ବାହାନଗା ଟ୍ରେନ୍ ଦୁଘର୍ଟଣାରୁ ଅନେକ ଶିକ୍ଷା ମିଳିଛି – ଜିଲ୍ଲାପାଳ, ଟେବୁଲ ଟପ୍ ଏକସରସାଇଜ୍ ଓ ମକ୍ଡ଼ିଲ ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

Spread the love

ଭଦ୍ରକ : ପ୍ରାକୃତିକ ଓ ଆକସ୍ମିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଶାସନସ୍ତରରେ ସଂପୃକ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ଆବଶ୍ୟକୀୟ ବିଭିନ୍ନ ଉପକରଣ ସବୁର ପ୍ରସ୍ତୁତି ନେଇ ସଚେତନତା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶମତେ ପ୍ରତିବର୍ଷ ଜୁନ୍ ମାସ ୧୮ ତାରିଖରେ ଟେବୁଲ ଟପ୍ ଏକସରସାଇଜ୍ ଓ ୧୯ରେ ମକ୍ ଡ଼୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ଏଥିପାଇଁ ଆଜି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଓ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର ଓ ଅତିରିକ୍ତ ଉପଜିଲ୍ଲାପାଳ ଡ଼. ଲକ୍ଷ୍ମୀ ପ୍ରସାଦ ସାହୁ ପ୍ରମୁଖ ଏହି ବୈଠକରେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମନୋରମା ଜାଲି ବୈଠକର ଆଭିମୁଖ୍ୟ ଓ ୧୮ ଓ ୧୯ ତାରିଖରେ ହେବାକୁ ଥିବା ଟେବୁଲ୍ ଟପ୍ ଏକସରସାଇଜ୍ ଓ ମକଡି଼୍ରଲ୍ କାର୍ଯ୍ୟକ୍ରମ ବିଷୟରେ ପୂର୍ଣ୍ଣାଙ୍ଗ ଚିତ୍ର ଉପସ୍ଥାପନ କରିଥିଲେ । ବାହାନଗା ରେଳ ଦୁର୍ଘଟଣାରେ ଶହ ଶହ ମୃତାହତଙ୍କୁ ଉଦ୍ଧାର ପାଇଁ ହଠାତ୍ ଜନବଳ ସହ ଡ଼ାକ୍ତର, ଜେସିପି, ଆସ୍କାଲାଇଟ୍, କଟର ମେସିନ୍, ଆମ୍ବୁଲାନସ୍, ଗାଡ଼ି, କର୍ମଚାରୀ କିପରି ଆବଶ୍ୟକ ହେଲା ଓ ସାମୂହିକ ପ୍ରଚେଷ୍ଟା ବଳରେ ସେ କାର୍ଯ୍ୟ ସମ୍ଭବ ହୋଇପାରିଲା, ବିପର୍ଯ୍ୟୟ ମୁକାବିଲା ଦିଗରେ ଏଥିରୁ ଆମକୁ ଅନେକ ଶିକ୍ଷା ମିଳିଛି ଏବଂ ଆମେ ଏହିଭଳି ଯେକୌଣସି ବିପର୍ଯ୍ୟୟର ମୁକାବିଲା ପାଇଁ ସଦା ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ବୈଠକରେ ଉପସ୍ଥିତ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ବିପର୍ଯ୍ୟୟ ମୁକାବିଲା ନେଇ ସଂପୃକ୍ତ ବିଭାଗୀୟ ମୁଖ୍ୟମାନେ ସେମାନଙ୍କର ପ୍ରସ୍ତୁତି ସମ୍ବନ୍ଧରେ ଟେବୁଲ ଟପ୍ ଏକସରସାଇଜ୍ରେ ଉପସ୍ଥାପନ କରିବେ ଏବଂ ମକଡ଼୍ରିଲରେ ଡ଼ମି ମେସେଜ୍ ଅନୁଯାୟୀ କାର୍ଯ୍ୟରେ କରି ଦେଖାଇବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ପ୍ରକାଶ କରିଥିଲେ । ଏ ନେଇ ବ୍ଲକ୍ ସ୍ତରରେ ମଧ୍ୟ ପ୍ରସ୍ତୁତି ବୈଠକ କରିବା ସହିତ ଟିମ୍ ଗଠନ ପାଇଁ ଉପସ୍ଥିତ ବି.ଡ଼ି.ଓ.ମାନଙ୍କୁ କୁହାଯାଇଥିଲା । ସୂଚନା ଯୋଗ୍ୟ କି ଜିଲ୍ଲାରେ ଥିବା ସମୁଦାୟ ୧୦୪ଟି ଯାକ ଆଶ୍ରୟସ୍ଥଳିରେ ଏହି ମକ୍ଡ଼୍ରିଲ ହେବ । ଜନସାଧାରଣଙ୍କ ସଚେତନତା ଓ ସତର୍କତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ୧୮ ଓ ୧୯ରେ ପାଳନ ହୋଇଆସୁଥିବା ଏହି କାର୍ଯ୍ୟକ୍ରମରେ ଆଶା, ଅଙ୍ଗନୱାଡ଼ି କର୍ମୀ, ସ୍ଥାନୀୟ ଜନପ୍ରତିନିଧ, ଆଶ୍ରୟସ୍ଥଳ କମିଟି ସଭାପତି, ସମ୍ପାଦକ , ସଦସ୍ୟ, ଓଡ଼୍୍ରାଫ୍, ଏନ୍ଡ଼ିଆରଏଫ୍, ଅଗ୍ନିଶମ, ପୋଲିସ ଆଦି ସମସ୍ତେ ସାମିଲ ହୋଇଥାନ୍ତି । ବିଭାଗୀୟ ଜିଲ୍ଲା ସଂଯୋଜକ ଅମ୍ଳାନ ଅନୁପମ ସେନାପତି ଏହି ବୈଠକ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *