୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଭଦ୍ରକ ଗସ୍ତର ଦ୍ୱିତୀୟ ଦିନରେ ଚାନ୍ଦବାଲି, ବାସୁଦେବପୁର, ଧାମନଗର ଓ ଭଣ୍ଡାରିପୋଖରୀ ଗସ୍ତ, ବିକାଶ ମୂଳକ କାର୍ଯ୍ୟର ପରିଦର୍ଶନ ସହ ବହୁ ପ୍ରକଳ୍ପର କଲେ ସମୀକ୍ଷା

Spread the love

ଭଦ୍ରକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଭଦ୍ରକ ଗସ୍ତରେ ଥିବା ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଗତକାଲି ଦ୍ୱିତୀୟ ଦିନରେ ଚାନ୍ଦବାଲି, ବାସୁଦେବପୁର, ଧାମନଗର, ଭଣ୍ଡାରିପୋଖରୀ ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତକରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ଦେଖିବା ସହ ବହୁ ପ୍ରକଳ୍ପର ସମୀକ୍ଷା କରିଛନ୍ତି ।

ଚାନ୍ଦବାଲି ଗସ୍ତରେ ପରିଦର୍ଶନ ଓ ସମୀକ୍ଷା – ଗତକାଲି ପ୍ରଥମେ ଚାନ୍ଦବାଲି ବ୍ଲକକୁ ଗସ୍ତ କରି ବାଁଶଡ଼ା ଠାରେ ମନ୍ତେଇ ନଦୀ ଉପରେ ନବ ନିର୍ମିତ ମନ୍ତେଇ ପୋଲ ପରିଦର୍ଶନ କରିବା ସହିତ ନିର୍ମାଣାଧୀନ ସଂଯୋଗୀକରଣ ରାସ୍ତା କାମ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ବୈତରଣୀ ନଦୀ ସମ୍ମୁଖ ପରିଦର୍ଶନ କରି ଭିତର କନିକା ପ୍ରବେଶ ପଥ ଓ ନଦୀବନ୍ଧ କାର୍ଯ୍ୟ ସମୀକ୍ଷା କରିଥିଲେ । ଚାନ୍ଦବାଲି ଜେଟିରେ ଥିବା ଡ଼ଙ୍ଗାରେ ବସି କିଛି ଦୂର ପରିକ୍ରମା କରିଥିଲେ । ତାପରେ କ୍ରିଉ ଟ୍ରେନିଂ ସେଣ୍ଟରରେ ପହଞ୍ଚ କେନ୍ଦ୍ରର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହିତ ପ୍ରଶିକ୍ଷାର୍ଥୀମାନଙ୍କ ସହ ମତ ବିନିମୟ କଲେ । ସ୍ମାର୍ଟ ଶ୍ରେଣୀ ଗୃହ, ସୁଇମିଂପୁଲ, ହଷ୍ଟେଲ ଆଦି ସହ ଏହି କେନ୍ଦ୍ର ପାଇଁ ନୂତନ ଭାବେ ନିର୍ମିତ ହେବାକୁ ଥିବା କୋଠାଘର ପାଇଁ ସାନହରିପୁର ମୌଜାର ଅଧିଗ୍ରହଣ ହୋଇଥିବା ୭ ଏକର ୭୨ଡ଼ି ଜମି ବୋର୍ଡ଼ ଅଫ୍ ରେଜିନ୍ୟୁ ଦ୍ୱାରା ମଞ୍ଜୁର କରାଯାଇ ଅନୁଷ୍ଠାନର ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଥିଲେ । ଭାରତ ସରକାରଙ୍କ ଠାରୁ ଏହି ଅନୁଷ୍ଠାନ ନିମନ୍ତେ ଡ଼ି.ଜି.ସି.ପିଙ୍ଗ୍ ପାଇଁ ଅନୁମୋଦନ ଅଣାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୃତି ଦେଲେ । ଚାନ୍ଦବାଲିରେ ନୂତନଭାବେ ଉଦ୍ଘାଟିତ ହୋଇଥିôବା ଆକର୍ଷଣୀୟ ମିଶନ୍ କାଫେ ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ୍ ଏହା ରାଜ୍ୟର ସର୍ବଶ୍ରେଷ୍ଠ ମିଶନ ଶକ୍ତି କାଫେ ବୋଲି ପ୍ରକାଶ କରିଥିଲେ । ସଠିକ୍ ଭାବେ ରକ୍ଷଣା ବେକ୍ଷଣ ଓ ପରିଚାଳନା କଲେ ତାରକା ହୋଟେଲର କୌଣସି ରେଷ୍ଟୁରାଣ୍ଟ ଠାରୁ କମ ହେବ ନାହିଁ ବୋଲି କହିଥିଲେ । ସେଠାରେ ଜଳଯୋଗ କରି ଖାଦ୍ୟ ଖୁବ୍ ଉତ୍କୃଷ୍ଟ ମାନର ବୋଲି ପ୍ରକାଶ କରିବା ସହିତ ଜଳଯୋଗ ମୂଲ୍ୟ ବାବଦ ୨୫୦୦ଟଙ୍କା ପଇଠ କରିଥିଲେ । ସଚିବ, ମିଶନ ଶକ୍ତିଙ୍କ ସହ ଭିଡ଼ିଓ କଲିଂ ଜରିଆରେ ଫେଡ଼େରେସନ୍ ଲିଡ଼ରଙ୍କୁ ବାର୍ତ୍ତାଳାପ କରାଇଥିଲେ । ଜନସାଧାରଣ ଓ ବିଭିନ୍ନ ସଂଗଠନର ଦାବୀ ଅଭିଯୋଗ ସମସ୍ୟା ଶୁଣିବା ଓ ଆଲୋଚନା ପାଇଁ କାଳୀ ପଡ଼ିଅରେ ପହଞ୍ଚି ଶ୍ରୀଯୁକ୍ତ ପାଣ୍ଡିଆନ୍ ନିର୍ମାଣାଧୀନ ସମସ୍ତ ପ୍ରକଳ୍ପ ନୂଆବର୍ଷ ପୂର୍ବରୁ ଶେଷ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । କୌଣସି ପ୍ରକଳ୍ପ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ପ୍ରକାଶ କରିଥିଲେ । ଅନୁମୋଦନ ଅପେକ୍ଷାରେ ଥିବା ପ୍ରଦତ୍ତ ସମସ୍ତ ପ୍ରକଳ୍ପକୁ ମଞ୍ଜୁର କରାଯିବ ବୋଲି କହିଥିଲେ । ତିନିତର ଘାଟ ବ୍ରିଜ୍ର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଚାନ୍ଦବାଲିବାସୀଙ୍କୁ ବହୁଦିନରେ ଆଶା ମନ୍ତେଇ ବ୍ରିଜ୍ ନିର୍ମାଣ ଯୋଗୁଁ ଚାନ୍ଦବାଲିରୁ ଧାମରା ଗମନାଗମନରେ ୪ ଘଣ୍ଟା ସମୟ ବଦଳରେ ମାତ୍ର ୪୫ ମିନିଟ୍ ସମୟ ଲାଗିବା କଥା ପ୍ରକାଶ କରିଥିଲେ । ଚାନ୍ଦବାଲି , ଧାମନଗର, ତିହିଡ଼ି ଓ ବାସୁଦେବପୁର ୪ଟି ବ୍ଲକ୍ ର ୯୨ ଗ୍ରାମ ପଞ୍ଚାୟତର ଲବଣାକ୍ତ ଅଞ୍ଚଳରେ ଥିବା ୫୨୬ ଗ୍ରାମର ଘରକୁ ଘର ପାଇପ୍ ଦ୍ୱାରା ପାନୀୟ ଜଳଯୋଗାଣ ପାଇଁ ନିର୍ମିତ ମେଗା ପାଇପ୍ ୱାଟର ସପ୍ଲାଇ ପ୍ରକଳ୍ପ ପରିଦର୍ଶନ କରି ଚାନ୍ଦବାଲି ସହରାଞ୍ଚଳ ପାଇଁ ମଧ୍ୟ ଏହି ଭଳି ପ୍ରକଳ୍ପ ନିର୍ମାଣ କରାଯାଇ ଘରକୁ ଘର ଜଳ ଯୋଗାଣ ଦିଆଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ ।

ବାସୁଦେବପୁରରେ ଗସ୍ତରେ ପରିଦର୍ଶନ ଓ ସମୀକ୍ଷା – ଚାନ୍ଦବାଲିରୁ ଯାଇ ବାସୁଦେବପୁର ଯାଦବ ପଡ଼ିଆରେ ପହଞ୍ଚି ପାଣ୍ଡିୟାନ ସାଢ଼େ ପାଞ୍ଚ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହେଉଥିବା ବି-ଟାଇପ୍ ମଡ଼େଲ ବସ୍ ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ବିଷୟରେ ସମୀକ୍ଷାକରି ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବାପାଇଁ ନିର୍ଦ୍ଦେଶ ପ୍ରଦାନ କଲେ । ଆମ ହସ୍ପିଟାଲ ଯୋଜନାରେ ବାସୁଦବେପୁର ସି.ଏଚ୍.ସି. ରୂପାନ୍ତରଣ କାର୍ଯ୍ୟ ସମୀକ୍ଷାକରି ନିର୍ମାଣାଧୀନ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ କହିଥିଲେ । ଡ଼ାକ୍ତରଖାନାର ୱାର୍ଡ଼ ବୁଲି ରୋଗୀ, ଡ଼ାକ୍ତର ଓ ନର୍ସମାନଙ୍କ ସହ ମତ ବିନିମୟ କରିଥିଲେ । ତାପରେ ଏ.ବି.ହାଇସ୍କୁଲ ପଡ଼ିଆରେ ପହଞ୍ଚି ଜନସାଧାରଣ ଓ ବିଭିନ୍ନ ସଂଗଠନ ଠାରୁ ଦାବୀ, ଅଭିଯୋଗ ଗ୍ରହଣ କରିଥିଲେ । ଭଲ କାମ କଲେ ମୁଖ୍ୟମନ୍ତ୍ରୀ ପାଣ୍ଠି ଯୋଗାଇଦେବେ ଏବେ ଆମେ ସମସ୍ତେ ଭଲ କାମ କରିବା ପାଇଁ ସଂକଳ୍ପ ନେବା ବୋଲି କହିଥିଲେ । ସବୁ ସମସ୍ୟାର ସମାଧାନପାଇଁ ଗୁରୁତ୍ୱ ଦିଆଯିବ । କଶିଆ ମେରାଇନ୍ ଜେଟିର ଉନ୍ନତିକରଣ ପାଇଁ ପଦେକ୍ଷପ ନିଆଯିବ । ମନ୍ତେଇ ନଦୀରେ ଇନଷ୍ଟ୍ରିମ୍ ଷ୍ଟୋରେଜ ସିଷ୍ଟମ ପାଇଁ ବ୍ୟାରେଜ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଥିଲେ । ନିର୍ମାଣାଧିନ ସମସ୍ତ ପ୍ରକଳ୍ପ ୬ ମାସ ମଧ୍ୟରେ ସରିବ । ଭଦ୍ରକ ଜିଲ୍ଲାରେ ମିଶନ ଶକ୍ତି ଯୋଜନାରେ ୧୬ ହଜାର ୧୦୫ ଗୋଟି ଗ୍ରୁପ୍ ବିନା ସୁଧରେ ୫୨୫ କୋଟି ଟଙ୍କାର ଋଣ ନେଇ ରାଜ୍ୟ ହାର ଠାରୁ ଆଗରେ ଥିବା କଥା କହିଥିଲେ । ଋଣର ସଦ୍ ବିନିଯୋଗ କରି ମାଆ ମାନେ ଅଧିକ ରୋଜଗାରକ୍ଷମ ହେଲେ ପରିବାର ସଶକ୍ତ ହେବ । ପ୍ରତି ପରିବାର ସଶକ୍ତ ହେଲେ ରାଜ୍ୟ ସଶକ୍ତ ହେବ ବୋଲି କହିଥିଲେ । ସାରା ରାଜ୍ୟରେ ୭ ହଜାର ସ୍କୁଲରୁ ୫ ହଜାର ରୂପାନ୍ତରିକରଣ ସରିଥିବା ଓ ବାକି ୨ ହଜାର ଡ଼ିସେମ୍ବର ସୁଦ୍ଧା ଶେଷ ହେବା ଓ କଲେଜ ସବୁ ମଧ୍ୟ ସ୍କୁଲ ଭଳି ରୂପାନ୍ତରିକରଣ ହେବା ନେଇ ସୂଚନା ପ୍ରଦାନ କରିଥିଲେ । ବି.ସି.ସି.ୟୁ.ବି.ବି. ହାଇସ୍କୁଲ ପଡ଼ିଆ, ମନ୍ଦାରୀରେ ପହଞ୍ଚି ଶ୍ରୀ ପାଣ୍ଡିୟାନ ତୃତୀୟ ଦଫା ହାଇସ୍କୁଲ ରୂପାନ୍ତରିକରଣ କାର୍ଯ୍ୟକ୍ରମ ସମ୍ବନ୍ଧରେ ସମୀକ୍ଷା କରିଥିଲେ । ୫-ଟି ଉପକ୍ରମରେ ଶିକ୍ଷାର ଉନ୍ନତି, ସ୍ମାର୍ଟ ଶ୍ରେଣୀ ଗୃହ, ପାଠାଗାର, ଖେଳପଡ଼ିଆ, ଶୌଚାଳୟ ଆଦିର ପ୍ରଭାବ ବିଷୟରେ ପିଲାଙ୍କ ସହ ମତ ବିନିମୟ କରିଥିଲେ । ପିଲାଙ୍କ ସହ ବାସ୍କେଟ ବଲ ଖେଳି ପିଲାଙ୍କ ସହ ଫଟୋ ଉଠାଇଥିଲେ । ପରେ ପରେ ବାସୁଦେବପୁର ଗସ୍ତର ଅନ୍ତିମ କାର୍ଯ୍ୟକ୍ରମ ରକ୍ତତୀର୍ଥ ଇରମରେ ପହଞ୍ଚି ଶହୀଦ ସ୍ମୃତି ସ୍ତମ୍ଭ ଓ ଶହୀଦ ସ୍ମୃତି ପୀଠରେ ପୁଷ୍ପ ଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସ୍ମୃତି ପୀଠର ଉନ୍ନତି ପାଇଁ ସରକାରଙ୍କ ଦ୍ୱାରା ମଞ୍ଜୁର କରାଯାଇଥିବା ପାଣ୍ଠିରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟର ପ୍ଲାନ ମୁତାବକ ସମୀକ୍ଷା କରିଥିଲେ । ଇରମକୁ ଓଡ଼ିଶାର ଅଗ୍ରଗଣ୍ୟ ସହିଦ୍ ପୀଠ କରିବା ପାଇଁ ଭିତ୍ତିଭୂମିର ବିକାଶ କରାଯିବା ନେଇ ଘୋଷଣା କରିଥିଲେ । ଯାହା ଓଡ଼ିଶାର ଅନ୍ୟ ଜିଲ୍ଲା ଓ ଓଡ଼ିଶା ବାହାରର ପର୍ଯ୍ୟଟନ ପ୍ରେମୀଙ୍କ ପାଇଁ ପ୍ରେରଣାଦାୟୀ ହେବ । କୋଣାର୍କ ମନ୍ଦିର ବ୍ୟବସ୍ଥାପରି ଇରମରେ ଲେଜର ଲାଇଟ୍ ଓ ସାଉଣ୍ଡ ବ୍ୟବସ୍ଥା ପାଇଁ ଡ଼ି.ପି.ଆର ପ୍ରସ୍ତୁତକରି ପ୍ରେରଣ କରାଗଲେ ସାତ ଦିନ ମଧ୍ୟରେ ମଞ୍ଜୁର କରାଯିବ ବୋଲି ପ୍ରକାଶ କରିଥିଲେ ।

ବାସୁଦେବପୁରରୁ ଧାମନଗର ବ୍ଲକକୁ ଗସ୍ତରେ ଯାଇ ୫-ଟି ସଚିବ ଶ୍ରୀ ପାଣ୍ଡିୟାନ୍ ଇନ୍ଡ଼ୋର ଷ୍ଟାଡ଼ିୟମ ପରିଦର୍ଶନ କରିଥିଲେ । ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବା ଓ ଗୁଣାତ୍ମକମାନରେ କାର୍ଯ୍ୟ କରିବାକୁ ପୂର୍ତ୍ତ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ତାପରେ ଧାମନଗର ସି.ଏଚ୍.ସି. କୁ ଯାଇ ଆମ ହସ୍ପିଟଲ ଯୋଜନାରେ ରୂପାନ୍ତରିକରଣ କାର୍ଯ୍ୟ ସମୀକ୍ଷା କରିଥିଲେ । ରୋଗୀମାନଙ୍କୁ ଉଚ୍ଚମାନର ଗୁଣବତ୍ତା ମୂଳକ ଚିକିତ୍ସା ପ୍ରଦାନ ଦିଗରେ ଯତ୍ମବାନ ହେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ କହିଥିଲେ । ସେ ନିଜେ ଏହି ବିଷୟ ପରିଚାଳନା କରୁଥିବା କଥା ମଧ୍ୟ ପ୍ରକାଶ କରିଥିଲେ । ପ୍ରସୂତୀ ୱାର୍ଡ଼ ବୁଲି ଚିକିତ୍ସା ବ୍ୟବସ୍ଥା ଓ ମମତା ଯୋଜନାରେ ଅର୍ଥପ୍ରାପ୍ତି ବିଷୟରେ ଦୁଇ ଜଣ ପ୍ରସୂତୀଙ୍କୁ ପଚାରି ବୁଝିଥିଲେ । ଭଲ ଚିକିତ୍ସା ପ୍ରଦାନ ସହିତ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ଡ଼ାକ୍ତରମାନଙ୍କୁ କହିଥିଲେ । ନର୍ସ ଓ ଅନ୍ୟ କର୍ମଚାରୀଙ୍କ ସହ ଫଟୋ ଉଠାଇଥିଲେ । ପରେ ପରେ ନିର୍ମାଣଧୀନ ସମନ୍ୱିତ ଭିତ୍ତିଭୂମି ପ୍ରତିଷ୍ଠାନ (ଆଇ.ଆଇ.ସି) ପରିଦର୍ଶନକରି କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ସେଠାରେ ଜନସାଧାରଣ ଓ ସଂଗଠନମାନଙ୍କ ଠାରୁ ଅଭିଯୋଗ ଗ୍ରହଣ ଆଧାରରେ ପ୍ରକାଶ କରିଥିଲେ କି, ଚାଷ, ଚାଷୀ ସମସ୍ୟା ଓ ମଠ, ମନ୍ଦିର ଚର୍ଚ୍ଚଆଦିର ଉନ୍ନତିକରଣ ନେଇ ପ୍ରଦତ୍ତ ସମସ୍ତ ପ୍ରସ୍ତାବକୁ ୭ ଦିନ ମଧ୍ୟରେ ମଞ୍ଜୁରୀ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ପ୍ରଦତ୍ତ ଅର୍ଥରେ ଭଲକାମ କଲେ ପୁଣି ଅର୍ଥ ପ୍ରଦାନ କରାଯିବ । ପ୍ରତ୍ୟେକ କାର୍ଯ୍ୟରେ ଗୁଣବତ୍ତା, ସ୍ୱଚ୍ଛତା ଅବଲମ୍ବନ ସହ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଗୋହିରା ଟିକିରି ଭଳି ସମସ୍ତ ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ ପାଇଁ ପାଣ୍ଠି ଯୋଗାଇ ଦିଆଯିବ । ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମପୀଠର ଉଚ୍ଚକୋଟିର ରୂପାନ୍ତରିକରଣ କରାଯିବା ନେଇ ମଧ୍ୟ ଘୋଷଣା କରିଥିଲେ । ମିଶନ ଶକ୍ତି ବର୍ତ୍ତମାନ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଥିବାରୁ ମାଆ ମାନେ ଉକ୍ତ ଯୋଜନାର ସମସ୍ତ ସୁବିଧା ସୁଯୋଗର ସଦ୍ବିନିଯୋଗ କରି ନିଜକୁ ଓ ରାଜ୍ୟକୁ ସଶକ୍ତ କରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ପରେ ପରେ ମିଶନ ଶକ୍ତି କାଫେ ପରିଦର୍ଶନ କରି ଖୁବ୍ ଭଲ ହୋଇଛି ବୋଲି ପ୍ରକାଶ କରିଥିଲେ । ସମସ୍ତ ମାଆ ମାନଙ୍କୁ ପ୍ରଶଂସାକରି ମିଶନ ଶକ୍ତି ସଚିବଙ୍କ ସହିତ ଭିଡ଼ିଓ କଲିଂ କରି ଫେଡ଼େରେସନ୍ ନେତ୍ରୀଙ୍କୁ ବାର୍ତ୍ତାଳାପ କରାଇଥିଲେ । କାଫେର ଖାଦ୍ୟ ପ୍ରସ୍ତୁତି ଗୁଣବତ୍ତା ଓ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାକୁ ପରାମର୍ଶ ପ୍ରଦାନ କରିଥିଲେ ।

