ମୁକୁଳା ପଡିଛି ୫ ଜଳ ନିଷ୍କାସନ ପଥ, ନଦୀକୂଳବାସୀ ଛାନିଆ

Spread the love

ଭଦ୍ରକ : ଧାମନଗର ଏକ ବନ୍ୟାଞ୍ଚଳ ଭାବେ ପରିଚିତ। ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ହେଲେ ଧାମନଗର ଅଂଚଳର ଲୋକେ ଛାନିଆ ହୋଇପଡନ୍ତି। କାରଣ ବୈତରଣୀ ନଦୀର ଉପରମୁଣ୍ଡ କେନ୍ଦୁଝର ଜିଲାରେ ବର୍ଷା ହେଲେ ସର୍ବାଧିକ ୯୦ ପ୍ରତିଶତ ବର୍ଷାଜଳ ବୈତରଣୀ ନଦୀରେ ପ୍ରବାହିତ ହୋଇଥାଏ। ଫଳରେ ବୈତରଣୀ ଫୁଲିବା ଆରମ୍ଭ କରି ବନ୍ୟା ପରିସ୍ଥିତି ସୃଷ୍ଟି କରିଥାଏ। ଏବେ ବର୍ଷାଋତୁ ଆରମ୍ଭ ହେଲାଣି। ଆଗକୁ ଅଧିକ ପରିମାଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ହେଲେ ଧାମନଗର ଅଂଚଳର ଥିବା ୫ଟି ଜଳ ନିଷ୍କାସନ ପଥ (ଏସ୍କେପ) ଏବେ ବି ମୁକୁଳା ପଡିଛି । ବୈତରଣୀ ନଦୀର ଉେଇପୁରରେ ମଲ୍ଲୀମାହାରା ଓ ସୋହଡା ପଞ୍ଚାୟତ ଗୌରାଙ୍ଗପୁର ଜଳ ନିଷ୍କାସନ ପଥ ଥିବାବେଳେ ଗେଙ୍ଗୁଟି ନଦୀର କନକେଇ, ମଠମାହାରା ଓ ଗାଈଛନ୍ଦା ଆଦି ୫ଟି ଜଳ ନିଷ୍କାସନ ପଥ ରହିଛି। ପ୍ରତିବର୍ଷ ବନ୍ୟାରେ ଏହି ଜଳ ନିଷ୍କାସନ ପଥ ନଷ୍ଟଭ୍ରଷ୍ଟ ହେବା ପରେ ବିଭାଗ ପକ୍ଷରୁ ବାରମ୍ବାର ମରାମତି କାର୍ଯ୍ୟ କରାଯାଏ । ହେଲେ ଏସବୁ ଜଳ ନିଷ୍କାସନ ପଥ ମରାମତି ଆଜିପର୍ଯ୍ୟନ୍ତ ହୋଇନାହିଁ । ଗତବର୍ଷ ବନ୍ୟାରେ ଏସ୍କେପରୁ ପଥର ଭାସିଯିବା ସହିତ ପ୍ରଖର ସ୍ରୋତରେ ନିଷ୍କାସନ ପଥ ଖୋଳି ନଷ୍ଟ ହୋଇଛି। ଏସବୁ ଏସ୍କେପକୁ ଉଚ୍ଚତା ବୃଦ୍ଧି ସହିତ ତା ଉପରେ ଫୁଟ୍ବ୍ରିଜ୍ ପାଇଁ ସ୍ଥାନୀୟ ଲୋକ ଦାବି କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କରାଯାଉନାହିଁ । ଧାମନଗର ଅଞ୍ଚଳରେ ପ୍ରବାହିତ ବୈତରଣୀ ସମତେ କୋଚିଳା ଓ ଗେଙ୍ଗୁଟି ନଦୀରେ ପ୍ରତିବର୍ଷ ବନ୍ୟା ଆସି ପ୍ରାୟ ୨୫ ପଞ୍ଚାୟତକୁ ପ୍ରଭାବିତ କରିଥାଏ। ଘରଦ୍ୱାର, ଚାଷଜମି ଓ ରାସ୍ତା ନଷ୍ଟ ହୋଇଥାଏ। ବ୍ଲକ୍ର ତଳିଆ ଅଞ୍ଚଳ ପଧାନୀ, କଇଥାଡିହ, ଦଶନ୍ଧିକୂଳ, ରାମରାକୁଳ, ସୋହଡା, ବାଲିପଡା, ପାଟୁଳି, ଗୌରାଙ୍ଗପୁର, ଷେଣ୍ଡପୁର, କରଦା, ଖରାଖାି, ମାଳସାହି, ଅଲ୍ଲୀନଗର, ଦଳାଙ୍ଗ, ରାମେଶ୍ୱରପୁର, ଆନନ୍ଦପୁର, କରସାହି, ଦକ୍ଷିଣ କୋରୁଆ, କାଞ୍ଜିଆପାଳ, ମୁଥାନଗର, ଖଡିପଦା ଆଦି ଅଞ୍ଚଳବାସୀ ୪/୫ଦିନ ଜଳବନ୍ଦୀ ଅବସ୍ଥାରେ ରହନ୍ତି । ଏସବୁ ନଦୀବନ୍ଧ ସୁଦୃଢୀକରଣ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ କାର୍ଯ୍ୟ ନିମ୍ନମାନର ଯୋଗୁଁ ବର୍ଷେ ଭିତରେ ବନ୍ଧ ନଷ୍ଟ ହେଉଛି । ଗେଙ୍ଗୁଟି ନଦୀବନ୍ଧର ଗୋବିନ୍ଦା ଗୁଡିଆରୁ ଦୋବଲ ଦେଇ ସୋଧ ବନ୍ଧ ସୁଦୃଢୀକରଣର କିଛି ମାସ ମଧ୍ୟରେ ନଷ୍ଟ ହେଲାଣି। କିଛି ମାସ ତଳେ ଗୌରାଙ୍ଗପୁର ଓ ମଲ୍ଲିମାହାରା ଜଳ ନିଷ୍କାସନ ପଥ ମରାମତି ପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ବ୍ୟୟ କରାଯାଇ କାର୍ଯ୍ୟ କରାଯାଇଥିଲା। ହେଲେ କାମ ନିମ୍ନମାନର ଯୋଗୁଁ ଗତ ବନ୍ୟାରେ ଏହା ନଷ୍ଟ ହୋଇଯାଇଛି। ଗୌରାଙ୍ଗପୁର ପଥରୁ ସବୁ ପଥର ବାହାରିଯାଇଛି। ସେଠାରେ ବଡ ବଡ ଖାଲ ମଧ୍ୟ ସୃଷ୍ଟି ହୋଇଛି । ଏହି ପଥଦେଇ ବନ୍ୟାଜଳ ଆସି ଗତବର୍ଷ ସୋହଡା ପଞ୍ଚାୟତର ବାଲିପଡା ଗୌରାଙ୍ଗପୁର, ଦୁଲାରପୁର ପାଟୁଳିଆ (ଜେନାସାହି) ଓ ସୋହଡା ଗ୍ରାମର ପ୍ରାୟ ୨ ହଜାର ଲୋକ ବନ୍ୟା ଘେରରେ ରହିଥିଲେ । ପ୍ରାୟ ୪/୫ ଦିନ ଏହି ପଞ୍ଚାୟତର ଲୋକ ବନ୍ୟା ଘେରରେ ରହିଥାଆନ୍ତି । ସମସ୍ତ ଏସ୍କେପ ଗତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ତାହା ମରାମତି ହେଉନାହିଁ।

ଗୌରାଙ୍ଗପୁର ଏସକେପ ଉପରେ ମରାମତି କାର୍ଯ୍ୟ ପାଇଁ ପ୍ରାୟ ୪ କୋଟି ୨୦ ଲକ୍ଷ ଓ ମଲ୍ଲିବାହାରା ଏସ୍କେପ ଉପରେ ଫୁଟବ୍ରିଜ୍ ଓ ସୁଦୃଢୀକରଣ ପାଇଁ ୬ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ଚଳିତ ବର୍ଷାଋତୁ ପରେ ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ଜଳସେଚନ ବିଭାଗ ଯନ୍ତ୍ରୀ ପ୍ରଦୀପ କୁମାର ଦାସ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଗେଙ୍ଗୁଟି ନଦୀରେ ଥିବା ୩ ଏସ୍କେପ ମରାମତି କାର୍ଯ୍ୟ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ । ବୈତରଣୀ ନଦୀର ଆଖୁଆପଦାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଛି । ସେଠାରେ ବନ୍ୟା ଜଳ ବିପଦ ସଂକେତ ଉପରେ ତଥା ୧୮.୦୧ ମିଟର ଛୁଇଁଲେ ଗୌରାଙ୍ଗପୁର ଓ ମଲ୍ଲିମାହାରା ଏସକେପରୁ ବନ୍ୟା ଜଳ ନିଷ୍କାସନ ହୋଇଥାଏ । ସେହିପରି ଏହି ଦୁଇ ଏସକେପର ଲେବୁଲ ୧୦.୨ ମିଟର ଥିବାବେଳେ ପ୍ରତିବର୍ଷ ବନ୍ୟାରେ ଏସ୍କେପ ନଷ୍ଟ ହେଉଛି । ଏସ୍କେପର ଉଚ୍ଚତା ବୃଦ୍ଧି ସହିତ ସୁଦୃଢୀକରଣ କରିବା ଆବଶ୍ୟକ ରହିଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି । ଯଦି ଏଥର ବଡ ଧରଣର ବନ୍ୟା ଆସେ, ତେବେ ଧାମନଗର ଅଞ୍ଚଳ ଅଧିକ ପ୍ରଭାବିତ ହେବ ବୋଲି ନଦୀକୂଳିଆ ବାସୀ ଆଶଙ୍କା କରିଛନ୍ତି।

Leave a Reply

Your email address will not be published. Required fields are marked *