ନ୍ୟାୟାଳୟରେ ଝୁଟୁଣା ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ବିବାଦ, ରାଜନୈତିକ ଛକାପଞ୍ଝାରେ ୬ ବର୍ଷ ହେଲା ଗଡୁଛି ମାମଲା

ଭଦ୍ରକ : ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ର ତେସିଙ୍ଗା ପଞ୍ଚାୟତରୁ ବିଭାଜିତ ହୋଇ ଗତ ଛଅ ବର୍ଷ ତଳେ ୨୦୧୭ ରେ ଗଠନ କରାଯାଇଥିବା ଝୁଟୁଣା ପଞ୍ଚାୟତର ସ୍ଥାୟୀ କାର୍ଯ୍ୟାଳୟ ଗୃହ ନିର୍ମାଣ ଏଯାବତ୍ ହୋଇପାରିନାହିଁ । ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ସ୍ଥାନ ନିରୂପଣକୁ ନେଇ ବିବାଦ ସୃଷ୍ଟି ହୋଇ ନ୍ୟାୟାଳୟରେ ସମୟ ଗଡୁଥିବାରୁ ଏଯାବତ୍ ଏହି ପଞ୍ଚାୟତର କାର୍ଯ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇପାରୁନାହିଁ । ୨୦୧୭ ରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ବ୍ଲକ୍ ର ଦକ୍ଷିଣବାଡ, ରାଜେନ୍ଦ୍ରପୁର, ନାଆମୀ ଓ ତେସିଙ୍ଗା ପଞ୍ଚାୟତକୁ ବିଭାଜିତ କରାଯାଇ ଯଥାକ୍ରମେ ବୟାବନାପୁର, ସାନଶାସନ, ବନ୍ଦାଳୋ-ମଢିଆଳି ଓ ଝୁଟୁଣା ପଞ୍ଚାୟତକୁ ଗଠନ କରାଯାଇଥିଲା । ବୈତରଣୀ ନଦୀ କୂଳରେ ଅବସ୍ଥିତ ଏକ ବୃହତ୍ ରାଜସ୍ୱ ଗ୍ରାମ ଝୁଟୁଣା ସହ ବାବଲପୁର, ବରହମପୁର ଓ ଦାଦେଶ୍ୱର ଗ୍ରାମକୁ ନେଇ ୧୧ଟି ୱାର୍ଡ ସୃଷ୍ଟି କରାଯିବା ସହ ୨୦୧୭ ପଞ୍ଚାୟତ ନିର୍ବାଚନ ଠାରୁ ଝୁଟୁଣା ପଞ୍ଚାୟତକୁ କାର୍ଯ୍ୟକ୍ଷମ କରାଯାଇଛି । ତେସିଙ୍ଗା ପଞ୍ଚାୟତରୁ ବିଭାଜିତ ହୋଇଥିବା କାରଣରୁ କିଛିଦିନ ଧରି ତେସିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଝୁଟୁଣା ପଞ୍ଚାୟତ କାର୍ଯ୍ୟାଳୟ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିଲା । ମାତ୍ର ସେହିବର୍ଷ ଅର୍ଥାତ୍ ୨୦୧୭ ଏପ୍ରିଲ ୨୮ ରେ ପଞ୍ଚାୟତିରାଜ ଓ ପାନୀୟ ଜଳେଯାଗାଣ ବିଭାଗର ପତ୍ର ସଂଖ୍ୟା ୭୩୮୮ ଅନୁଯାୟୀ ପ୍ରତ୍ୟେକ ନୂତନ ପଞ୍ଚାୟତର କାର୍ଯ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଆବାସିକ ଗୃହ ନିର୍ମାଣ ପାଇଁ ରାଜ୍ୟ ସରକାର ନବଗଠିତ ପଞ୍ଚାୟତଗୁଡିକୁ ୩୦ ରୁ ୩୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦେଇଥିଲେ । ଏହି ଅନୁସାରେ ବ୍ଲକ୍ ର ନୂତନ ୪ଟି ପଞ୍ଚାୟତ ମଧ୍ୟରୁ ବୟାବନପୁର, ସାନଶାସନ ଓ ବନ୍ଦାଳୋ ମଢିଆଳି ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହ ୨୦୧୮ ସୁଦ୍ଧା ସମାପ୍ତ ହୋଇ କାର୍ଯ୍ୟକ୍ଷମ ହୋଇସାରିଛି । ମାତ୍ର ଝୁଟୁଣା ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ବାଦ ବିବାଦ ମଧ୍ୟରେ ଛନ୍ଦି ହୋଇ ଏଯାବତ୍ ହୋଇପାରିନାହିଁ । ଝୁଟୁଣା ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ପ୍ରଥମେ ମନୋନୟନ ହୋଇଥିବା ସ୍ଥାନକୁ ବିରୋଧ କରାଯାଇ ମାମଲା ହେବା ଫଳରେ ଗୃହ ନିର୍ମାଣ କାର୍ଯ୍ୟ ଅଟକ ରହିଛି । ପଞ୍ଚାୟତ ପକ୍ଷରୁ ସରପଞ୍ଚ ଗୃହ ନିର୍ମାଣ କାର୍ଯ୍ୟ ଅଟକ ରହିଛି । ପଞ୍ଚାୟତ ପକ୍ଷରୁ ସରପଞ୍ଚ ଝୁଟୁଣା ଗ୍ରାମର ବୈତରଣୀ ନଦୀ ତଟବର୍ତ୍ତୀ ମନ୍ଦିର ସମ୍ମୁଖ ସ୍ଥାନରେ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିବାବେଳେ ତତ୍ ସଂଲଗ୍ନ ଅନ୍ୟ ଏକ ଜମିରେ ପଞ୍ଚାୟତ ଗୃହ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ରିପୋର୍ଟ ହୋଇଥିଲା ଅପରପକ୍ଷରେ ପଞ୍ଚାୟତର ତତ୍କାଳୀନ ନାଏବ ସରପଞ୍ଚ, ଜଣେ ୱାର୍ଡ ସଭ୍ୟ ଓ ବ୍ଲକ୍ ପ୍ରଶାସନ ଦ୍ୱାରା ପ୍ରସ୍ତାବିତ ଜମିକୁ ବିରୋଧ କରି ଝୁଟୁଣା ଗ୍ରାମର ପ୍ରବେଶ ପଥରେ ନିର୍ମାଣ କରିବା ନିମନ୍ତେ ନ୍ୟାୟାଳୟରେ ମାମଲା ରୁଜୁ କରିଥିଲେ । ୨୦୧୮ ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଦେଇଥିବା ଆଦେଶ ଅନୁଯାୟୀ ସରପଞ୍ଚ ପ୍ରଶାସନିକ ପ୍ରସ୍ତାବିତ ଜମିକୁ ଲିଜ୍ ପାଇଁ ଦରଖାସ୍ତ କରିବାକୁ ଜିଲାପାଳଙ୍କ ଆଦେଶ ମଧ୍ୟ କାର୍ଯ୍ୟକାରୀ କରାଯାଇନଥିବା ଜଣାଯାଇଛି । ଏଭଳି ଅବସ୍ଥାରେ ଏହି ଘଟଣାକୁ ଜଟିଳ କରି ରଖିବା ପାଇଁ ଏହାର ପ୍ରଚ୍ଛଦପଟରେ ପରସ୍ପର ବିରୋଧୀ ରାଜନୈତିକ ଦଳର ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ତାଳମେଳ ରହୁନଥିବାରୁ ସ୍ଥାନ ନିରୂପଣ ହୋଇପାରୁନାହିଁ । ଫଳରେ ପଞ୍ଚାୟତ ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ହୋଇପାରିନାହିଁ । ତେସିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏହା କିଛିବର୍ଷ କାର୍ଯ୍ୟ କରିବା ପରେ ଅସ୍ଥାୟୀ ଭାବେ ଝୁଟୁଣା ପ୍ରାଥମିକ ବିଦ୍ୟାଳୟରେ ପରିଚାଳିତ ହେଉଥିଲା । ମାତ୍ର ୨୦୨୨ ପଞ୍ଚାୟତ ନିର୍ବାଚନ ପରେ ଗ୍ରାମ ସୀମାନ୍ତରେ ଥିବା କୋଭିଡ୍ କେୟାର କେନ୍ଦ୍ରରେ ଏବେ ପଞ୍ଚାୟତ କାର୍ଯ୍ୟାଳୟ ପରିଚାଳନା କରାଯାଉଛି ବୋଲି ସୂଚନା ଫଳକରେ ଦର୍ଶାଯାଇଛି । ମାମଲାମୁକ୍ତ ନହେବା ପର୍ଯ୍ୟନ୍ତ ଝୁଟୁଣା ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ସମ୍ଭବ ନୁହେଁ ବୋଲି ବିଡିଓ କହିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *