ପ୍ଲାନ୍ ଆପ୍ରୁଭାଲ ଜରୁରୀ। ଚିନ୍ତା କରନ୍ତୁନି। ସବୁ ବେଆଇନ କାମକୁ କେମିତି ଆଇନଗତ କରିହେବ। ସେ କଥା ବେଶ ମାଲୁମ୍ ବିଡିଏକୁ। ସେଥିଲାଗି ତଳୁ ଉପର ଯାଏଁ। ପ୍ରଭାବଶାଳୀଙ୍କ ଲାଗି ଯେମିତି ଏମାନଙ୍କ ହାତ ଖୋଲା। ଗୋଟିଏ ପଟେ ପ୍ଲାନ୍ ମଞ୍ଜୁରୀ ଦେବାକୁ ଏମାନେ ସାଧାରଣ ଲୋକଙ୍କୁ ଦୌଡ଼ାଇ ଦୌଡ଼ାଇ ନୟାନ୍ତ କରିଦେବେ। ହାତଗୁଞ୍ଜା ନ ଦେଲେ ଫାଇଲ ଗଡ଼େନା। ଏହାର ଅନେକ ନଜିର ରହିଛି। ନାନା ଆଇନ କାନୁନ ପଢ଼ାଇବେ। କିନ୍ତୁ ବଡ଼ବଡ଼ିଆଙ୍କ ଲାଗି ଆଇନକୁ ମୋଡ଼ିମକଚି ଯେନତେନ ପ୍ରକାରେ ଅନୁମତି ଦେବାକୁ ଏମାନେ ପଛାନ୍ତିନି। ଚାଷ ଜମି କି ଜଙ୍ଗଲ ଜମିରେ କୌଣସି ନିର୍ମାଣକୁ ଅନୁମତି ମିଳେନା। ଏ କଥା ସଭିଏଁ ଜାଣନ୍ତି। ବିଡିଏ କି ବିଏମସି ପ୍ଲାନ୍ ମଞ୍ଜୁରୀ ବି ଦିଏନା। କିନ୍ତୁ ପ୍ଲାନ୍ ଅନୁମତି ଦେବାର ଗଳାବାଟ ରଖିଛି ବିଡିଏ। ସେ ଚାଷ ଜମି ହେଉ ଅବା ଜଙ୍ଗଲ କିସମ। ଆବେଦନକାରୀ ଯଦି ପ୍ରଭାବଶାଳୀ ଓ ପ୍ରତିପତ୍ତିଶାଳୀ। ତାଙ୍କୁ ଆଗ ବିଡିଏରୁ ଯେନତେନ ପ୍ରକାରେ ମଞ୍ଜୁରୀ ଦେବାକୁ ବେଶ୍ କସରତ ହୁଏ ଡିପି ଆଣ୍ଡ ବିପି ବୈଠକରେ। ଡେଭେଲପମେଣ୍ଟ ପ୍ଲାନ୍ ଓ ବିଲଡିଂ ପ୍ଲାନ ବୈଠକରେ ବହୁ ବିଚାରବିମର୍ଶ ପରେ କ୍ରିଟିକାଲ ବିଲଡିଂ ପ୍ଲାନ୍ ପରମିଶନ ଦିଆଯାଏ। ବେଶୀ ପଛକୁ ଯିବାନି। ମେ ମାସରେ କିଛି ପ୍ରକଳ୍ପକୁ କେମିତି ବେଆଇନ ଭାବେ ପ୍ଲାନ ଅନୁମୋଦନ ଦେବାକୁ କମିଟି ସୁପାରିଶ କରିଛି, ତାହା ସମସ୍ତଙ୍କୁ ତାଜୁବ କରିବ। ଆଉ ପ୍ରୋସିଡିଂ କପିରୁ ବି ଜଣାପଡ଼ିବ। କିସମ ବରଂ ପରେ ବଦଳାଇବେ ଆବେଦନକାରୀ। କିନ୍ତୁ ବିଡିଏର ପରାମର୍ଶ ଅନୁସାରେ କାମ କଲେ ଅନୁମୋଦନ ଲାଗି ଆଗକୁ ଅସୁବିଧା ହେବନି। ରଘୁନାଥପୁର ମୌଜାରେ ଥିବା ଉତ୍କଳ ବିଲଡର କଥା। ରେସିଡେନ୍ସିଆଲ ଆପାର୍ଟମେଣ୍ଟ ପାଇଁ ସବୁ ଏନଓସି ମାଗିଲା ବିଡିଏ। ଫାୟାର ସେଫଟି, ଓ୍ୱାଟର ସପ୍ଲାଏ, ଟିପିସିଓଡିଏଲ, ବିମାନବନ୍ଦର କର୍ତ୍ତୃପକ୍ଷ, ପରିବେଶ ମଞ୍ଜୁରୀ। କିନ୍ତୁ ଯେଉଁ ଜମିରେ ଆପାର୍ଟମେଣ୍ଟ ଲାଗି ଅନୁମତି ଲୋଡ଼ିଛି ଉତ୍କଳ ବିଲଡର। ସେଠାରେ ସବୁତକ ଜମି ଘରବାରି କିସମ ନୁହେଁ। ବିଡିଏ ବାଟ ଦେଖାଇଲା ଯେ, ଯେଉଁ ଜମି ଘରବାରି କିସମ ହୋଇନି, ତାକୁ କଲା ପରେ ଯାଇ ଅନୁମୋଦନ ମିଳିବ। କଥା ପଡ଼ିଛି। ସବୁତକ ଜମି କେଉଁ କିସମ, ତାକୁ ପରେ ବିଲଡର ସଂସ୍ଥା ବଦଳାଇବ କି ନାହିଁ। ଏ କଥା ତ ସ୍ପଷ୍ଟ ଚାଷ ଜମି କି ଜଙ୍ଗଲ କିସମରେ ପ୍ଲାନ ଅନୁମୋଦନ ମିଳେନା। ତା ହେଲେ ସବୁତକ ଜମିର କିସମ ପୁରା ପରିବର୍ତ୍ତନ ନ ହେଲା ଯାଏ, ବିଡିଏ କାହିଁକି ଗଳାବାଟ ରଖୁଛି। କାରଣ କମିଟି ଅନୁମୋଦନ ପରେ ସଂପୃକ୍ତ ବିଲଡର ସଂସ୍ଥା କିସମ ପରିବର୍ତ୍ତନ ନ କରି କାମ ଆଗେଇଲେ ବି ବିଡିଏ ଏହାକୁ ଚ୍ୟାଲେଞ୍ଜ କଲେ କାଠଗଡ଼ାକୁ ଟାଣିପାରିବ ସଂସ୍ଥା। ଗୋହିରା- ଛତାବର ରାସ୍ତା ସଂଲଗ୍ନ ଥିବା ପ୍ଲଟ ନମ୍ୱର ୪୭୨। ବଡ଼ ରଘୁନାଥପୁର ମୌଜାର ଏହି ପ୍ଲଟ ଉପରେ ଏଆରଆରଏସ ଇନଫ୍ରାଭେଞ୍ଚୋର୍ସ ରେସିଡେନ୍ସିଆଲ ଆପାର୍ଟମେଣ୍ଟ ଲାଗି ଆବେଦନ କରିଛି। ଯେଉଁ ଖାତା ନମ୍ୱର ୨୭୦ରେ ଆବେଦନ ହୋଇଛି, ତାହା ଅନାବାଦି। ଯଦିଓ ଏହା ଗୋହିରା- ଛତାବର ପିଡବ୍ଲୁଡି ରୋଡ ଅଧୀନରେ ଆସୁନି। କିନ୍ତୁ ଭବିଷ୍ୟତରେ ଏହାକୁ ୪ ଥାକିଆ ରାସ୍ତା ହେବ। ସେଥିଲାଗି ୪୭୨ ନମ୍ୱର ପ୍ଲଟକୁ ରାସ୍ତା ପ୍ରଶସ୍ତିକରଣ ବେଳେ ଅଧିଗ୍ରହଣ ହୋଇପାରେ। ଜଟଣୀ ତହସିଲଦାର ନିଜ ରିପୋର୍ଟରେ କହିଛନ୍ତି, ଯଦି ଆବେଦନକାରୀ ଏହି ପ୍ଲଟକୁ ନିଜ ରାସ୍ତା ଲାଗି ବ୍ୟବହାର କରିବେ, ତାହେଲେ କୌଣସି ଅସୁବିଧା ନାହିଁ। ଏଠି ପ୍ରଶ୍ନ ଉଠୁଛି। ରାସ୍ତା ପ୍ରଶସ୍ତିକରଣ ପରେ ଏହି ପ୍ଲଟ ଅଧିଗ୍ରହଣ ପରେ ତ ସରକାରୀ ଖାତାକୁ ଚାଲିଯିବ। ଆଉ ଏହି ସରକାରୀ ରାସ୍ତାକୁ ନିଜ ପ୍ଲଟକୁ ଆପ୍ରୋଚ ରୋଡ ଭାବେ ସଂପୃକ୍ତ ବିଲଡର ସଂସ୍ଥା ବ୍ୟବହାର କଲେ ଭବିଷ୍ୟତରେ କୌଣସି ଆଇନଗତ ସମସ୍ୟା ଉପୁଜିବନି ତ। କାରଣ ବିଡିଏ ନିଜେ ହାତକାଟି ଲେଖିଦେଉଛି। ଗାଡ଼କଣ ଓ ରୋକୋଟୋ ମୌଜାରେ ଏକାଡେମିକ ବ୍ଲକ ପାଇଁ ପ୍ଲାନ ଆବେଦନ କରିଥିଲା ସାମ୍ ରିଦ୍ଧି ଏଜୁକେସନାଲ ଟ୍ରଷ୍ଟ। ଏ ସବୁ ଜମିର କିସମ ବି ଘରବାରି ନୁହେଁ। ଘରବାରି କିସମକୁ ବଦଳାଇବା ପରେ ହିଁ ଅନୁମତି ମିଳିବ ବୋଲି ବିଡିଏ କହିଛି। ମଦନପୁର ମୌଜାରେ ଥିବା ରେଲିଆବୁଲ ହୋମ୍ସ ମଲଟି ଷ୍ଟୋରିଡ୍ ବିଲଡିଂ ଲାଗି ଆବେଦନ କରିଛି। ୮୦୮/୨୨୭୭ ପ୍ଲଟର କିସମ କିନ୍ତୁ ବଗାୟତ-୨। ଏହାକୁ ଘରବାରି କଲେ ଯାଇ ପ୍ଲାନ ଅନୁମୋଦନ ମିଳିବ। କମର୍ସିଆଲ ବିଲଡିଂ ପାଇଁ ପ୍ଲାନ ଅନୁମୋଦନରେ ୫ଟି ପ୍ଲଟରେ ଆବେଦନ ହୋଇଛି। ଜାମୁଝରି ମୌଜାରେ ସୁମ୍ମା ରିଅଲ ମିଡିଆର ଏମଡି ମନୋଜ ରଞ୍ଜନ ନାୟକ ୩ ମହଲା ଷ୍ଟୋରେଜ ବିଲଡିଂ ଲାଗି ପ୍ରୋଜେକ୍ଟ ସାଇଡକୁ ରାସ୍ତା ସଂଯୋଗୀକରଣ ଲାଗି ଆବେଦନ କରିଛନ୍ତି। ପ୍ଲଟ ନମ୍ୱର ୭୦୦ ଦେଇ ପ୍ରୋଜେକ୍ଟ ସାଇଡକୁ ୧୨ ମିଟର ବା ୪୦ ଫୁଟିଆ ରାସ୍ତା ଅନୁମତି ଦେବାକୁ ଏନଓସି ଦେଇଛି ରାଜସ୍ୱ ବିଭାଗ। ସେଲଡିଡ୍ ଅନୁସାରେ ୬୮୬ ନମ୍ୱର ପ୍ଲଟର ମାଲିକାନା ସତ୍ତ୍ୱ ରହିଛି ମନୋଜଙ୍କ ନାଁରେ। କିନ୍ତୁ ଏହାର ଷ୍ଟାଟସ ରହିଛି ଲିଜ୍। ଆଉ କିସମ ଛୋଟ ଜଙ୍ଗଲ। ୬୮୪ ଓ ୬୮୫ ପ୍ଲଟ ଦେଇ ମନୋଜଙ୍କ ପ୍ରସ୍ତାବିତ ପ୍ରକଳ୍ପକୁ ସଂଯୋଗୀକରଣ କେବଳ ହୋଇପାରିବ। ଯଦି ମ୍ୟୁଟେସନ ହେବ ବୋଲି ଡିପିଇପି ବୈଠକରେ ସହମତି ପ୍ରକାଶ ପାଇଛି। କିନ୍ତୁ ଭବିଷ୍ୟତରେ କନେକ୍ଟିଭିଟିକୁ ନେଇ କୌଣସି ବିବାଦ ଉପୁଜିଲେ, କି ଛୋଟ ଜଙ୍ଗଲ କିସମକୁ ନେଇ ଆଇନଗତ ବିବାଦ ସୃଷ୍ଟି ହେଲେ, ବିଡିଏ ଦାୟୀ ରହିବନି ବୋଲି ହାତ ଟେକିଦେଇଛି। ଛୋଟ ଜଙ୍ଗଲ କିସମ ପ୍ଲଟରେ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇ ଭବିଷ୍ୟତରେ ହେବାକୁ ଥିବା ଆଇନଗତ ବିବାଦ ଆବେଦନକାରୀ ନିଜେ ତୁଟାଇବେ କହି ଖସିଯାଇଛି ବିଡିଏ। କଥା ପଡ଼ିଛି। ଆରମ୍ଭରୁ ଅଳିଆକୁ ପଶୁଛି କାହିଁକି ବିଡିଏ। ଅଡ଼ୁଆ ନ ତୁଟାଇ ଜଟିଳତାକୁ ବାଟ ଦେଖାଉଛି କାହିଁକି। ଏଥିରୁ କଅଣ ବୁଝାପଡ଼ୁନି କି, ବିବାଦକୁ ନିଜେ ଡାକୁଛି ବିଡିଏ। ସେପଟେ ନଗର ଉନ୍ନୟନ ମନ୍ତ୍ରୀ କହିଲେଣି, କୌଣଷି ଚାଷ ଜମି କି ଜଙ୍ଗଲ ଜମିରେ ପ୍ଲାନ ମଞ୍ଜୁରୀ ଦେବାର ପ୍ରଶ୍ନ ଉଠୁନି। ମନ୍ତ୍ରୀ ଆଇନର କଥା କହୁଥିଲା ବେଳେ ବେଆଇନ କାମକୁ ବିଡିଏରେ ତାହେଲେ କିଏ ପ୍ରଶ୍ରୟ ଦେଉଛି। ପ୍ଲାନିଂ ବିଭାଗ, ଭିସି, ସଚିବ ନା ଆଉ କିଏ। ଏହାର ଖୋଳତାଡ଼ ଜରୁରୀ। ସର୍ତ୍ତ, ସତ୍ୟପାଠ ଆଳରେ ଗଳାବାଟ ଦେଖାଇ ବିଡିଏ କାହାର ଗେହ୍ଲାପୁଅ ସାଜୁଛି। ସତରେ କଅଣ କିସମ ପରିବର୍ତ୍ତନ ଏତେ ସହଜରେ ହୋଇପାରୁଛି। ଯେଉଁ ନୀତିର ଆଢୁଆଳରେ ପ୍ଲାନିଂ କମିଟି ଏମିତି କାରସାଦି କରିପାରୁଛି। କୌଣସି କାମରେ କ୍ଲାରିଟି କାହିଁକି ନାହିଁ। କଅଣ ସର୍ତ୍ତମୂଳକ ନୀତି ସ୍ପଷ୍ଟ ନୀତିରୁ ଭଲ କି। ଏଥିରୁ ମୋହନ ସରକାର ପ୍ରାଥମିକତା ଦେଉଁଛନ୍ତି କାହାକୁ ତାହେଲେ।


Naxatra News is now on Whatsapp
Join and get latest news update delivered to you via whatsapp
Join Now