ଉନ୍ନୟନ ସମନ୍ଵୟ ଓ ତଦାରଖ କମିଟି (ଦିଶା ) ବୈଠକ ଅନୁଷ୍ଠିତ

Spread the love

ବଲାଙ୍ଗିର : ଆଜି ସକାଳେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବଲାଙ୍ଗିର ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ତଦାରଖ କମିଟି (ଦିଶା) ର ବୈଠକ କମିଟିର ଅଧ୍ୟକ୍ଷା ତଥା ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଜିଲ୍ଲାପାଳ ଚଞ୍ଚଳ ରାଣା, ବିଭିନ୍ନ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅଧ୍ୟକ୍ଷା, ଦିଶା କମିଟିର ମନୋନୀତ ସଦସ୍ୟ ସଦସ୍ୟାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରାଣା ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ ଆଲୋଚ୍ୟ ବିଷୟ ଉପସ୍ଥାପନା କରିଥିଲେ । ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଓ ସମୃଦ୍ଧି ସକାଶେ ବିଭାଗୀୟ ଅଧିକାରୀ ମାନେ ଉତ୍ତମ ସମନ୍ଵୟ ରଖି ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପାଦନ କରିବା ସହ ଯୋଜନା ଗୁଡିକ ଯେପରି ତୃଣମୁଳ ସ୍ତରରେ ପହଞ୍ଚିପାରିବ ସେଥିପ୍ରତି ଯତ୍ନବାନ ହେବାକୁ ଅଧ୍ୟକ୍ଷା ଶ୍ରୀମତୀ ସିଂହଦେଓ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସେ ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତା ଗୁଡିକର ସ୍ଥିତି ସମ୍ପର୍କରେ ସମୀକ୍ଷା କରି ଅସମ୍ପୂର୍ଣ୍ଣ ରାସ୍ତା ଗୁଡିକର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ଏବଂ ଧାର୍ଯ୍ୟ ମାନଦଣ୍ଡକୁ ବଜାୟ ରଖି ଗୁଣବତ୍ତାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାସ୍ତାକାମ ନିମ୍ନ ମାନର ହୋଇଥିବା ଅଭିଯୋଗ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇ ଏହାର ଗୁଣବତ୍ତା ଉପରେ ସ୍ଵତନ୍ତ୍ର ଯାଞ୍ଚ କରାଯିବା ନିମନ୍ତେ ବଲାଙ୍ଗିର ବିଧାୟକ ମିଶ୍ର କମିଟିର ଅଧ୍ୟକ୍ଷାଙ୍କୁ ଅବଗତ କରିଥିଲେ । ସରକାରଙ୍କ ବିଭିନ୍ନ ଯୋଜନାର ରୂପରେଖ ଓ କାର୍ଯ୍ୟକାରିତା ଏବଂ ହିତାଧିକାରୀ ମାନେ ପାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ଏକ ସୂଚନା ପତ୍ର ପ୍ରସ୍ତୁତ କରି ସମସ୍ତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଅବଗତ କରିବାକୁ କମିଟିର ଅଧ୍ୟକ୍ଷା ଶ୍ରୀମତୀ ସିଂହଦେଓ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅମୃତ ଯୋଜନାରେ ଅନ୍ତର୍ଗତ ମହାରାଣୀ ସାଗର ଏବଂ ଶିବ ବନ୍ଧରେ ଯଥା ଶୀଘ୍ର କାମ ଶେଷ କରିବା ସହ ଅନ୍ୟ ବନ୍ଧଗୁଡିକର ଡିପିଆର ଶେଷ କରିବାକୁ ମିଶ୍ର ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଏମଜିଏନଆରଇଜିଏ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଓ ସହରାଞ୍ଚଳ, ଜାତୀୟ ସ୍ଵାସ୍ଥ୍ୟ ମିଶନ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସେ ସମୀକ୍ଷା କରିଥିଲେ । ତୁରେକେଲା ଲାଠୋର ଅନ୍ତର୍ଗତ ଟାଟା ପାୱାରର ୩୩ କେଭି ଲାଇନ ବିଛେଇବାକୁ ନେଇ ହୋଇଥିବା ଅସୁବିଧାକୁ ଯଥା ଶୀଘ୍ର ସମାଧାନ କରିବାକୁ ଟିପିଡବ୍ଲୁଓଡିଲ କର୍ତୁପକ୍ଷଙ୍କୁ ନିର୍ଦେଶ ଦେଇଥିଲେ । ବୈଠକ ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *