ଭଦ୍ରକ : ରିହାତି ଦରରେ କୁକୁଡା ଖାଦ୍ୟ ଯୋଗାଣ ଓ କୁକୁଡା ଦର ନିୟନ୍ତ୍ରଣ କ୍ଷେତ୍ରରେ କମ୍ପାନିଗୁଡିକର ମନମୂଖୀ ନୀତି ଉପରେ ଅଙ୍କୁଶ ଲଗାଇବା ଲାଗି ରାଜ୍ୟ ସରକାରଙ୍କ ଠାରେ ଦାବି କରିଛି ଭଦ୍ରକ ଜିଲା କୁକୁଡା ଚାଷୀ ମାଲିିକ ସଂଘ । ସଂଘର ସଭାପତି ନୀଳମଣି ଶୁକ୍ଳାଙ୍କ ନେତୃତ୍ୱରେ ସ୍ଥାନୀୟ ବହୁଦରଡା ଠାରେ ଜିଲାର କୁକୁଡା ଚାଷୀମାନେ ଏକ ବୈଠକରେ ମିଳିତ ହୋଇଥିଲେ । ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କର ସମସ୍ୟା ଉତ୍ଥାପନ କରି ସମାଧାନ ଲାଗି ସରକାରଙ୍କୁ ନିବେଦନ କରିଛନ୍ତି । ସଂଘର ଦାବି ହେଲା; ଗତ କେଇବର୍ଷ ହେବ କୁକୁଡା ଖାଦ୍ୟ (ଚଷୁ) ଯଥେଷ୍ଟ ମୂଲ୍ୟବୃଦ୍ଧି ଘଟିଛି । ଏଥିଯୋଗୁ କୁକୁଡା ଚାଷୀମାନେ କ୍ଷତିରେ ପଡୁଛନ୍ତି । ଯଦି ନିଜ ଜିଲାର ଧାନ ମିଲରମାନେ ଉତ୍ପାଦନ କରୁଥିବା ଚଷୁକୁ କୁକୁଡା ଚାଷୀଙ୍କୁ ରିହାତି ଦରରେ ସରକାର ଯୋଗାଇ ଦେବାରେ ବ୍ୟବସ୍ଥା କରନ୍ତେ ତାହାହେଲେ କୁକୁଡା ଚାଷୀ ଉପକୃତ ହୁଅନ୍ତେ । ଏ ଦିଗରେ ସରକାର ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେବାକୁ ସଂଘ ପକ୍ଷରୁ ଦାବି ହୋଇଛି । ଅନୁରୂପ ଭାବେ ସଂଘ ଆରୋପ କରିଛି ଯେ, କୁକୁଡା ଦର ନିର୍ଦ୍ଧାରଣ କ୍ଷେତ୍ରରେ କମ୍ପାନି ଗୁଡିକ ମନମୂଖୀ ନୀତି ଆପଣାଉଛନ୍ତି । କୁକୁଡା ଦର ନିର୍ଦ୍ଧାରଣ ଲାଗି କେନ୍ଦ୍ର ସରକାର ଜାରି କରିଥିବା ଏକ ମାର୍ଗଦର୍ଶକିକାକୁ ରାଜ୍ୟ ସରକାର ଲାଗୁ କରୁନାହାନ୍ତି । କେନ୍ଦ୍ରୀୟ ମାର୍ଗଦର୍ଶିକା ଅନୁଯାୟୀ, କୁକୁଡା ପାଳନ ଲାଗି ଚାଷୀ ଖାଦ୍ୟ ବାବଦ, ଶ୍ରମ ବାବଦ, ଔଷଧ ବାବଦ ତଥା ଅନ୍ୟାନ୍ୟ ଖର୍ଚ୍ଚକୁ ହିସାବକୁ ନେଇ କୁକୁଡାର ଦର ନିର୍ଦ୍ଧାରଣ ହେବା କଥା । ଏହି ଆଧାରରେ କମ୍ପାନିମାନେ ଚାଷୀଙ୍କ ଠାରୁ କୁକୁଡା କ୍ରୟ କରିବା କଥା । ମାତ୍ର ଚାଷୀ କ୍ଷତି ସହୁଥିବା ବେଳେ କମ୍ପାନି ନିଜ ଇଚ୍ଛାରେ ତଥା ମନମୂଖୀ ଭାବେ ଦର ନିର୍ଦ୍ଧାରଣ କରୁଛି । ଏଥିଯୋଗୁ ଚାଷୀମାନେ ବ୍ୟାବସାୟୀମାନେ କ୍ଷତି ସହୁଛନ୍ତି । ବର୍ଷକ ତଳୁ ସରକାରଙ୍କୁ ଏବାବଦରେ ରାଜ୍ୟ କୁକୁଡା ଚାଷୀ ମାଲିକ ସଂଘ ଅବଗତ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେବି ସରକାର କିଛି ପଦକ୍ଷେପ ନେଉନାହାନ୍ତି । ଏଥିଯୋଗୁଁ ରାଜ୍ୟର ୩୭ହଜାରରୁ ଅଧିକ କୁକୁଡା ଚାଷୀ କ୍ଷତି ସହୁଥିବା ବେଳେ କମ୍ପାନିଗୁଡିକ ଲାଭରେ ଅଛନ୍ତି ବୋଲି ସଂଘ ପକ୍ଷରୁ ଆରୋପ କରାଯାଇଛି । ଯଦି ସରକାର ଏହିସବୁ ସମସ୍ୟାର ସାମାଧାନ ଲାଗି ବ୍ୟବସ୍ଥା ନକରନ୍ତି ତେବେ କୁକୁଡା ଚାଷୀମାନେ ସରକାରଙ୍କୁ ଅସହଯୋଗ କରିବା ସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କ଼ୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜୟାନନ୍ଦ ଦାସ, ବିନୋଦ ବିହାରୀ ନାୟକ, ଅଶୋକ ଖୁଣ୍ଟିଆ, ଲକ୍ଷ୍ମଣ ନାୟକଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now