ଭଣ୍ଡାରିପୋଖରୀ ଗସ୍ତରେ ପରିଦର୍ଶନ ଓ ସମୀକ୍ଷା – ୫-ଟି ସଚିବ ଶ୍ରୀ ପାଣ୍ଡିୟାନ୍ ଭଣ୍ଡାରିପୋଖରୀ ଗସ୍ତକରି ତହସିଲ ନିକଟ କଲେଜ ପଡ଼ିଆରେ ପହଞ୍ଚି ସାଧାରଣ ଜନତା ଓ ସଂଗଠନମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରି ସେମାନଙ୍କ ଦାବୀ ଅଭିଯୋଗ ବିଷୟରେ ଆଲୋଚନା କରିଥିଲେ । ଚାଷୀମାନଙ୍କ ସମସ୍ୟା ଓ ଧର୍ମାନୁଷ୍ଠାନ ଉନ୍ନତିକରଣ ପାଇଁ ସମସ୍ତ ଦାବୀ ପୂରଣ ଦିଗରେ ଅଗ୍ରାଧୀକାର ଦିଆଯିବ ବୋଲି ପ୍ରକାଶ କରିଥିଲେ । ଆଖୁଆପଦା ଠାରେ ବ୍ୟାରେଜ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରିଥିଲେ । ଲୋକଙ୍କ ସହଯୋଗ ମିଳିଲେ ମଞ୍ଜୁର କରାଯାଇଥିବା ଟେକ୍ସଟାଇଲ ପାର୍କର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ସମସ୍ତ କଲେଜ ରୂପାନ୍ତରିକରଣ ଅନ୍ତର୍ଭୁକ୍ତ ହେବା ପ୍ରକ୍ରିୟା ଆରମ୍ଭ ବିଷୟରେ ସୂଚନା ଦେଇଥିଲେ । ପରେ ପରେ ୫-ଟିରେ ରୂପାନ୍ତରିକରଣ ହୋଇଥିବା ପ୍ରଭାକର ମହାନ୍ତି ଉଚ୍ଚ ବିଦ୍ୟାପୀଠ, ପିରିପୁରକୁ ଯାଇ ପରିଦର୍ଶନ କରିଥିଲେ । ୫-ଟି ଉପକ୍ରମରେ ହାଇସ୍କୁଲ ରୂପାନ୍ତରିକରଣ ପିଲାମାନଙ୍କ ପାଇଁ କେତେ ଉପଯୋଗୀ ହୋଇପାରୁଛି, ସେ ବିଷୟରେ ପିଲାମାନଙ୍କ ସହ ମତ ବିନିମୟ କରିଥିଲେ । ସ୍କୁଲର ରୂପାନ୍ତରିକରଣ କାର୍ଯ୍ୟ ଖୁବ ଭଳ ହୋଇଛି ବୋଲି ପ୍ରସଂଶା କରିଥିଲେ । ପିଲାମାନଙ୍କ ସହ ଫଟୋ ଉଠାଇ ଭଲ ପାଠ ପଢ଼ି ଭଲ ମଣିଷ ହେବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ । ପରେ ପରେ ୨୨ଟି ଗ୍ରାମ ପଞ୍ଚାୟତର ୧୧୯ ଗ୍ରାମକୁ ଘରେ ଘରେ ନଳ ଦ୍ୱାରା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଆଖୁଆପଦାର ମେଗା ନଳଦ୍ୱାରା ଜଳ ଯୋଗାଣ ପ୍ରକଳ୍ପ ବୁଲି ଦେଖିଥିଲେ । ପ୍ରକଳ୍ପର କାର୍ଯ୍ୟକାରିତା ସମ୍ବନ୍ଧରେ ସମୀକ୍ଷା କରିଥିଲେ । ବାକି କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ନର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଭଦ୍ରକ ଗସ୍ତର ଅନ୍ତିମ କାର୍ଯ୍ୟକ୍ରମ ବୈତରଣୀ ନଦୀବନ୍ଧ ପାଖ ପରିଦର୍ଶନ କରି ଇନଷ୍ଟ୍ରିମ୍ ଷ୍ଟୋରେଜ ବ୍ୟବସ୍ଥା ସମ୍ବନ୍ଧରେ ସମୀକ୍ଷା କରିଥିଲେ । ୪୮୦ କୋଟି ଟଙ୍କାର ନିର୍ମାଣାଧୀନ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଦୁଇ ବର୍ଷ ମଧ୍ୟରେ ଖରିଫ ଫସଲ ପାଇଁ ଚାଷୀ ଯେପରି ଜଳ ସେଚନ ସୁବିଧା ପାଇପାରିବ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ । ଏହି ବ୍ୟବସ୍ଥାରେ ଭୂତଳ ଜଳକୁ ରିଚାର୍ଜ କରିବା ସହିତ ଜଳର ଲବଣାକ୍ତ ହ୍ରାସ କରିବା, ପାଞ୍ଚ ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଣ, ୩୦୦ ହେକ୍ଟର ଜମିରେ ମତ୍ସ୍ୟ ଚାଷ, ଗୋମେଷାଦି, କୁକ୍କୁଟ ପାଳନ ପାଇଁ ଆବଶ୍ୟକ ଜଳ ଉପଲବ୍ଧି, ଏକ ବୃହତ ଅଞ୍ଚଳର ଚାଷ ପାଇଁ ଜଳ ସେଚନ ସୁବିଧା ବିଷୟରେ ଆଲେଚନା କରିଥିଲେ । ନିର୍ମାଣାଧୀନ କ୍ୟାପିଟାଲ୍ ଏମ୍ବାକମେଣ୍ଟର ର ନିର୍ମାଣ କାର୍ଯ୍ୟ ଡ଼ିସେମ୍ବର-୨୩ ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ପ୍ରମୁଖ ଶାସନ ସଚିବ ଭିନିଲ କ୍ରିଷ୍ଣା, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସ୍.ପି ବରୁଣ ଗୁଣ୍ଟୁପାଲି ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଦୁଇ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଓ ଶାନ୍ତନୁ କୁମାର ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୀକାରୀ ଡ଼. ସନ୍ତୋଷ କୁମାର ପାତ୍ର, ଅତିରିକ୍ତ ଉପଜିଲ୍ଲାପାଳ ଡ଼. ଲକ୍ଷ୍ମୀପ୍ରସାଦ ସାହୁ, ସହକାରୀ ଜିଲ୍ଲାପାଳ କାର୍ତ୍ତିକନାଥ ମଣ୍ଡଳ, ସଂପୃକ୍ତ ବ୍ଲକମାନଙ୍କର ବି.ଡ଼ି.ଓ. ଓ ତହସିଲଦାର ପ୍ରମୁଖ ଏହି ଗସ୍ତ କାର୍ଯ୍ୟକ୍ରମରେ ଆନୁସଂଗିକ ଦାୟିତ୍ୱ ନିର୍ବାହ କରିଥିଲେ ।

Leave a Reply

Your email address will not be published. Required fields are marked *