ଲୋୟର ସୁକତେଲ ବିସ୍ଥାପିତଙ୍କୁ ଥଇଥାନ ପ୍ରସଙ୍ଗ : ଭୟର ବାତାବରଣରେ ବିସ୍ଥାପିତ ପରିବାର

Spread the love

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାର ମାଗୁରବେଢାରେ ନିର୍ମାଣ ଚାଲିଥିବା ଲୋୟରସୁକତେଲ ଜଳସେଚନ ପ୍ରକଲ୍ପ କାମ ସରିବା ଉପରେ । ଚଳିତବର୍ଷ ଡ୍ୟାମରେ ପାଣି ଅଟକା ଯାଇସାରିଲାଣି । ଗାଁଗୁଡିକୁ ପାଣି ପଶିବ ବୋଲି ଡ୍ୟାମ ସାଇଟର ଗ୍ରାମଗୁଡିକର ବିସ୍ଥାପିତ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି । ବିସ୍ଥାପିତଙ୍କୁ ସମସ୍ତ ପ୍ରାପ୍ୟ ନଦେଇ ତାଙ୍କୁ ଗାଁ ଛାଡିବାକୁ ବାଧ୍ୟ କରି ତାଙ୍କର ଘରେ ଜେସିବି ଲଗାଇ ଘର ଭାଙ୍ଗି ଦିଆଯାଉଛି ।

ତେବେ ଲୋକମାନେ ପୂର୍ବରୁ ବିସ୍ଥାପନକୁ ବିରୋଧ କରି ଆସୁଥିଲେ ହେଁ ପୋଲିସ ଓ ପ୍ରଶାସନର ବଳ ଆଗରେ ମୁଣ୍ଡ ନୁଆଁଇଲେ । ତାଙ୍କର ପ୍ରାପ୍ୟ ନେଇ ଅନ୍ୟତ୍ର ଯିବାକୁ ହଁ ଭରିଲେ । ହେଲେ ଏବେ ଡ୍ୟାମରେ ପାଣି ରଖିଲା ପରେ ପ୍ରଶାସନ ଗ୍ରାମବାସୀଙ୍କୁ ତଡିବା ଆରମ୍ଭ କରିଛି । ନୀୟମ କହୁଛି ବିସ୍ଥାପିତଙ୍କୁ ତାଙ୍କର ଉଚିତ ପ୍ରାପ୍ୟ ଦେଇ ତାଙ୍କୁ କଲୋନୀରେ ଥଇଥାନ କଲା ପରେ ଘର ତଡିବା କଥା । ବିସ୍ଥାପିତ କଲୋନୀ ନିର୍ମାଣ କରାଇ ସେଠାରେ ଅସ୍ଥାୟୀ ଥଇଥାନ ଗୃହରେ ରଖାଇ ତାଙ୍କର ନିଜସ୍ୱ ଗୃହ ନିର୍ମାଣ କରାଇବାର ନୀୟମ ରହିଛି । ଯେଉଁ ବିସ୍ଥାପିତ କଲୋନୀରେ ଲୋକଙ୍କୁ ଯାଗା ଦିଆଯିବ ସେଠାରେ ପାନୀୟଜଳ, ବିଦ୍ୟୁତ, ଶିଶୁଙ୍କ ପାଇଁ ଅଙ୍ଗନୱାଡି କେନ୍ଦ୍ର, ସ୍କୁଲଘର, ଏଏନଏମସେଣ୍ଟର, କମ୍ୟୁନିଟିସେଣ୍ଟର, ପୂଜାପାଇଁ ମନ୍ଦିର ଇତ୍ୟାଦି ନିର୍ମାଣ କରାଯିବାର ନିୟମ ରହିଛି ।

କିନ୍ତୁ ପ୍ରଶାସନ ଏବେ ଡ୍ୟାମରେ ପାଣି ରଖିଲା ପରେ ଜଙ୍ଗଲ ତଳେ କେବଳ ମାଟିକୁ ହାଣି ସାମାନ୍ୟ ସମତୁଲ କରି ସେଠାରେ ବିସ୍ଥାପିତଙ୍କୁ ଘର ନିର୍ମାଣ କରି ରହିବାକୁ କୁହାଯାଉଛି । ପୂର୍ବରୁ ବଲାଙ୍ଗୀର ସଦାଇପାଲି, ଲର୍କିପାଲିରେ ବିସ୍ଥାପିତ କଲୋନୀ ନିର୍ମାଣ କରାଯାଇଥିôବା ବେଳେ ଏବେ ଝାଙ୍କରପାଲି, ଗେଡାବାଞ୍ଜି ଛକ, ହର୍ଡାଟାଲ, ଢୁଲୁସର, କୁସମେଲ ଇତ୍ୟାଦି ଅଞ୍ଚଳରେ ବିସ୍ଥାପିତ କଲୋନୀ କରାଯାଉଛି । ବଲାଙ୍ଗୀର-ପାଟଣାଗଡ ରାସ୍ତାକଡେ ଝାଙ୍କରପାଲି ମୌଜାର ଜଙ୍ଗଲ ତଳେ ଗଡଶଙ୍କର ଡୁଙ୍ଗୁରିପାଲିର ବିସ୍ଥାପିତ ପରିବାରଙ୍କୁ ଯାଗା ଦିଆଯାଇଛି । ପ୍ରତ୍ୟେକ ପରିବାରକୁ ୫ଡେସିମିଲ ହିସାବରେ ଜମି ଦିଆଯାଇଛି । ସେମାନେ ପାଇଥିବା ମୁଣ୍ଡପିଛା ସହାୟତା ଅର୍ଥରେ ଏଠାରେ ଗୃହନିର୍ମାଣ କରୁଛନ୍ତି । ଗଡଶଙ୍କର ଡୁଙ୍ଗୁରିପାଲିର ଅନେକ ପରିବାର ଆଜି ପର୍ଯ୍ୟନ୍ତ ଜମି ଓ ଗଛର ଟଙ୍କା ପାଇନାହାଁନ୍ତି । କିନ୍ତୁ ତଥାପି ସେମାନଙ୍କୁ ଘରୁ ଜବରଦସ୍ତ ତଡାଯାଇ ଏଠାରେ ଆଣି ରଖାଯାଇଛି ବୋଲି ଅଭିଯୋଗ ହେଉଛି । ତେବେ ଏଠାରେ ବିସ୍ଥାପିତଙ୍କ ପାଇଁ ପ୍ରଶାସନ ଅସ୍ଥାୟୀ ଟିଣଘର ନିର୍ମାଣ କରାଉଛି । ୧୨ଫୁଟ ଚଉଡା ଓ ୧୪ଫୁଟ ଲମ୍ବର ଏକ ଟିଣଘର କରାଯାଉଛି । ନିୟମ ରହିଛି ଏହି ଘରପାଇଁ ତଳେ ଦଇଫୁଟର ସବ୍ ବେସ୍ କରାଯାଇ କଂକ୍ରୀଟ ଦେଇ ଲୁହା ଆଙ୍ଗେଲ ଲଗାଯିବ ଓ ଚାରିପଟେ ଟିଣ ଲଗାଯିବ । ଉପରେ ମଧ୍ୟ ଟିଣ ଆଜବେଷ୍ଟସ ଲଗାଯିବ । କିନ୍ତୁ ଝାଙ୍କରପାଲି ବିସ୍ଥାପିତ କୋଲନୀରେ ଅତି ନିମ୍ନମାନର ଘର ନିର୍ମାଣ କରାଯାଉଛି । ସବ୍ ବେସ୍ ଅତି ନମ୍ନ ମାନର ହେଉଥିବା ସେଠାରେ ରହୁଥିବା ଲୋକ ଅଭିଯୋଗ କରୁଛନ୍ତି । ତଳେ ବାଲି ନଦେଇ କେବଳ ମାଟି ଓ ମୋରମ ଦେଇ ସବ୍ ବେସ୍ କରାଯାଉଥିବା ବେଳେ ଟିଣ ଘରୁ ବର୍ଷାରେ ପାଣି ମଧ୍ୟ ଗଳୁଛି । ଏହି ବିସ୍ଥାପିତ କଲୋନୀ ମଧ୍ୟ ଦେଇ ଜଙ୍ଗଲରୁ ଆସିଥିବା ନାଳ ବହିଯାଇଛି । ଗତଦୁଇଦିନ ତଳେ ପ୍ରବଳ ବର୍ଷାରେ ପାଣି ଯାଇନପାରି ଅନେକ ଅନେକ ଲୋକଙ୍କ ଅସ୍ଥାୟୀ ଘରକୁ ପାଣି ପଶିଯାଇଥିଲା । ଫଳରେ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାରେ ରାତି କଟାଇଥିଲେ । ନାଳ ପାଣିକୁ ତଳକୁ ବହିଯିବାର ବ୍ୟବସ୍ଥା କରାଯାଇ ନଥିବାରୁ ବିସ୍ଥାପିତଙ୍କ ପାଇଁ ଏହା କାଳ ସାଜିଛି । ବିସ୍ଥାପିତ କଲୋନୀକୁ ଗତ ୨୦ଦିନ ହେଲା ଲୋକମାନେ ପରିବାର ଧରି ଆସି ଅସ୍ଥାୟୀ ଘରେ ରହୁଥିବା ବେଳେ ଗତ ଦୁଇଦିନ ତଳେ କଲୋନୀକୁ ବିଦ୍ୟୁତ ସଂଯୋଗ କରାଯାଇଛି । ତେବେ ଏପର୍ଯ୍ୟନ୍ତ କେବଳ ବିଦ୍ୟୁତଖୁଣ୍ଟରେ ବଲ୍ୱ ଲଗାଯାଇଛି କିନ୍ତୁ ଘରକୁ ବିଦ୍ୟୁତ ସଂଯୋଗ କରାଯାଉନାହାଁନ୍ତି । ଜଙ୍ଗଲ କଡେ କଲୋନୀ ରହିଥିବାରୁ ବନ୍ୟଜନ୍ତୁ ଓ ବିଷଧର ସାପଙ୍କ ଭୟ ଥିବାବେଳେ ପ୍ରଶାସନ ସେହି ସମସ୍ୟାକୁ ଦୃଷ୍ଟି ଦେଉନାହିଁ ।

ଗଡଶଙ୍କର ଡୁଙ୍ଗୁରିପାଲି ଗାଁରେ ଲୋକଙ୍କ ପୂର୍ବରୁ ବହୁତ ପରିମାଣରେ ବିଦ୍ୟୁତ ବିଲ ବାକିଆ ଥିବା ଆଳ କରି ଟାଟା କମ୍ପାନୀ ବିସ୍ଥାପିତଙ୍କ ଘରକୁ ବିଦ୍ୟୁତ ସଂଯୋଗ କରୁନାହିଁ । ଆଜି ଆମେ ଏହି କଲୋନୀକୁ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ଟାଟା କମ୍ପାନୀର କନିଷ୍ଠ ଯନ୍ତ୍ରୀ ଇଂ. ବୈଭବ ମଧୁକର ପାୱସଙ୍କୁ ପଚାରିବାରୁ ଆମକୁ ନିର୍ଦ୍ଦେଶ ରହିଛି ପୁରୁଣା ବିଲ ପଇଠ ନହେଲେ ବିଦ୍ୟୁତ ସଂଯୋଗ କରାଯିବ ନାହିଁ  ।

ଏନେଇ ଲୋକମାନେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ ହେଁ ସେ ମଧ୍ୟ ବହୁତ ଟଙ୍କା ପାଇଛ ପୁରୁଣା ବିଦ୍ୟୁତ ବିଲ୍ ଦେଇ ଦିଅ ବୋଲି କହିଥିବା ଲୋକମାନେ ଅଭିଯୋଗ କରିଛନ୍ତି । ଗତ ଦୁଇମାସ ହେଲା ଏମାନେ ଚାଉଳ ମଧ୍ୟ ପାଇନଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଫଳରେ ପ୍ରଶାସନ ବିସ୍ଥାପିତଙ୍କ ପ୍ରତି ସମ୍ବଦନଶୀଳ ନୁହଁନ୍ତି ବୋଲି ବିସ୍ଥାପିତ କଲୋନୀର ଅଭି ପଧାନ, ଶ୍ରୀମତୀ ସତ ପଧାନ ଓ ଅନ୍ୟମାନେ ଅଭଯୋଗ କରିଛନ୍ତି ।

ଝାଙ୍କରପାଲି ବିସ୍ଥାପିତ କଲୋନୀରେ ସ୍କୁଲଗୃହ, ଅଙ୍ଗନୱାଡି କେନ୍ଦ୍ର, ଏଏନଏମ କେନ୍ଦ୍ର ନିର୍ମାଣ ସହିତ ତୁରନ୍ତ ସମସ୍ତ ଗୃହକୁ ବିଦ୍ୟୁତ ସଂଯୋଗ କରିବା, ପାନୀୟ ଜଳ ଯୋଗାଣ କରାଇବାକୁ ବିସ୍ଥାପିତମାନେ ଦାବି କରିଛନ୍ତି । ଏହିସବୁ ଅଭିଯୋଗ ବିଷୟରେ କଲୋନୀ ପରିଦର୍ଶନରେ ଯାଇଥିବା ବଲାଙ୍ଗୀର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଇପ୍ସିତା ପାତ୍ରଙ୍କୁ ପଚାରିବାରୁ ଖାଉଟି କାର୍ଡ ଗୁଡିକ ଅନଲାଇନରେ ଆବେଦନ କରି ପରିବର୍ତ୍ତନ କଲା ପରେ ଚାଉଳ ପାଇବେ ବୋଲି କହିବା ସହିତ ଅନ୍ୟାନ୍ୟ ସମସ୍ୟା ଗୁଡିକର ସମାଧାନ କରାଯାଉଛି ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *