ସରକାରୀ ଜମି ଜବରଦଖଲକୁ କେନ୍ଦ୍ର କରି ଗଣ୍ଡଗୋଳ, ୩ ଆହତ, ଜଣେ ଗୁରୁତର, ୨ଟି ମାମଲା

Spread the love

ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଗୋଳାପୋଖରୀ ଗ୍ରାମରେ ବୁଧବାର ଅପରାହ୍ନରେ ସରକାରୀ ଜମି ଜବର ଦଖଲକୁ କେନ୍ଦ୍ର କରି ଗଣ୍ଡଗୋଳ ଉପୁଜିଛି । ଏହି ଗଣ୍ଡଗୋଳରେ ଉଭୟ ପକ୍ଷରୁ ୩ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଭଦ୍ରକ ଡାକ୍ତାରଖାନାରେ ଚିକିତ୍ସାଧୀନ ଥିବା ଜଣାଯାଇଛି । ଏହି ଘଟଣାରେ ଉଭୟ ପକ୍ଷର ଅଭିଯୋଗ କ୍ରମେ ତିହିଡ଼ି ପୁଲିସ କେଶ ନଂ ୨୫୨/୨୩ ଓ ୨୫୩/୨୩ରେ ୧୧ ଜଣଙ୍କ ନାମରେ ଦୁଇଟି ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଗୋଳାପୋଖରୀ ଗ୍ରାମର ମନୋରମା ବନ୍ଧଙ୍କ ଅଭିଯୋଗରୁ ପ୍ରକାଶ ଯେ, ତାଙ୍କ ନାତି ଘର ପାଖରେ ଥିବା ଏକ ସରକାରୀ ନାଳରେ ବଳକା ଭାତ ପକାଇ ଦେବାରୁ ପଡ଼ୋଶୀ ବିଶୁ ମୋହନ ସେଠୀ ତାଙ୍କୁ ଗାଳିଗୁଲଜ କରିବା ସହ ଧମକ ଚମକ ଦେଇଥିଲେ । ଏହାର ପ୍ରତିବାଦ କରିବାରୁ ସେ ନାଳରେ ପୋତିଥିବା ବାଉଁଶକୁ ଆଣି ତାଙ୍କୁ ଆକ୍ରମଣ କରିଥିଲେ । ପରେ ତାଙ୍କର ଅନ୍ୟ ୩ପୁଅ ମିଥୁନ, ଲିପୁନୁ ଓ ସୁକାନ୍ତ ସେଠାରେ ପହଞ୍ôଚ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ମନୋରମା ଗୁରୁତର ଆହତ ହୋଇ ପ୍ରଥମେ ତିହିଡ଼ି ଓ ପରେ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଅଭିଯୋଗରେ ଦର୍ଶାଯାଇଛି । ସେହିପରି ବିଶ୍ୱମୋହନ ସେଠୀଙ୍କ ଅଭିଯୋଗରୁ ଜଣା ପଡ଼ିଛି ଯେ, ତାଙ୍କ ଘରକୁ ଯିବା ରାସ୍ତାରେ ଅପରପକ୍ଷ ଅଇଁଠା ଭାତ ଆଣି ପକାଇଥିଲେ । ଫଳରେ ସେମାନଙ୍କ ଯାତାୟତରେ ଅସୁବିଧା ହୋଇଥିଲା । କିଏ ଏହି ଭାତ ପକାଇଛି ବୋଲି ପଚାରିବାରୁ ଅପରପକ୍ଷ ଦୀନ ବନ୍ଧ, ଖୁଣ୍ଟିଆ ବନ୍ଧ, ଦରବାରି ବନ୍ଧ, ଟୁକୁନା ବନ୍ଧ, ସୁକୁଟା ବନ୍ଧ, କାରବାରି ବନ୍ଧ ଓ ଛବିତା ବନ୍ଧ ପ୍ରମୁଖ ଘରୁ ବାଡି ଓ ମାରଣାସ୍ତ୍ର ଆଣି ବିଶ୍ୱମୋହନଙ୍କ ସମେତ ତାଙ୍କ ପୁଅ ଲିପୁନୁ, ସୁକାନ୍ତ ଓ ମିଥୁନଙ୍କ ଆକ୍ରମଣ କରିଥିଲେ ।

Leave a Reply

Your email address will not be published. Required fields are marked *