ଜରାସିଂହା ବୁଢିଆଇ ଠାକୁରାଣୀଙ୍କ କାଦୋ ଯାତ୍ରା ଅନୁଷ୍ଠିତ

Spread the love

ବଲାଙ୍ଗିର : ଦେଓଗାଁ ବ୍ଳକ ଜରାସିଂହାରେ ବହୁ ପ୍ରତୀକ୍ଷିତ କୃଷି ଭିତ୍ତିକ ପର୍ବ ବୁଢ଼ିଆଈ ଯାତ୍ରା ବା କାଦୋଯାତ୍ରା ସୋମବାର ଉଦ୍ଯାପିତ ହୋଇଯାଇଛି । ପୂର୍ବ ପ୍ରସ୍ତୁତି ଅନୁସାରେ ସୋମବାର ୧୧ଟା ସମୟରେ ବୁଢ଼ିଆଈ ମନ୍ଦିରରେ ପୂଜା ଆରମ୍ଭ ହୋଇଥିଲା । ୧୨ଟା ସମୟରେ ବଳାଙ୍ଗିର ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲା ଶ୍ରଦ୍ଧାଳୁମାନଙ୍କ ଧାର ଦେଖିବାକୁ ମିଲିଥିଲା । ଯେହେତୁ ଏହା ଏକ କୃଷିଭିତ୍ତିକ ପର୍ବ ଓ ଏହି ପର୍ବରେ ଚଳିତ ବର୍ଷା ଓ ଚାଷକୁ ନେଇ ଆକଳନ କରାଯିବାର ପରମ୍ପରା ରହିଛି, ତେଣୁ ବହୁ ଚାଷୀ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ଏହି ଐତିହାସିକ ଯାତ୍ରା ପ୍ରତିବର୍ଷ ପରି ଆଷାଢ଼ ଶୁକ୍ଲ ତ୍ରୟୋଦଶୀ ତିଥିରେ ଅର୍ଥାତ ଶନିବାର ଦିନ ଗୋରସ ରୋକା ହେବା ସହ ମନ୍ଦିରରେ ପୂଜା ଆରମ୍ଭ ହୋଇଥିଲା । ଶନିବାର ଦିନ ଗାଁର ସମସ୍ତ ଶ୍ରଦ୍ଧାଳୁ ନିଜ ନିଜ ଘରୁ ଗୋରସ ଆଣିବା ପର ବୁଢ଼ିଆଈ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା । ରବିବାର ଦିନ ସନ୍ଧ୍ୟାରେ ପେଠା ବାବୁ ଶଙ୍କର ସିଂ ବାବୁଙ୍କ ଦ୍ଵାରା ସେରନିବଟା ହୋଇଥିଲା । ଏହାପରେ ସମସ୍ତ ଦେହେଲିଆଙ୍କୁ ଲାଟ ବଣ୍ଟାଯିବା ପରେ ତଲେଇବସା ପର୍ବ ପରେ ଉପେନପିଟା କରାଯାଇଥିଲା । ସୋମବାର ଦେହେରୀ ଓ ଝାଙ୍କରଙ୍କୁ ବରଣ କରାଯିବା ପରେ ଯାତ୍ରା ଆରମ୍ଭ ହୋଇଥିଲା । ବୁଢ଼ିଆଈ ଯାତ୍ରାର ମୁଖ୍ୟ ବରୁଆ ଭାବେ ସନ୍ତୋଷ ଥାନପତି ଦାୟିତ୍ଵ ନେଇଥିବା ବେଳେ ଜମିଦାର ଦୁର୍ଗାପ୍ରସାଦ ସିଂଦେଓ, ପୂଜକ ଉଜ୍ବଳ ଝାଙ୍କର, ସାହାଣି-ନାରାୟଣ ସିଂ ସାହାଣି, ପେଠା ବାବୁ ଶଙ୍କର ସିଂବାବୁ, ମଶାଲ ଶ୍ରୀବତ୍ସ ସାହୁ, ଛତ୍ରିଆ-ଜୟହିନ୍ଦ ଛତ୍ରିଆ ଭୂମିକା ନେଇଥିଲେ । ପୂର୍ବ ବର୍ଷ ପରି ଚଳିତ ବର୍ଷ ବୁଢ଼ିଆଈ ଯାତ୍ରା ପରିଚାଳନା କମିଟିିର ପ୍ରତ୍ୟକ୍ଷ ତତ୍ବାବଧାନରେ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଜରାସିଂହା ଗାଁ ଭିତରେ ଥିବା ବୁଢ଼ିଆଈ ମନ୍ଦିରରେ ଯାତ୍ରା ହୋଇ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲେ ମଧ୍ୟ ଦେଓଗାଁ ପୁଲିସ ସହଯୋଗ ଯୋଗୁଁ ଶାନ୍ତିଶୃଙ୍ଖଳାରେ ଯାତ୍ରା ସମାପନ ହୋଇଥିଲା ।

Leave a Reply

Your email address will not be published. Required fields are marked *