୨୦୨୪ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳର ପ୍ରାର୍ଥତ୍ୱୀକୁ ନେଇ ଚର୍ଚ୍ଚା, ଦୁଇ ପ୍ରମୁଖ ଦଳ ବିଜେଡିରେ ଆଶାୟୀଙ୍କ ଭିଡ, ବିଜେପିର ଚିତ୍ର ଅସ୍ପଷ୍ଟ

Spread the love

ଭଦ୍ରକ : ସମଗ୍ର ଉପକୂଳ ଓଡ଼ିଶାର ଭଦ୍ରକ ଏକ ସମ୍ବେଦନ ତଥା ସଚେତନତଶୀଳ ନିର୍ବାଚନ ମଣ୍ଡଳୀ ଭାବେ ଜଣାଶୁଣା । ଏହି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ସବୁବେଳେ ସରଗରମ ହୋଇ ରହିଥାଏ । ତେବେ ଆଗାମୀ ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି ରହିଥିବାବେଳେ ଏବେଠୁ କିଏ କେଉଁ ଦଳର ପ୍ରାର୍ଥୀ ହେବେ, ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ବିଶେଷକରି ବିଜୁ ଜନତା ଦଳରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ସଂଖ୍ୟା ବଢି ବଢି ଚାଲିଛି । ତେବେ ଗତ ୨୦୧୯ ନିର୍ବାଚନ ବେଳେ ଭଦ୍ରକବାସୀ ଯେଉଁ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ଭୋଟ୍ ଦେଇ ବିଜୟୀ କରାଇ ବିଧାନସଭାକୁ ପଠାଇଥିଲେ, ସେ କେତେମାତ୍ରାରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିଛନ୍ତି, ବିଗତ ୪ ବର୍ଷ ହେଲା କଣ ସବୁ ବିକାଶ ମୂଳକ କାର୍ଯ୍ୟ ହୋଇଛି ଏହି ନିର୍ବାଚନ ମଣ୍ଡଳୀରେ ଏବଂ ଆଗାମୀ ନିର୍ବାଚନ ପାଇଁ କିପରି ନିର୍ବାଚନୀ ହାୱା ରହିଛି ଏହି ମଣ୍ଡଳୀରେ ଏବଂ କେଉଁ ଦଳ କିଭଳି ପ୍ରସ୍ତୁତି ଆରମ୍ଭ କରିଛନ୍ତି, ସେ ସଂପର୍କରେ ଏହି ବିସ୍ତୃତ ରିପୋଟରୁ ଜଣାପଡେ । ଭଦ୍ରକ ଜିଲାର ମୋଟ୍ ୫ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଭଦ୍ରକର ଗୁରୁତ୍ୱ ଅଧିକ ରହିଥାଏ । ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଛି ୩୬ ପଞ୍ଚାୟତକୁ ନେଇ ଗୋଟିଏ ବ୍ଲକ୍ ଏବଂ ୩୦ ଗୋଟି ୱାର୍ଡକୁ ନେଇ ଗୋଟିଏ ମ୍ୟୁନସିପାଲଟି । ଏଠାରେ ସଂଖ୍ୟାଲଘୁ ଭୋଟର ମାନେ ବିଭିନ୍ନ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । ୧୯୫୭ ମସିହାରେ ଏ ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲା । ଏବଂ ପ୍ରଥମ ବିଧାୟକ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ନେତା ମହମ୍ମଦ ହନିଫ ହୋଇଥିଲେ । ଏହି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀମାନେ ୭ ଥର ନିର୍ବାଚିତ ହୋଇଥିବାବେଳେ ଜନତା ଦଳ ଓ ଏବର ବିଜେଡିର ପ୍ରାର୍ଥୀମାନେ ୫ ଥର ନିର୍ବାଚିତ ହୋଇଛନ୍ତି । ଗତ ୨୦୦୯ ନିର୍ବାଚନ ଠାରୁ ବିଜେଡି ପ୍ରାର୍ଥୀମାନେ ଲଗାତର ନିର୍ବାଚିତ ହୋଇଆସୁଛନ୍ତି । କେବଳ ସେତିକି ନୁହେଁ ଗତ ୨୦୧୨, ୨୦୧୭ ଏବଂ ୨୦୨୨ ପଞ୍ଚାୟତ ନିର୍ବାଚନରେ ଭଦ୍ରକ ବ୍ଲକ୍ ମଧ୍ୟ ବିଜେଡି ଦଖଲ କରିଆସୁଛି ।

୨୦୨୨ ନିର୍ବାଚନରେ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ନେତୃତ୍ୱରେ ବିଜେଡି ସମର୍ଥିତ ୨୯ ସରପ ଓ ୩୧ ସମିତି ସଭ୍ୟ ନିର୍ବାଚିତ ହୋଇଥିଲେ । କେବଳ ସେତିକି ନୁହେଁ ମୋଟ ୪ ଗୋଟି ଜିଲା ପରିଷଦ ଜୋନ୍‌କୁ ମଧ୍ୟ ବିଜେଡି ଦଖଲ କରିଥିଲା । ୨୦୨୨ ପର ନିର୍ବାଚନରେ ପୌର ନିର୍ବାଚନରେ ଭଦ୍ରକ ମ୍ୟୁନସିପାଲଟିର ମୋଟ ୩୦ ଟି ୱାର୍ଡ ମଧ୍ୟରୁ ବିଜେଡି ପ୍ରାର୍ଥୀମାନେ ୨୧ ଟିରେ ବିଜୟୀ ହୋଇଥିଲେ । ସେହିପରି ଗତ ୨୦୦୯ ନିର୍ବାଚନ ଏବଂ ୨୦୧୪ ନିର୍ବାଚନରେ ଏଠାରେ ବିଜେଡିର ବରିଷ୍ଠ ନେତା ଯୁଗଳ କିଶୋର ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇଥିବାବେଳେ ୨୦୧୯ ନିର୍ବାଚନରେ ବିଜେଡି ସମସ୍ତଙ୍କୁ ଚକିତ କରି ପ୍ରାର୍ଥୀ ବଦଳାଇଥିଲା । ଯୁବନେତା ସଞ୍ଜୀବ ମଲ୍ଲିକଙ୍କ ଉପରେ ବିଜେଡି ସୁପ୍ରିମୋ ଆସ୍ଥା ପ୍ରକଟ କରି ତାଙ୍କୁ ଟିକେଟ ଦେଇଥିଲେ । ସେ ବିଜେପି ପ୍ରାର୍ଥୀଙ୍କୁ ହରାଇ ରେକର୍ଡ ସଂଖ୍ୟକ ଭୋଟ୍‌ରେ ବିଜୟୀ ହୋଇଥିଲେ । ଗତ ୨୦୧୪ ନିର୍ବାଚନରେ ଯୁଗଳ କିଶୋର ପଟ୍ଟନାୟକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ନରେନ ପଲେଇଙ୍କୁ ୨୫ ହଜାରରୁ ଉର୍ଦ୍ଧ୍ୱ ଭୋଟ୍ ବ୍ୟବଧାନରେ ହରାଇ ବିଜୟୀ ହୋଇଥିଲେ । ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ପଟ୍ଟନାୟକ ୮୦ ହଜାର ୫୮୨ ଖଣ୍ଡ ଭୋଟ୍ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ପଲେଇ ୫୬୯୯୫ ଖଣ୍ଡ ଭୋଟ୍ ଏବଂ ବିଜେପି ପ୍ରାର୍ଥୀ ଡାକ୍ତର ପ୍ରଦୀପ ନାୟକ ୧୯୩୮୪ ଖଣ୍ଡ ଭୋଟ୍ ପାଇଥିଲେ । ଅନୁରୂପ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସଂଜୀବ ମଲ୍ଲିକ ବିଜେପି ପ୍ରାର୍ଥୀ ଡାକ୍ତର ପ୍ରଦୀପ ନାୟକଙ୍କୁ ୩୩ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ହରାଇ ବିଜୟୀ ହୋଇଥିଲେ । ଏହି ନିର୍ବାଚନ ମଣ୍ଡଳୀରେ ୨୦୧୯ ରେ ମୋଟ ଭୋଟର ଥିଲେ ୨ ଲକ୍ଷ ୫୪ ହଜାର ୬୧ ଜଣ । ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ୯୩ ହଜାର ୬୬୮ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଡାକ୍ତର ନାୟକ ୬୦ ହଜାର ୨୭୯ ଖଣ୍ଡ ଭୋଟ୍ ଏବଂ କଂଗ୍ରେସ ପ୍ରାର୍ଥୀ ନଳିନୀ ମହାନ୍ତି ୨୨ ହଜାର ୬୩୦ ଖଣ୍ଡ ଭୋଟ୍ ପାଇଥିଲେ । ଏ ସମସ୍ତ ନିର୍ବାଚନରେ ବିଜେପି ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଥିବାବେଳେ ଗତ ୨୦୧୯ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହିଥିଲା । ଫଳରେ ବିଜେପି ଭୋଟ୍ ହାର ଯଥେଷ୍ଟ ବୃଦ୍ଧି ପାଇଥିଲା । ଅର୍ଥାତ୍ ୨୦୧୪ ନିର୍ବାଚନରେ ବିଜେପି ୧୨ ପ୍ରତିଶତ ଭୋଟ୍ ପାଇଥିବାବେଳେ ୨୦୧୯ ରେ ୩୪ ପ୍ରତିଶତ ଭୋଟ୍ ହାତେଇଥିଲା । ତେଣୁ ବିଜେପି ନେତା ଓ କର୍ମୀମାନେ ଅଧିକ ଉତ୍ସାହିତ ହୋଇ ଆଗାମୀ ନିର୍ବାଚନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବାବେଳେ ବିଜେଡିର ବିଧାୟକ ମଧ୍ୟ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ସହିତ ନିଜ ନିର୍ବାଚନ ମଣ୍ଡଳୀରେ ବିଗତ ୪ ବର୍ଷ ଭିତରେ ପ୍ରାୟ ୬ ଶହ କୋଟିରୁ ଅଧିକ ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟ ସଂପୂର୍ଣ୍ଣ କରିଥିବାର କହିଛନ୍ତି । ସେଥିମଧ୍ୟରୁ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ୧୪୫ କୋଟି ଟଙ୍କାରେ ନୂଆ ଜିଲା ହସ୍‌ପିଟାଲ ନିର୍ମାଣ, ଛାତ୍ରଛାତ୍ରୀଙ୍କ ପାଇଁ ୧୬ କୋଟି ଟଙ୍କାରେ ନୂଆ ହଷ୍ଟେଲ ନିର୍ମାଣ, ୨୫ କୋଟି ଟଙ୍କାରେ ନୂଆ ଆରଏମ୍‌ସି ମାର୍କେଟ୍ ନିର୍ମାଣ, ଭଦ୍ରକ ମ୍ୟୁନସିପାଲଟିର ବିଭିନ୍ନ ୱାର୍ଡରେ ଉନ୍ନତି ପାଇଁ ୧୪୦ କୋଟି ଟଙ୍କାର ନୂଆ ପ୍ରକଳ୍ପ ନିର୍ମାଣ, ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ, ୩ କୋଟି ଟଙ୍କାରେ ନେହେରୁ ଷ୍ଟାଡିୟମ୍‌ର ଉନ୍ନତିକରଣ, ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ, ୮ କୋଟି ଟଙ୍କାରେ କୁଆଁସ ବ୍ରିଜ୍ ନିର୍ମାଣ, ପୁରୁଣାବଜାର-ଭଦ୍ରକାଳୀ ରାସ୍ତାର ସଂପ୍ରସାରଣ ପାଇଁ ୫ କୋଟି ୫୦ ଲକ୍ଷ ଟଙ୍କା, ମୋଟେଲ ଛକ-କାଉପୁର ରାସ୍ତା ନିର୍ମାଣ ପାଇଁ ୧୬ କୋଟି ଟଙ୍କା, ଭଦ୍ରକ କଲେଜର ଉନ୍ନତି ପାଇଁ ୨୫ କୋଟି ଟଙ୍କା, ଜଳସେଚନ  ଉନ୍ନତି ପାଇଁ ୧୦୦ କୋଟି ଟଙ୍କା, ଗ୍ରାମା ଳରେ ଗ୍ରାମ୍ୟ ଉନ୍ନୟନ ରାସ୍ତାଘାଟର ଉନ୍ନତି ପାଇଁ ୫୦ କୋଟି ଟଙ୍କା, ଭଦ୍ରକ କାଳୀ ପୀଠ ଓ ଜାମା ମସ୍‌ଜିଦର ଉନ୍ନତି ପାଇଁ ୨ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି । ଅନୁରୂପ ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ହାଇସ୍କୁଲକୁ ୫-ଟିରେ ରୂପାନ୍ତରିତ କରିସାରିଛନ୍ତି ।

ତେବେ ଭଦ୍ରକ ବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ୯୦ ଭାଗ ପୂରଣ କରିଥିବା ଏବଂ ଆଗାମୀ ନିର୍ବାଚନ ପାଇଁ ଦଳ ବିଜେଡିକୁ ଅଧିକ ସଂଗଠିତ କରିଥିବା ବିଷୟ ବିଧାୟକ ସଞ୍ଜୀବ ମଲ୍ଲିକ କହିଛନ୍ତି । ଅନ୍ୟପକ୍ଷରେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉନ୍ନୟନ ମୂଳକ କାର୍ଯ୍ୟ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହୋଇଥିବା ବିଷୟ ଗତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନେ ଅଭିଯୋଗ କରିବା ସହିତ ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଓ ଭଦ୍ରକ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଏପର୍ଯ୍ୟନ୍ତ ମିଳିପାରିନଥିବାରୁ ଆଗାମୀ ନିର୍ବାଚନରେ ଏହାର ଦୃଢ ଜବାବ ଭଦ୍ରକ ବାସୀ ଦେବେ ବୋଲି କହିଛନ୍ତି ଉଭୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନେ । ଏବଂ ନିଜ ଦଳକୁ ଆଗାମୀ ନିର୍ବାଚନୀ ପାଇଁ ପୁରା ଦମ୍‌ରେ ପ୍ରସ୍ତୁତ କରିଛନ୍ତି ବୋଲି କହିଛନ୍ତି ବିଜେପି ନେତା ଡାକ୍ତର ପ୍ରଦୀପ ନାୟକ ଓ କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି । ଅନୁରୂପ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଯେଉଁସବୁ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଛି, ସେଥିରେ ଭଦ୍ରକବାସୀ ବହୁ ପରିମାଣରେ ସନ୍ତୋଷ ଅଛନ୍ତି ବୋଲି ଏକ ସର୍ଭେ ରିପୋର୍ଟରୁ ଜଣାପଡେ । ବିଶେଷକରି ଭଦ୍ରକ ଏକ ସଦର ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ସଦର ମହକୁମାର ଉନ୍ନତି ପାଇଁ ଭଦ୍ରକ ବିଧାୟକ ବହୁ ପରିମାଣରେ ଉନ୍ନୟନ କାର୍ଯ୍ୟକ୍ରମ ହାତକୁ ନେଇପାରିଥିବା କଥା ଅନେକ ଲୋକ କହିଥିବାବେଳେ କେତେକ ଭଦ୍ରକ ସହରର ବିପର୍ଯ୍ୟସ୍ତ ଡ୍ରେନ୍ ବ୍ୟବସ୍ଥାର ସୁଧାର ଅଦ୍ୟାବଧି ହୋଇପାରିନଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଜିଲ୍ଲାର ଦୁଇ ପ୍ରମୁଖ ଦାବି ଭଦ୍ରକରେ ଏକ ସରକାରୀ ମେଡିକାଲ କଲେଜ ଓ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ହୋଇନପାରିବା ନେଇ ସେମାନଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧୁଛି ।

୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆଗାମୀ ନିର୍ବାଚନ ପାଇଁ ତୃଣମୂଳ ସ୍ତରରୁ ସଂଗଠନ କିପରି ଅଧିକ ସୁଦୃଢ ହେବ ସେଥିପାଇଁ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଲାଗିପଡିଥିବାବେଳେ ବିଜେଡି ଓ ବିଜେପିରୁ କିଏ ହେବେ ପ୍ରାର୍ଥୀ ତାହାକୁ ନେଇ ବହୁ ଆଶା ଆଶଙ୍କା ସୃଷ୍ଟି ହୋଇଛି । ବିଶେଷକରି ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ପୂର୍ବତନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ଅସିତ୍ ପଟ୍ଟନାୟକ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ବିଶିଷ୍ଟ ଶିଳ୍ପଦ୍ୟୋଗୀ, ସମାଜସେବୀ ତଥା ସଂଗଠକ ରାମଚନ୍ଦ୍ର ବେହେରା, ବିଶିଷ୍ଟ ଯୁବ ଶିଳ୍ପପତି ତଥା ସହୀଦ ଭଗତ ସେନାର ଆବାହକ ସୀତାଂଶୁ ଶେଖର ମହାପାତ୍ର, ଜ୍ୟୋତିପ୍ରକାଶ ମହାନ୍ତି ପ୍ରମୁଖ ଆଶାୟୀ ଥିବାର ଚର୍ଚ୍ଚା ଜୋର ଧରିଛି । ଅନୁରୂପ ବିଜେପି ତୃତୀୟ ଥର ପାଇଁ ଡାକ୍ତର ପ୍ରଦୀପ ନାୟକଙ୍କୁ ପ୍ରାର୍ଥୀ କରିବ ନା ଅନ୍ୟ କାହା ଉପରେ ଭରସା କରିବ, ସେଥିନେଇ ମଧ୍ୟ ସସ୍‌ପେନସ୍ ଜାରି ରହିଛି । ତେବେ ଆଗାମୀ ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟ କଡ୍ଡା ମୁକାବିଲା ହେବ ଓ ବିଜେଡି ସଙ୍ଗଠନ ଭଦ୍ରକରେ ଅଧିକ ସୁଦୃଢ ଥିଲେ ମଧ୍ୟ ପ୍ରାର୍ଥୀତ୍ୱକୁ ନେଇ ଆଗାମୀ ନିର୍ବାଚନ ଅଧିକ ଆହ୍ୱାନମୁଖୀ ରହିବ ବୋଲି ରାଜନୀତି ବିଶେଷଜ୍ଞ ମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *