ନିମ୍ବ ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର

Spread the love

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ହରିଶଙ୍କର ଫାଣ୍ଡି ଅନ୍ତର୍ଗତ ବାଗଝରଣ ଗ୍ରାମର ଜଣେ ଯୁବକ ବେକରେ ଗାମୁଛା ଲଗାଇ ପାହାଡ଼ ତଳେ ଥିବା ଗୋଟିଏ ନିମ୍ବ ଗଛରେ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଉତ୍ସ ବାଗ (୫୫) ମୂଳ ନିବାସୀ ଗୋଡ଼ଭଙ୍ଗା ଗ୍ରାମର କିନ୍ତୁ ୨୦ ବର୍ଷରୁ ଅଧିକ ହେଲାଣି ସେ ବାଗଝରଣ ଗ୍ରାମରେ ବାହା ହୋଇ ଜମି ବାଡ଼ି କିଣି ରହୁଥିଲେ । ବର୍ତ୍ତମାନ ତାଙ୍କର ଦୁଇଟି ଝିଅ ଏବଂ ଗୋଟିଏ ପୁଅ ଥିବାବେଳେ ବଡ଼ଝିଅକୁ ଅନ୍ୟତ୍ର ବାହା କରିସାରିଛନ୍ତି । ସେ ଦାଦନ ଖଟି ଦେଢ଼ ମାସ ହେବ ଘରକୁ ଫେରିଛନ୍ତି । ତାଙ୍କ ସାନ ଭାଇଙ୍କ କହିବା ଅନୁଯାୟୀ, ଘରେ ସମସ୍ତେ ଭଲ ଭାବରେ ରହୁଥିଲେ । ଗତ ୧୪ ତାରିଖ ଦିନ ୨ ଟା ବେଳରୁ ସେ ନିଖୋଜ ଥିଲେ । ଏ ବାବଦରେ ଥାନାରେ କୌଣସି ଅଭିଯୋଗ ଦେଇନଥିବା ବେଳେ ତାଙ୍କ ସମ୍ବନ୍ଧୀୟ ଲୋକ ତାଙ୍କୁ ଖୋଜା ଖୋଜି କରି ଆଜି ସକାଳୁ କୁଠୁର୍ଲା ଗ୍ରାମ ନିକଟସ୍ଥ ପାହାଡ଼ ତଳେ ଗୋଟିଏ ନିମ୍ବ ଗଛରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଏ ନେଇ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ଖପ୍ରାଖୋଲ ଥାନା ୟୁ ଡି କେସ ନଂ ୭/୨୦୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଖପ୍ରାଖୋଲ ଡାକ୍ତରଖାନାକୁ ପଠାଇଥିବା ଜଣାପଡ଼ିଛି । ତେବେ ଉତ୍ସ ବାଗଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ତଦନ୍ତ କଲା ପରେ ଏବଂ ପୋଷ୍ଟମାର୍ଟମ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *