ତିନୋଟି କୋଠରୀରେ ଚାଲିଛି ୫-ଟି ଶ୍ରେଣୀର ପାଠପଢା

Spread the love

ଭଦ୍ରକ : ଏହି ଜିଲାର ଧାମନଗର ବ୍ଲକ୍ ମୁସ୍ତଫାପୁର ପଞ୍ଚାୟତ ଅଧୀନରେ ଥିବା ଦେବାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବରୁ ଛାତ୍ରଛାତ୍ରୀଙ୍କ ପାଠପଢାରେ ସମସ୍ୟା ଦେଖିବାକୁ ମିଳିଛି । ପିଲା ଅଛନ୍ତି, କିନ୍ତୁ ଶ୍ରେଣୀଗୃହ ଓ ଶିକ୍ଷକ ଅଭାବରୁ ଏଠାରେ ଶିକ୍ଷାଦାନରେ ଘୋର ସମସ୍ୟା ଉପୁଜିଛି । ୧୯୬୨ ମସିହାରେ ସ୍ଥାପିତ ଏହି ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରେ ୧୯୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ୫ଟି ଶ୍ରେଣୀ ଲାଗି ତିନୋଟି ଶ୍ରେଣୀ ଗୃହ ଉଦ୍ଦିଷ୍ଟ ଥିବାବେଳେ ୫ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଇତିମଧ୍ୟରେ ୬୧ ବର୍ଷ ବିତିଯାଇଥିଲେ ମଧ୍ୟ ବିଦ୍ୟାଳୟରେ ଶୈକ୍ଷିକ ପରିବେଶରେ ଉନ୍ନତି ହୋଇପାରିନାହିଁ । ଏହି ବିଦ୍ୟାଳୟରେ ତିନୋଟି ଗୃହରେ ୫ଟି ଶ୍ରେଣୀର ପାଠପଢା କିପରି ଚାଲିଛି ଏବଂ ଏଠାରେ କିପରି ଅଧ୍ୟାପନ କାର୍ଯ୍ୟ ସଂପାଦନ ହେଉଛି, ସେଥିନେଇ ଅଭିଭାବକ ଚିନ୍ତାରେ ପଡିଛନ୍ତି । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ପିଲାଙ୍କୁ ମିଶାଇ ଗୋଟିଏ କୋଠରୀ ଓ ତୃତୀୟ ଓ ଚତୁର୍ଥ ଶ୍ରେଣୀର ପିଲାଙ୍କୁ ମିଶାଇ ଗୋଟିଏ କୋଠରୀରେ ପାଠ ଚାଲିଥିବାବେଳେ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଦ୍ୱିତୀୟ ମହଲା ଘରେ ଶିକ୍ଷାଦାନ ହେଉଛି । ଅନୁରୂପ ସ୍କୁଲରେ ଅଫିସ୍ ଗୃହ ନଥିବାରୁ ପୂର୍ବରୁ ଥିବା ପରିତ୍ୟକ୍ତ ଗୃହଟିକୁ ଅଫିସ୍ ଗୃହ ଭାବେ କାର୍ଯ୍ୟକାରୀ ହେଉଛି । ସେହି ଗୃହର ଛାତରୁ ପାଣି ଜକେଇ ମଳା ମଳା ପଲସ୍ତରା ଗଳୁଥିବାର ଦେଖିବାକୁ ମିଳିଛି । ଏଭଳି ବିପଦସଙ୍କୁଳ ଗୃହକୁ ଭାଙ୍ଗିବାର କୌଣସି ବ୍ୟବସ୍ଥା କରାଯାଇନଥିବାରୁ ଶିକ୍ଷକ ଓ ପିଲାଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି । ଅନ୍ୟପକ୍ଷେ ସ୍କୁଲର ସ୍ଥାୟୀ ପାଚେରୀ ନଥିବାବେଳେ ଏହାର ପ୍ରବେଶ ପଥରେ ଥିବା ଫାଟକଟି ଭାଙ୍ଗିଯାଇ ବିପଦସଙ୍କୁଳ ଅବସ୍ଥାରେ ଅଛି । ଗତ ସପ୍ତାହରେ ପ୍ରଧାନ ଶିକ୍ଷୟିତ୍ରୀ ମମତା ରାଉତ ସ୍କୁଲକୁ ପ୍ରବେଶ କରୁଥିବା ସମୟରେ ପ୍ଲାଷ୍ଟର ଗଳି ପଡିଥିଲା । ସେଥିରୁ ସେ ଅଳ୍ପକେ ବର୍ତ୍ତିଯାଇଥିଲେ । ଏହି ସ୍କୁଲ ପରିସରରେ ଦୁଇ କୋଠରୀ ବିଶିଷ୍ଟ ଟିଣଘର ନିର୍ମାଣ ହୋଇଛି । ହେଲେ ତାହା ଦୀର୍ଘଦିନ ହେବ ଅଧପନ୍ତରିଆ ହୋଇ ପଡିରହିଛି । ଶୌଚାଳୟ ନଥିବାରୁ ପ୍ରଧାନ ଶିକ୍ଷୟିତ୍ରୀ ନିଜ ପକେଟରୁ ପ୍ରାୟ ୭୦ ହଜାର ଟଙ୍କା ଖର୍ଚ୍ଚ କରି ପିଲାଙ୍କ ପାଇଁ ଶୌଚାଳୟ ନିର୍ମାଣ କରିଥିବା ବିଷୟ କହିଛନ୍ତି । ତେଣୁ ୬୧ ବର୍ଷରେ ପାଦ ଥାପିଥିବା ବିଦ୍ୟାଳୟଟିରେ ଏଭଳି ଅବ୍ୟବସ୍ଥା ଯଦି ଲାଗିରହେ, ତେବେ ଏହା ନିଶ୍ଚିତ ଭାବେ କୋମଳମତି ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରଭାବ ପକାଇବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି । ଏହି ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଭୀମସେନ ହୋ’ଙ୍କୁ ପଚାରିବାରୁ ସେ ଯାହା କୁହନ୍ତି, ୨ ଜଣ ଶିକ୍ଷକ କିଛିମାସ ମଧ୍ୟରେ ଲେବୁଲ ୩ ଓ ୪ କୁ ପ୍ରମୋଶନ ନେଇଯାଇଛନ୍ତି । ତାହା ବଦଳରେ ସେମାନେ ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସେଠାକୁ ପଠାଇଛନ୍ତି । ଅନୁରୂପ ଏହି ସ୍କୁଲରେ ଜମି ବିବାଦ ଥିବାରୁ ଘର ନିର୍ମାଣ ହୋଇପାରୁନାହିଁ । ତେଣୁ ବିପଦ ସଂକୁଳ ଘରଟିକୁ ଭାଙ୍ଗି ସେଠାରେ ନୂତନ ଘର ଖୁବଶୀଘ୍ର ନିର୍ମାଣ କରିବାକୁ ହୋ କହିଛନ୍ତି ।

Leave a Reply

Your email address will not be published. Required fields are marked *