ଓଡ଼ିଶା

ବାଲିଯାତ୍ରା ପଡିଆ ପାଲଟିଛି ଅସାମାଜିକ ତତ୍ତ୍ବଙ୍କ ପେଣ୍ଠ

କଟକ: ବାହାଘର ପରେ ବେଦୀ ମୁଁହ ପୋଡା ଭଳି ବାଲିଯାତ୍ରା ପରେ ବାଲିଯାତ୍ରା ପଡିଆ ହୋଇଛି ଅଣଦେଖା । କୁଢ଼ କୁଢ଼ ଅଳିଆର ବିକଳ ଚିତ୍ର । ବିଶେଷ କରି ବାଲିଯାତ୍ରା ମୁଖ୍ୟ ଆକର୍ଷଣ ପାଲଟି ଥିବା କଟକ ଇନ କଟକ ହୋଇଛି ଶ୍ରୀହୀନ । କଟକ ଇନ କଟକରେ ବଢ଼ିଲାଣି ଅରାଜକତା ।  ବିରୋଧୀ ଦଳ ତୁରନ୍ତ ଏହାକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେଇ ରକ୍ଷଣାବେକ୍ଷଣ କରିବାକୁ ଦାବି କରିଥିବା ବେଳେ ଖୁବଶୀଘ୍ର ରକ୍ଷଣାବେକ୍ଷଣ ହେବ ବୋଲି କହିଛନ୍ତି ମେୟର।

ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା କଟକ ଇନ କଟକ । ସିଏମସି ତରଫରୁ ଏହି ଗଛଭରା ସ୍ଥାନଟିକୁ ଏକ ନବବଧୂ ପରି ସଜେଇ ଲୋକଙ୍କ ଠାରୁ ସାଉଁଟିଥିଲେ ଅଜସ୍ର ବାଃ ବାଃ । ମାତ୍ର ଏବେ ସେ ନବବଧୂ କଟକ ଇନ କଟକ ଏବେ ଅଳିଆ ଗଦାର ଘର ପାଲଟିଛି । ସଞ୍ଜ ନଇଁଲେ ଜମୁଛି ମଦ୍ୟପ ଆଉ ଅସମାଜିକଙ୍କ ଆଡ୍ଡା  । କୋଟି କୋଟି ଟଙ୍କା ବ୍ୟୟରେ ହୋଇଥିବା ବିଭିନ୍ନ କାରୁକାର୍ଯ୍ୟ ଏବେ ନଷ୍ଟ ହେଉଛି । ଆଲୋକମାଳାରେ ସୁସଜ୍ଜିତ ହୋଇଥିବା ଏ ସୁନ୍ଦର ସ୍ଥାନ ଏବେ ଘମାଘୋଟ ଅନ୍ଧାର ଭିତରେ ନିଜ ପୂର୍ବ ସ୍ଥିତି ଖୋଜୁଛି । ଏହି ସ୍ଥାନ ଟିକୁ ରକ୍ଷଣାବେକ୍ଷଣ କରି ବନଭୋଜିସ୍ଥଳ କଲେ ସାଧାରଣ ଜନତା ଆକର୍ଷିତ ହୋଇପାରନ୍ତେ ବୋଲି କହିଛନ୍ତି ସ୍ଥାନୀୟ ଅଧିବାସୀ ।ମହାନଗର ନିଗମ ତରଫରୁ ବହୁ ଅର୍ଥ ବ୍ୟୟରେ  ନିର୍ମାଣ ହୋଇଥିବା ଏହି ଆମୋଦ ସ୍ଥଳିଟିର ରକ୍ଷଣାବେକ୍ଷଣ ପାଇଁ ଦାବି କରିଛି ବିରୋଧୀ ଦଳ ।  ଏନେଇ ସିଏମସି ସାଧାରଣ ଅଧିବେଶନ ରେ ପ୍ରଶ୍ନ ଉଠାଇବା ସହିତ ଏଥିନେଇ ଜନଆନ୍ଦୋଳନ କରାଯିବ  ବୋଲି କହିଛନ୍ତି ସିଏମସି କର୍ପୋରେଟର ।

କଟକ ସହରକୁ ନୂଆ ରୂପରେଖ ଦେବାକୁ ଯୋଜନା କରୁଥିବା ପ୍ରଶାସନ କଟକ ଇନ କଟକ ପାଇଁ ଦେଖାଇଛି ବିମୁଖତା ।କଟକ ଇନ କଟକ କୁ ଏକ ପର୍ଯ୍ୟଟନସ୍ଥଳି କରିବା ସହିତ ଅଧିକ ଆକର୍ଷଣୀୟ କରିବା ପାଇଁ ତିଆରି ହୋଇଛି ମାଷ୍ଟର ପ୍ଲାନ ।  ବିଭାଗୀୟ ଅନୁମୋଦନ ପରେ ଏହାର ଏକ ସ୍ଥାୟୀ ପ୍ରାଚୀର ନିର୍ମାଣ ସହିତ ଏହାର ରକ୍ଷଣାବେକ୍ଷଣ ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମେୟର । ମହାନଦୀ ରେ ୱାଟର ବୋଟିଂ ର ମଜା ସହିତ  ବଣଭୋଜିର ଆନନ୍ଦ ଦେବା ପାଇଁ ସିଏମସି ତରଫରୁ ବ୍ୟବସ୍ଥା ଖୁବଶୀଘ୍ର କରାଯିବ ବୋଲି କହିଛନ୍ତି ମେୟର ସୁବାସ ସିଂ।

ଦୀପ୍ତିରଞ୍ଜନ ଶତପଥୀଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button