ପ୍ରଚଣ୍ଡ ଖରାରେ ଭାଜି ହୋଉଛି ପଶ୍ଚିମ ଓଡ଼ିଶା l ଦିନ ୧୦ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି l ଏହାରି ମଧ୍ୟରେ ଏକ ଛୋଟ କୁଡ଼ିଆ ଭିତରେ ଝୁଲୁଛି କେଇଟା ବୋତଲ। ଅଚାନକ ଯିଏ ଦେଖିବ, ତାକୁ ଲାଗିବ ବାଇଚଢ଼େଇ ବସା। କିନ୍ତୁ ସତରେ ନିରିଖେଇ ଦେଖିଲେ ଜାଣିପାରିବ, ଏ ଛୋଟ କୁଡ଼ିଆରେ ଝୁଲିଥିବା ବୋତଲ ଓ ଏଭଳି କରିଥିବା ଦୀପ୍ତି ମଉସାଙ୍କ ମହତପଣିଆକୁ। ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସଲେପାଲି ପଞ୍ଚାୟତ ଜାମପାଲି ରାସ୍ତା କଡ଼ରେ ଦେଖିବାକୁ ମିଳିବ ଏଭଳି ଦୃଶ୍ୟ l ଘଞ୍ଚ ପତ୍ରର ଆଢୁଆଳରେ ନିରୀହ ଚଢେଇଟେ ନିଡ ବାନ୍ଧିଛ ବୋଲି ଆଗ ଅନୁମାନ ହେବ। କିନ୍ତୁ ବସାରେ ବସିବା ପାଇଁ ନୁହେଁ ବରଂ ବଞ୍ଚିବା ପାଇଁ ଏଠି ଝୁଲୁଛି କେଇଟା ବୋତଲ । ଗ୍ରୀଷ୍ମର ପ୍ରବଳ ଗହଳି ଭିତରେ ଜୀବନ ବଞ୍ଚାଇବା ପାଇଁ ଜଳ ଦେଉଛନ୍ତି ଦିପ୍ତୀ ମଉସା । ଜଳଛତ୍ର ତ ଅନେକ ଜାଗାରେ ଖୋଲିଛି । ସରକାରଙ୍କ ଠୁ ସ୍ୱେଛାସେବୀ ଅନୁଷ୍ଠାନ ଜଳ ପ୍ରଦାନ କରୁଛନ୍ତି । ହେଲେ ଏମିତି ଜଳ ପ୍ରଦାନ କେବେ ଦେଖି ନଥିବେ । କେବଳ ମୁନ୍ଦେ ପାଣି ନୁହେଁ ଆତ୍ମା ତୃପ୍ତି କଲା ଭଳି ଆତିଥେୟତା ଦେଉଛନ୍ତି । ଉପରେ ସବୁଜ ଡାଳରେ ଆଛାଦିତ କୁଡିଆ, ବୋତଲକୁ ଅଖାରେ ଗୁଡାଇ ତାକୁ ଓଦା କରି ଭିତରେ ପାଣି ରଖୁଛନ୍ତି । ଏହା କରିବା ଦ୍ଵାରା ସେ ପାଣି ଦୀର୍ଘ ସମୟ ପର୍ଯ୍ୟନ୍ତ ଥଣ୍ଡା ରହୁଛି । ଆଉ ବାଟୋଇଟେ ଶୋଷ ମେଣ୍ଟାଇ ଓଃ ପଦେ କହି ଆନନ୍ଦରେ ଫେରି ଯାଉଛି । ଆଉ ଏତିକରେ ହିଁ ତାଙ୍କ ପେଟ ପୁରିଯାଏ ବୋଲି କୁହନ୍ତି ଦୀପ୍ତି ବରିହା। ଦୀର୍ଘ ବର୍ଷ ଧରି ଦୀପ୍ତି ବରିହାଙ୍କ ପରିବାର ହିଁ ଏହି ଜଳଛତ୍ର ଦାୟିତ୍ଵ ନେଉଛନ୍ତି l ପଞ୍ଚାୟତ ପକ୍ଷରୁ କରାଯାଉଥିବା ଏହି ଜଳଛତ୍ର ପୂର୍ବରୁ ତାଙ୍କ ବାପା ବୁଝାସୁଝା କରୁଥିଲେ l ଏବେ ଏହାର ପରିଚାଳନା କରୁଛନ୍ତି ଦୀପ୍ତି l ପୂର୍ବରୁ ସେ ମଧ୍ୟ ମାଠିଆରେ ପାଣି ଦେଉଥିଲେ l ହେଲେ ଅନେକ ସମୟରେ ପୋକ, ପିମ୍ପୁଡ଼ି, ଝିଟିପିଟି ମାଠିଆରେ ପଡୁଥିଲା l ଏହାକୁ ଦୃଷ୍ଟିରେ ରଖି ଦୀପ୍ତି ଆରମ୍ଭ କରିଥିଲେ ଏଭଳି ଭିନ୍ନ ତରିକା l ଦୀପ୍ତିଙ୍କ ଏଭଳି ପ୍ରୟାସ ପାଇଁ ପାଣି ପିଇବାକୁ ଆସୁଥିବା ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି l ଆଜିକା ଦିନରେ ଏମିତି ପଥିକଙ୍କ ପ୍ରତି ମାନବିକତା କେତେ ଜଣ ଦେଖାନ୍ତି ବୋଲି ପଚାରିଛନ୍ତି ବାଟୋଇ ଓ ସ୍ଥାନୀୟ ବାସିନ୍ଦା। ପ୍ରବଳ ତାତି କଲବଲ କରୁଥିବା ବେଳେ ଦୀପ୍ତି ମଉସାଙ୍କ ପାଣି ତୁଷ୍ଣା ମେଣ୍ଟାଉଛି l ଆଉ ଯିଏ ତାଙ୍କ ବୋତଲର ପାଣି ପିଉଛି କହୁଛି ଓଃ କି ଶାନ୍ତି l
ବରଗଡ଼ରୁ ଧୃବ କର୍ମୀଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp
Join and get latest news update delivered to you via whatsapp
Join Now