ରୁଗୁଡ଼ି ପାଲି ଗ୍ରାମରେ ବାଇପାସ୍ ରାସ୍ତା ପାଇଁ ମନ୍ତ୍ରୀଙ୍କ ପାଖରେ ଦାବି

Spread the love

ବଲାଙ୍ଗିର : ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଅଞ୍ଚଳର ପର୍ଯ୍ୟଟନସ୍ଥଳି ଭୀମପାହାଡ ଏବଂ ଚାନ୍ଦଲୀର ବିଭିନ୍ନ ଉନ୍ନୟନକାମ ତଥା ଅନ୍ୟାନ୍ୟ ସମସ୍ୟା ବିଷୟରେ ଦେଓଗାଁଅଞ୍ଚଳର ଏକ ପ୍ରତିନିଧିମଣ୍ଡଳି ରାଜ୍ୟସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବମାନଙ୍କୁ ଭେଟି ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ବଲାଙ୍ଗୀର ଜିଲ୍ଲାର ଭୀମପାହାଡ ପର୍ଯ୍ୟଟନସ୍ଥଳୀକୁ ପୂର୍ତ୍ତବିଭାଗ ରୋଡରୁ ରୁଗୁଡିପାଲିଦେଇ ଯେଉଁ ଆରଡି ରାସ୍ତା ଯାଇଛି ତାହା ଗ୍ରାମଭିତର ଦେଇ ଯାଇଛି । ଗ୍ରାମଭିତରେ ଏହା ସରୁ ଏବଂ ଅଙ୍କାବଙ୍କା ହୋଇଯାଇଛି । ଫଳରେ ପର୍ଯ୍ୟଟକଙ୍କୁ ଯିବା ଆସିବାରେ ଅସୁବିଧା ହେଉଛି । ତେଣୁ ରୁଗୁଡିପାଲି ଗାଁବାହାରେ ଏକ ବାସପାସ ରାସ୍ତା ନିର୍ମାଣ କରିବାକୁ ଦାବି ହେଉଛି । ଏନେଇ ଭୀମପାହାଡ ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେରଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଭୁବନେଶ୍ୱର ଯାଇ ଗ୍ରାମ୍ୟଉନ୍ନୟନ ବିଭାଗରମନ୍ତ୍ରୀ ପ୍ରୀତିରଂଜନ ଘଡାଇଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି । ଏହି ଦାବିପତ୍ରରେ ରୁଗୁଡିପାଲି ବାଇପାସ ସମେତ ଭୀମଡୁଙ୍ଗୁରୀ ପାହାଡତଳରୁ ଭୀମକଟା ପର୍ଯ୍ୟନ୍ତ ଯାଇଥିବା ରାସ୍ତାନିର୍ମାଣ କରିବାକୁ ଦାବି କରାଯାଇଛି । ଏହି ରାସ୍ତାହେଲେ ପାର୍କ,କାଫେ ତଥା ଭୀମକଟାର ବୋଟିଂସ୍ଥଳକୁ ପର୍ଯ୍ୟଟକମାନେ ସୁବିଧାରେ ଯିବା ଆସିବା କରିପାରିବେ ବୋଲି କୁହାଯାଇଛି । ଗ୍ରାମ୍ୟଉନ୍ନୟନ ବିଭାଗ ଏଦିଗରେ ତୁରନ୍ତ ପଦକ୍ଷେପ ନେବ ବୋଲି ମନ୍ତ୍ରୀ ଶ୍ରୀ ଘଡେଇ ପ୍ରତିଶୃତି ଦେଇଥିବା ମହୋତ୍ସବ କମିଟି କହିଛନ୍ତି । ସେହିପରି ଭୀମପାହାଡର ଅନ୍ୟାନ୍ୟ ଉନ୍ନୟନକାମ ଓ ଚାନ୍ଦଲୀଠାରେ ଥିବା ମେହେରକଟାର ପୁନଃରୁଦ୍ଧାର କରାଇବା ତଥା ସାଲେପାଲି ଗ୍ରାମପଞ୍ଚାୟତର ନୂତନ ପଞ୍ଚାୟତଗୃହ ନିର୍ମାଣ ପାଇଁ ଅନୁଦାନ ଦାବିକରି ପରିବେଶ ଓ ଜଙ୍ଗଲବିଭାଗ ତଥା ପଞ୍ଚାୟତ ଓ ଗ୍ରାମ୍ୟ ପାନୀୟଜଳ ବିଭାଗର ମନ୍ତ୍ରୀ ପ୍ରଦିପ ଅମାତଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଛନ୍ତି । ଠିକ ସେହିପରି ଭୀମପାହାଡ ପର୍ଯ୍ୟଟନସ୍ଥଳୀରେ ଏଠିକାର ଐତିହ୍ୟବହନ କରୁଥିବା ସହିଦ ଧରମସିଂ ମାଝୀମାନଧାତାଙ୍କ ଏକ ପୂର୍ଣ୍ଣାବୟବ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ମଧ୍ୟ ଭେଟି ଆଲୋଚନା କରିବା ସହିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଭାରତୀୟ ସ୍ୱାଧିନତାସଂଗ୍ରାମର ବହୁପୂର୍ବରୁ ଘୁମୁସର,କଳାହାଣ୍ଡି ଓ ପାଟଣା ଅଞ୍ଚଳରେ କନ୍ଧମେଳି ହୋଇଥିଲା । ସେହି ସମୟରେ ଏହି କନ୍ଧମେଳିରେ ଘୁମୁସରର ଚକୋରା ବିଶୋଇ,ଉର୍ଲାଦାନୀର ରେଣ୍ଡୋ ମାଝୀ ଓ ଆଟଗାଁ ଜମିଦାର ଧରମସିଂ ମାଝୀମାନଧାତା ନେତୃତ୍ୱ ନେଇଥିଲେ । ଐତିହ୍ୟପୂର୍ଣ୍ଣ ଭୀମପାହାଡର ଗୁମ୍ଫା ଥିଲା ଏମାନଙ୍କର ଆଶ୍ରୟସ୍ଥଳି । ଅନେକ ସ୍ଥାନରେ ଚକୋରା ବିଶୋଇ,ରେଣ୍ଡୋ ମାଝୀଙ୍କର ପ୍ରତିମୂର୍ତ୍ତି ସ୍ଥାପନ ହୋଇସାରିଥିବା ବେଳେ କୌଣସି ସ୍ଥାନରେ ଧରସିଂ ମାଝୀ ମାନଧାତାଙ୍କର ପ୍ରତିମୂର୍ତ୍ତି ବସିପାରିନାହିଁ । ତେଣୁ ଧରସିଂ ମାଝୀମାନଧାତାଙ୍କ ସ୍ମୃତିରକ୍ଷା ପାଇଁ ପର୍ଯ୍ୟଟନସ୍ଥଳୀ ଭୀମପାହାଡଠାରେ ତାଙ୍କର ପୂର୍ଣ୍ଣାବୟବ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ବହୁଦିନରୁ ଦାବି ହୋଇଆସୁଛି । ଏଦିଗରେ ସରକାର ପଦକ୍ଷେପ ନେବେ ବୋଲି ଅତିରିକ୍ତ ମୁଖ୍ୟଶାସନ ସଚିବ ମଧ୍ୟ ପ୍ରତୃଶୃତି ଦେଇଥିବା ମହୋତ୍ସବ କମିଟି ସୂଚନା ଦେଇଛି । ମହୋତ୍ସବ କମିଟିର ଏହି ପ୍ରତିନିଧିଦଳରେ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର,କମିଟିର ସଭାପତି ପ୍ରମୋଦ ବହିଦାର,ଦେଓଗାଁ ବ୍ଲକର ଯୁବବିଜେଡି ସଭାପତି ଶୈଳେନ୍ଦ୍ର ସାହୁ ଓ ମକୁନ୍ଦପୁର ସମିତିସଭ୍ୟ ଅଭିମନ୍ୟୁ ମାଝୀ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *