ଗୋପପୁର ହୋଇଉଠିଛି କୃଷ୍ଣମୟ

ସାରା ଗୋପପୁର ହୋଇଉଠିଛି କୃଷ୍ଣମୟ। କୃଷ୍ଣପ୍ରେମରେ ରାଧାଙ୍କ ସହ ଗୋପୀମାନେ ହୋଇ ପଡିଛନ୍ତି ଆତ୍ମବିଭୋର । ନଟଖଟିଆ କାହ୍ନୁ ବି କମ ନୁହନ୍ତି, ଗୋଟିଏ ପରେ ଗୋଟିଏ ଲିଳା କରି ଚାଳିଛନ୍ତି । କେତେବେଳେ ଗୋପୀଙ୍କ ଦଧିହାଣ୍ଡି ଭାଙ୍ଗୁଛନ୍ତି ତ ଆଉ କେତେବେଳେ ବସ୍ତ୍ରହରଣ କରୁଛନ୍ତି । ତେବେ ପ୍ରତିଦିନ ପରି ରାଧା ଗୋପୀମାନଙ୍କ ସହ ଯମୁନା ପାରି ହୋଇ ଗୋପପୁରକୁ ଫେରୁଥିବା ବେଳେ ଭଗବାନ ଶ୍ରୀକୃଷ୍ଣ ବୃଦ୍ଧ ନାଉଁରୀ ବେଶରେ ଘାଟ ଜଗି ରାଧାଙ୍କ ସହ ନାବକେଳି ରଚାଇଛନ୍ତି । ଧନୁଯାତ୍ରାର ସପ୍ତମ ଦିନରେ ସ୍ଥାନୀୟ ମନାବନ୍ଧ ଠାରେ ଏହି ଦୃଶ୍ୟ ଦେଖିବାକୁ ହଜାର ହଜାର ଦର୍ଶକଙ୍କ ଭିଡ ଲାଗିଥିବାବେଳେ ସମସ୍ତେ ଆତ୍ମବିଭୋର ହୋଇ ପଡିଥିଲେ ।

ଏପଟେ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ମହାରାଜ କଂସ କରି ଚାଲିଛନ୍ତି ଷଡଯନ୍ତ୍ର ପରେ ଷଡଯନ୍ତ୍ର । କଳେ ବଳେ କୌଶଳେ କିପରି କୃଷ୍ଣ ବଳରାମଙ୍କୁ ହତ୍ୟା କରିବେ ସେନେଇ ଦେବର୍ଷି ନାରଦଙ୍କ ପରାମର୍ଶ ଭିକ୍ଷା କରିଛନ୍ତି । ତେବେ ଦେବର୍ଷି ନାରଦ ଛଳନାର ଯାତ୍ରା ଧନୁଯାତ୍ରାର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ଧନୁଯାତ୍ରା ଦେଖିବାକୁ କୃଷ୍ଣ ବଳରାମଙ୍କୁ ଧରି ଆସିବା ପାଇଁ ଅକ୍ରୁରଙ୍କ ହାତରେ ଏକ ଚିଟାଉ ଦେଇ ପଠାଇଛନ୍ତି ଗୋପପୁରକୁ । ତେବେ ସମ୍ୱଲପୁର ଆଇ. ଆଇ. ଏମ ର ନିର୍ଦ୍ଦେଶକ ଏବଂ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଡେପୁଟି ଜେନେରାଲ ମ୍ୟାନେଜର ସମ୍ବଲପୁର ଜୋନ ମୁଖ୍ୟ ଅତିଥି ଭାବରେ ମହାରାଜ କଂସଙ୍କର ରାଜ ଦରବାରରେ ଯୋଗ ଦେଇଥିଲେ। ମଥୁରା ନଗର ଦରବାରରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ମହାରାଜ ଆଦେଶ ଦେଇଥିବା ବେଳେ କାର୍ଯ୍ୟ ନ ହେବାରୁ ସମ୍ୱଲପୁର ଜୋନଙ୍କୁ ୨୦ ଲକ୍ଷ ସ୍ଵର୍ଣ୍ଣ ମୁଦ୍ରା ପାଇଁ ଜରିମାନା ଆଦେଶ କରିଥିଲେ ସମ୍ୱଲପୁର ଆଇ. ଆଇ. ଏମ ର ନିର୍ଦ୍ଦେଶକ । ବରଗଡ ଧନୁଯାତ୍ରାର ଅଷ୍ଟମ ଦିବସରେ ମହାରାଜ କଂସଙ୍କ ନଗର ଭ୍ରମଣ, କଂସଙ୍କ ଚିଟାଉ ନେଇ ଅକ୍ରୁରଙ୍କ ଗୋପପୁର ଗମନ ହେବ । ସେହିପରି  ଗୋପପୁରରେ ଅକ୍ରୁରଙ୍କ ପ୍ରବେଶ ଏବଂ ଯମୁନାବାଳିରେ କୃଷ୍ଣପାଦ ଦର୍ଶନ ସହ ଶଙ୍ଖଚୁଡ ବଧ ଦୃଶ୍ୟ ଅନୁଷ୍ଠିତ ହେବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *