ଓଡ଼ିଶା

ବରିହାଙ୍କ ବିୟୋଗ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି

ଭୁବନେଶ୍ବର/ବରଗଡ:  ବରଗଡ଼ର ଟାଣୁଆ ବିଜେଡି ନେତା ତଥା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଆଉ ନାହାନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ବରିହାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ପଦ୍ମପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ୬୫ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ରବିବାର ବିଳମ୍ୱିତ ରାତିରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ବରିହାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ବରଗଡ଼ ଜିଲ୍ଲାର ଟାଣୁଆ ନେତା ଥିଲେ ବରିହା। ବିଜୁ ବାବୁଙ୍କ ରାଜନୈତିକ ଶିଷ୍ୟ ବରିହା ୧୯୯୦ରେ ପ୍ରଥମ ଥର ଜନତା ଦଳ ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୯୫ରେ ପୁନର୍ବାର ନିର୍ବାଚିତ ହୋଇଥିଲେ। ଆଉ ପରବର୍ତ୍ତୀ ସମୟରେ ବିଜେଡି ଟିକେଟରେ ୨୦୦୦ରୁ ୨୦୦୪, ୨୦୦୯ରୁ ୨୦୧୪ ଓ ୨୦୧୯ରୁ ବିଧାୟକ ଥିଲେ। ନବୀନଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ ବି ଦାୟିତ୍ୱ ତୁଲାଇଥିଲେ। ହସ୍ପିଟାଲରୁ ସିଧାସଳଖ ତାଙ୍କ ମରଶରୀର ବିଜେଡି କାର୍ଯ୍ୟାଳୟକୁ ଅଣାଯାଇଥିଲା। ଦଳୀୟ କାର୍ଯ୍ୟାଳୟରେ ଶୋକ ସଭା ହୋଇଥିଲା। ସେଠାରେ ଶେଷଦର୍ଶନ କରିଥିଲେ ଦଳୀୟ ନେତା। ଏହା ପରେ ମରଶରୀରକୁ ବିଧାନସଭାକୁ ନିଆଯାଇଥିଲା। ସେଠାରେ ଗାର୍ଡ ଅଫ ଅନର ଦିଆଯାଇଥିଲା। ତାଙ୍କର ଶେଷଦର୍ଶନ କରି ବହୁ ବିଧାୟକ, ସାଂସଦ ଓ ମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ବରିହାଙ୍କ ବିୟୋଗରେ ବିରାଟ ଶୂନ୍ୟସ୍ଥାନ ଓ ଅପୂରଣୀୟ କ୍ଷତି ହୋଇଛି। ତାଙ୍କର ଆକସ୍ମିକ ବିୟୋଗରେ ତାଙ୍କର ରାଜନୈତିକ ପ୍ରତିଦ୍ୱନ୍ଦୀ ପ୍ରଦୀପ ପୁରୋହିତ ଗଭୀର ମର୍ମାହତ ହୋଇଛନ୍ତି। ବିଭିନ୍ନ ସମସ୍ୟାର ସମାଧାନରେ କିଭଳି ଉଭୟ ମିଶି ଗୋଟିଏ ବିଚାରଧାରାରେ କାମ କରିଥିଲେ, ତାହାର ଅବତାରଣା କରିଛନ୍ତି। ବରଗଡ଼ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ବି ଗଭୀର ଶୋକବ୍ୟକ୍ତ କରିଛନ୍ତି।

ପଦ୍ମପୁର ନିଜର ପ୍ରିୟ ନେତାଙ୍କୁ ହରାଇଛି ସତ। କିନ୍ତୁ ବରିହାଙ୍କ ଭଳି ଦକ୍ଷ ନେତାଙ୍କ ଅନେକ ବିକାଶମୂଳକ କାମ ସଦା ପଦ୍ମପୁରବାସୀଙ୍କ ସ୍ମୃତିରେ ସତେଜ ହୋଇ ରହିବ, ଏଥିରେ ସନ୍ଦେହ ନାହିଁ।

ଧୃବ କର୍ମୀଙ୍କ ସହ ଭୁ ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button