ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପନ ପର୍ଯ୍ୟନ୍ତ ଗଣତାନ୍ତ୍ରିକ ଧାରାରେ ଉଦ୍ୟମ ଜାରି ରହିବ – ବିଦ୍ୟାର୍ଥୀ ବିକାଶ ମଞ୍ଚ

Spread the love

ଭଦ୍ରକ : ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପନ ପ୍ରସଂଗରେ ଓଡ଼ିଶା ସରକାରଙ୍କ ‘୫ଟି’ ସଚିବଙ୍କ ମତାମତ ବାବଦରେ ବିଦ୍ୟାର୍ଥୀ ବିକାଶ ମଞ୍ଚର ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡଃ ଦେବେନ୍ଦ୍ର ନାଥ ରାଉତଙ୍କ ଅଧ୍ୟକ୍ଷତାରେ ଚଳିତ ଜୁନ ୧୨ ତାରିଖ ଅପରାହ୍ଣରେ ମଞ୍ଚର ଉପଦେଷ୍ଟା ଓ କର୍ମକର୍ତ୍ତାମାନଙ୍କର ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ବୈଠକରେ ହୋଇଥିବା ନିଷ୍ପତ୍ତିକୁ ଏହି ଅନୁଷ୍ଠାନର ସଭାପତି ଲକ୍ଷ୍ମୀଧର ବିଶ୍ୱାଳ ସ୍ଥାନୀୟ ଜାନୁଗଞ୍ଜ ସ୍ଥିତ ‘ଦିବ୍ୟମ୍’ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ଗଣମାଧ୍ୟମକୁ ଜଣାଇଛନ୍ତି । ପ୍ରଥମତଃ ଚଳିତ ୧୧ ଜୁନ୍ରେ ‘୫ଟି’ ସଚିବ ଦେଇଥିବା ମତାମତକୁ ସ୍ୱାଗତ କରାଯାଇଛି । ମାତ୍ର ନମ୍ରତାର ସହିତ ଜଣାଇ ଦିଆଯାଇଛି ଯେ, ଆଗରୁ ବିଭିନ୍ନ ସଭାରେ ନେତା ଓ ମନ୍ତ୍ରୀମାନେ ଏକାଧିକବାର ପ୍ରତିଶୃତି ଦେଇ ଚାଲିଥିଲେ । ଏଥର ବି ‘୫ଟି’ ସଚିବଙ୍କ ଜରିଆରେ ରାଜ୍ୟ ସରକାରଙ୍କର ଏହା ଏକ ପ୍ରତିଶୃତିର ମତାମତ ମାତ୍ର । କିନ୍ତୁ ଜିଲ୍ଲାବାସୀ ତଥା ବିଦ୍ୟାର୍ଥୀ ବିକାଶ ମଞ୍ଚ ଆଶା ରଖିଥିଲେ ଯେ, ଚଳିତ ୧୧ରେ ଏ ପ୍ରସଂଗରେ ମାନନୀୟ ମୁଖ୍ୟମନ୍ତ୍ରୀ ସିଧା ସଳଖ ହେଉ ବା ଆଭାସୀ ଜରିଆରେ ନିଶ୍ଚୟ ଘୋଷଣା ହିଁ କରିବେ । ମାତ୍ର ସେପରି ହେଲା ନାହିଁ । ପୁଣି ଫୁଲ ଘୁଞ୍ଚିଗଲା ଯେ, ଠିକ୍ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ହେବ । ଏଣୁ ସେହି ଠିକ୍ ସମୟରେ ଘୋଷଣା ହେବା ତଥା ଭଦ୍ରକରେ ବିଶ୍ୱ ବିଦ୍ୟାଳୟ ସ୍ଥାପନ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ବିକାଶ ମଞ୍ଚ ତରଫରୁ ହୋଇଥିବା ପୂର୍ବ ନିଷ୍ପତ୍ତି ଅନୁସାରେ ଗଣତାନ୍ତ୍ରିକ ଧାରାରେ ବିଭିନ୍ନ କାର୍ଯ୍ୟକ୍ରମ ତଥା ପ୍ରଭାବୀ ପ୍ରୟାସ ଜାରି ରହିବ ବୋଲି ମଞ୍ଚର ସଭାପତି ଶ୍ରୀ ବିଶ୍ୱାଳ କହିଛନ୍ତି । ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ପ୍ରାୟ ୫୦ ବର୍ଷ ତଳର ଭଦ୍ରକର ଏହି ମୌଳିକ ଦାବିକୁ ହାସଲ କରିବା ପାଇଁ ଭଦ୍ରକ କଲେଜର ପୁରାତନ ଛାତ୍ର ସଂସଦ ତରଫରୁ ଅନେକ ଉଦ୍ୟମ ପରେ ୨ ଥର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ, ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ତଥା ସଚେତନ ନାଗରିକଗଣ ପ୍ରାୟ ଗତ ୧୦ ବର୍ଷ କାଳ ଚେଷ୍ଟା ପରେ ମଧ୍ୟ ସରକାର ଭଦ୍ରକବାସୀଙ୍କର ଏହି ମୌଳିକ ଦାବିକୁ ପୂରଣ କରିବା ପରିବେର୍ତ୍ତ ଆମ ଭଦ୍ରକ କଲେଜ ଠାରୁ କମ୍ ଶୈକ୍ଷିକ ଭିତ୍ତିମୂମି ଥିବା ରାଜ୍ୟ ଏକାଧିକ କଲେଜକୁ ଚଳିତ ବର୍ଷ ଫେବୃଆରୀ ମାସରେ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କଲେ । ଏକଥା ଜିଲ୍ଳାବାସୀଙ୍କୁ ବହୁତ ବାଧିଲା । ଶେଷରେ ବିଦ୍ୟାର୍ଥୀ ବିକାଶ ମଞ୍ଚ ଭଦ୍ରକ ତରଫରୁ ବିଭିନ୍ନ ଉଦ୍ୟମ ପରେ ଚଳିତ ମଇ ମାସ ୨୧ ତାରିଖରେ ସ୍ଥାନୀୟ ଟାଉନ୍ ହଲ୍ଠାରେ ୨ ଅଧିବେଶନ ଏକ ବିଶିଷ୍ଟ ପ୍ରଭାବୀ କାର୍ଯ୍ୟକ୍ରମ କରାଗଲା । ସେହି କାର୍ଯ୍ୟକ୍ରମରେ ଶେଷ ଭାଗରେ ଶିକ୍ଷାବିତ୍ ତଥା ବିଦ୍ୟାର୍ଥୀ ବିକାଶ ମଞ୍ଚର ବରିଷ୍ଠ ଉପଦେଷ୍ଟା ଡଃ ବ୍ରଜମୋହନ ମିଶ୍ର କହିଲେ ଯେ, ଗଣତନ୍ତ୍ର ରାଜ୍ୟରେ ଆମ ଭଦ୍ରକ ଜିଲ୍ଲା ପ୍ରତି ଏପରି ଚରମ ଅବହେଲା ତଥା ପାତର ଅନ୍ତର ନୀତି ଆଉ ଚଳିବ ନାହିଁ । ସରକାର ଖୁବ୍ ଶୀଘ୍ର ଏ ବାବଦରେ ନିଷ୍ପତ୍ତି ନେଇ ଘୋଷଣା ସହିତ ପ୍ରଶାସନିକ ବ୍ୟବସ୍ଥା ଆରମ୍ଭ କରନ୍ତୁ, ନଚେତ ପ୍ରଥମେ ଭଦ୍ରକ ଓ ପରେ ପରେ ଭୁବନେଶ୍ୱରରେ ଛାତ୍ର ଏବଂ ଜନ ଆନ୍ଦୋଳନକୁ ବ୍ୟାପକ କରାଯିବ । ତା ସତ୍ତ୍ୱେ ସରକାର ଯଦି ଏ ପ୍ରସଙ୍ଗରେ ନିଦାବିଷ୍ଣୁ ସାଜିବେ ତାହାହେଲେ, ବାଧ୍ୟ ହୋଇ ସେ ଆତ୍ମାହୁତି ଦେବେ ବୋଲି ସ୍ପଷ୍ଟ କଲେ । ତାଙ୍କ ସହିତ ଉକ୍ତ ସଂଗଠନର ସଭାପତି ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳ ଓ ଅନ୍ୟ କେତେକ ବ୍ୟକ୍ତି ମଧ୍ୟ ସ୍ୱର ମିଳାଇଲେ ଓ କହିଲେ ଆବଶ୍ୟକ ସ୍ଥଳେ ସେମାନେ ମଧ୍ୟ ଶେଷ ପର୍ଯ୍ୟାୟରେ ଏ ପ୍ରକାର ଅବିଚାର ପ୍ରତିବାଦରେ ଆତ୍ମାହୁତି ଦେବାକୁ ପଛାଇବେ ନାହିଁ । ଏ ପ୍ରକାର ଚରମ ଚେତାବନୀ ପରେ ଶେଷରେ ରାଜ୍ୟ ସରକାରଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଲା ଓ ଚଳିତ ୧୧ ଜୁନ୍ରେ ‘୫ଟି’ ସଚିବଙ୍କ ଦ୍ୱାରା ଦୁଇ ପଦ ମତାମତ ପ୍ରଦାନ କଲେ ଯେ, ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ଭଦ୍ରକରେ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ଘୋଷଣା କରିବେ । ମାତ୍ର ବିଦ୍ୟାର୍ଥୀ ବିକାଶ ମଞ୍ଚ ଆଜିର ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କୁ ସ୍ପଷ୍ଟ ନିବେଦନ ଜଣାଇଛନ୍ତି ଯେ, ଭଦ୍ରକ ଟାଉନ୍ ନିକଟସ୍ଥ ଯେ କୌଣସି ସ୍ଥାନରେ ଉକ୍ତ ଜିଲ୍ଲାର ୫୦ ବର୍ଷ ତଳର ଦାବି ଅନୁସାରେ ପଲ୍ଲୀଭାରତୀ ନାମରେ ଏକ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯାଉ ଓ ଏହା ଅଧିନରେ ଜିଲ୍ଲାର ସମସ୍ତ କଲେଜକୁ ନିଆଯାଉ । ଏଥି ସହିତ ଜଣେ ପ୍ରଫେସର କ୍ୟାଡର୍ର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ କରି ଜିଲ୍ଲାର ଏକମାତ୍ର ସରକାରୀ କଲେଜ ଐତିହାସିକ ଭଦ୍ରକ ମହାବିଦ୍ୟାଳୟ ଶୈକ୍ଷିକ ବାତାବରଣକୁ ଅବିଳମ୍ବେ ସଜଡ଼ା ଯାଉ । ଏଠାରେ ନିବେଦନଯୋଗ୍ୟ ଏହି ଯେ, ଯେପରି ବିଗତ ଦିନରେ ବାଲେଶ୍ୱରର ଫକୀର ମୋହନ କଲେଜ ଓ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଅଲଗା ଅଲଗା କରାଯାଇଛି, ଭଦ୍ରକ କ୍ଷେତ୍ରରେ ତାହା ହିଁ କରିବା ପାଇଁ ମଞ୍ଚ ସରକାରଙ୍କୁ ନିବେଦନ ଜଣାଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳଙ୍କ ସହିତ ବରିଷ୍ଠ ଉପଦେଷ୍ଟା ଉଦ୍ୟାନ୍ବିତ୍ ବିଚିତ୍ରାନନ୍ଦ ମହାନ୍ତି, ରୋଟାରିଆନ୍ ଅଭିଜିତ୍ ନାୟକ, ସମାଜସେବୀ ଅନିଲ ଦେ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଜେନା, ବିଦ୍ୟାର୍ଥୀ ପୁରୁଷୋତ୍ତମ ଆର୍ଯ୍ୟ, ମମତା ବିଶ୍ୱାଳ, ଅକ୍ଷୟ ବିଶ୍ୱାଳ, ମଧୁସ୍ମିତା ବିଶ୍ୱାଳ, ମୀନାରାଣୀ ବିଶ୍ୱାଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *