)ରେ ପଞ୍ଜିକରଣ କରିଥିଲେ । ପୃଥ୍ବୀରାଜ ଗୋଶାଳା ୨୦୦/୨୨ ତା ୨୦.୦୯.୧୯୫୭ରେ ପଞ୍ଜିକୃତ ହୋଇଛି । ବଲାଙ୍ଗୀର ସହର ତଥା ଆଖାପାଖର ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଏହି ଗୋଶାଳା ପରିଚାଳିତ ହେଲା । ପରେ ଗୋଶାଳାର ସମ୍ମୁଖଭାଗରେ ୮ଟି ଷ୍ଟଲ ନିର୍ମାଣ କରାଯାଇଛି । ସେହିଷ୍ଟଲ ଗୁଡ଼ିକୁ ବ୍ୟବସାୟୀଙ୍କୁ ଭଡାରେ ଦିଆଯାଇଛି । ଷ୍ଟଲଭଡା ତଥା ଗୋସାଳାରୁ ଉତ୍ପାଦିତ କ୍ଷୀରବିକ୍ରୀରୁ ଯେତିକି ଅର୍ଥ ଆୟ ହୁଏ ସେଥିରେ ଗାଈମାନଙ୍କ ଖାଦ୍ୟ କିଣିବା ଓ ଗାଈମାନଙ୍କ ସେବାପାଇଁ ନିଯୁକ୍ତ କର୍ମଚାରୀଙ୍କୁ ଦରମାଦେବାରେ ଅଣ୍ଟେନାହିଁ । ଫଳରେ ବଦାନ୍ୟବ୍ୟକ୍ତିଙ୍କ ଦାନରେ ଏହି ଗୋଶାଳା ଆଜି ମଧ୍ୟ ପରିଚାଳିତ । ୧୯୧୯ ମସିହାରୁ ଦୀର୍ଘ ୧୦୪ ବର୍ଷ ଧରି ପରିଚାଳିତ ହୋଇଆସୁଥିବା ଏହି ଗୋଶାଳା ଉପରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନର ନଜର ପରିଛି । ଗୋଶାଳାକୁ ଭାଙ୍ଗି ଏଠାରେ ବଲାଙ୍ଗୀର ସିଭିଲକୋର୍ଟର ନୂଆ ବିଲଡିଂ ନିର୍ମାଣ କରାଇବାକୁ ରାଜ୍ୟ ସରକାରଙ୍କୁ ଜିଲ୍ଲାପାଳ ପ୍ରସ୍ତାବ ଦେଇଛନ୍ତି । ବଲାଙ୍ଗୀର ତହସିଲ ଲର୍କିପାଲି ମୌଜାର ଖାତାନମ୍ବର-୩ର ପ୍ଲଟନମ୍ବର ୩୦୦୨ର ୫ ଏକର ୯୩୮ ଡେସିମିଲ ଜମିକୁ ପ୍ରଶାସନ ନୂତନ କୋର୍ଟ ବିଲ୍ଡିଂ ନିର୍ମାଣ ପାଇଁ ଦେବାକୁ ପ୍ରସ୍ତାବ କରୁଛି । ଫଳରେ ପ୍ରଶାସନର ଏଭଳି କାର୍ଯ୍ୟକଳାପରେ ପୃଥ୍ବୀରାଜ ଗୋଶାଳାର ପରିଚାଳନା କମିଟି ଗଭୀର ଉଦବେଗ ପ୍ରକାଶ କରିଛି ।

ପରିଚାଳନା କମିଟିର ସଭାପତି ସି.ଏ. ନରେନ୍ଦ୍ର କୁମାର ଜୈନ ଏନେଇ କହିଛନ୍ତି ଯେ, ପ୍ରଶାସନର ଏହି ବେଆଇନ ନିଷ୍ପତ୍ତି ବିରୁଦ୍ଧରେ ଆମେ ହାଇକୋର୍ଟରେ ଆବେଦନ କରିଛୁ । ହାଇକୋର୍ଟ ଏହି ଆବେଦନକୁ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି । ଶ୍ରୀ ଜୈନ କହିଛନ୍ତି ଯେ, ପୃଥ୍ବୀରାଜ ଗୋଶାଳା ବଲାଙ୍ଗୀରବାସୀଙ୍କ ପାଇଁ ଏକ ଐତିହାସିକ ସ୍ଥଳି । ଦୀର୍ଘ ୧୦୪ ବର୍ଷ ହେଲା ଏଠାରେ ଗୋସେବା କରାଯାଇ ଆସୁଛି । ଏବେ ମଧ୍ୟ ୨୦୦ରୁ ଉର୍ଦ୍ଧ୍ଵ ଗାଈ ରହିଛନ୍ତି । ୨୦ ଜଣ ଲୋକ ନିଯୁକ୍ତ ହୋଇ ରୀତିମତ ସେମାନଙ୍କର ସେବା କରି ଜୀବିକା ନୀର୍ବାହ କରୁଛନ୍ତି । ୨୦୨୨ ମସିହାରେ ପୌରପାଳିକା ପୃଥ୍ବୀରାଜ ଗୋଶାଳା ପରିଚାଳନା କମିଟି ସହିତ ଚୁକ୍ତି କରି ବୁଲାଗାଈମାନଙ୍କୁ ଆଣି ମଧ୍ୟ ରଖାଯାଉଛି । ସେହିପରି ଗୋସେବା ପାଇଁ ସମର୍ପିତ ଥିବା କର୍ତ୍ତବ୍ୟ ଫାଉଣ୍ଡେସନ ମଧ୍ୟ ଅସହାୟ ବୃଦ୍ଧ/ବୃଦ୍ଧା ଗାଈ ତଥା ଦୁର୍ଘଟଣାରେ ଆହତ ଗାଈଙ୍କୁ ଆଣି ଏଠାରେ ନିର୍ମିତ ଏକ ସ୍ଵତନ୍ତ୍ରସେଡରେ ରଖି ସେବାଯତ୍ନ କରୁଛନ୍ତି । ଓଡିଶାର ରାଜ୍ୟପାଳ ଓ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଗୋଶାଳାକୁ ପରିଦର୍ଶନ କରି ପ୍ରଶଂସା କରିଛନ୍ତି । ତେଣୁ ଏଭଳି ଏକ ମହତସେବା କାମ ଚାଲୁଥିବା ସଂସ୍ଥାକୁ ହଟାଇ ସେହି ଜମିରେ କୋର୍ଟ ନିର୍ମାଣକୁ ବହୁବୁଦ୍ଧିଜୀବି ନାପସନ୍ଦ କରୁଛନ୍ତି । ଜିଲ୍ଲା ପ୍ରଶାସନ ଏହାର ପୁନଃର୍ବିଚାର କରିବାକୁ ଜନସାଧାରଣରେ ଦାବି ହେଉଛି । ଏନେଇ ଅତିରିକ୍ତ ଜିଲ୍ଲପାଳ ଲମ୍ବୋଦର ଧରୁଆଙ୍କୁ ପଚାରିବାରୁ ସେହି ଜମିର ରେକର୍ଡ ଗୋଶାଳା ନାମରେ ନାହିଁ ଏବେ ମଧ୍ୟ ପୂର୍ତ୍ତବିଭାଗ ନାମରେ ଆରଓଆର ରହିଛି । ଆମେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛୁ । ତାହା କୋର୍ଟକୁ ବିଚାର ପାଇଁ ଗଲାଣି । କୋର୍ଟ ଏବଂ ରାଜ୍ୟ ସରକାର ଏହା ଉପରେ ଯାହା ନିଷ୍ପତି ନେବେ ତାହା କରାଯିବ ବୋଲି ଶ୍ରୀ ଧରୁଆ କହିଛନ୍ତି।

Leave a Reply

Your email address will not be published. Required fields are marked *