ବିବାଦ ଘେରରେ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତି, ଅଚଳାବସ୍ଥାକୁ ନେଇ ଚାଷୀମାନେ ଜିଲାପାଳଙ୍କ ଦ୍ୱାରସ୍ଥ

Spread the love

ଭଦ୍ରକ : ତିହିଡି ବ୍ଲକ୍ ଅଧୀନସ୍ଥ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତିର ସଂପାଦକ କାଳନ୍ଦୀ ଚରଣ ଦାସଙ୍କ ନିଲମ୍ବନକୁ ନେଇ ବିବାଦ ଜୋର ଧରିଛି । ଦାସଙ୍କ ବେଆଇନ୍ ନିଲମ୍ବନକୁ ପ୍ରତ୍ୟାହାର କରିବା ସହ ଦୀର୍ଘ ୫ ମାସ ଧରି ଅଚଳାବସ୍ଥାରେ ଥିବା ସମବାୟ ସମିତିକୁ କାର୍ଯ୍ୟକ୍ଷମ କରିବା ପାଇଁ ଆଜି କେତେକ ଚାଷୀ ଜିଲା ପ୍ରଶାସନକୁ ଏକ ଦାବିପତ୍ର ଦେଇଛନ୍ତି । ଏହି ଦାବିପତ୍ରରେ ଦର୍ଶାଯାଇଛି ଯେ ଗତ କିଛିମାସ ତଳେ ସମିତିର ନୂଆ ସଭାପତି ନିର୍ବାଚନ ପରେ ବେଆଇନ୍ ଭାବେ ଏକ ରିଜୋଲ୍ୟୁସନ କରି ସଂପାଦକ ଦାସଙ୍କୁ ନିଲମ୍ବିତ କରାଯାଇଛି । ଏହି ବେଆଇନ୍ ନିଲମ୍ବନକୁ ଚ୍ୟାଲେଞ୍ଜ କରି ସଂପାଦକ ଦାସ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଦାସଙ୍କ ଆବେଦନକୁ ଗ୍ରହଣ କରି ଏହି ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ସଂପାଦକଙ୍କ ଆର୍ଥିକ କାରବାରକୁ ବନ୍ଦ କରିଦିଆଗଲା । ଫଳରେ ସମବାୟ ସମିତିର ଅଚଳାବସ୍ଥା ସୃଷ୍ଟି ହୋଇଛି । ଚାଷୀମାନେ ସମସ୍ତ ପ୍ରକାର ସରକାରୀ ସାହାଯ୍ୟରୁ ବଂଚିତ ହୋଇଛନ୍ତି । ଏହାକୁ ନେଇ କେତେକ ଚାଷୀ କେନ୍ଦ୍ର ସମବାୟ ବ୍ୟାଙ୍କ ତିହିଡି ଶାଖାରେ ଆନ୍ଦୋଳନ କରିଥିଲେ । ଏହି ଘଟଣାରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସଂପାଦକରୁ ଅଳ୍ପ କିଛିଦିନ ତଳେ ପଦୋନ୍ନତି ପାଇଥିବା ବ୍ୟାଙ୍କିଂ ଆସିଷ୍ଟାଣ୍ଟ ଅଶୋକ ପଣ୍ଡାଙ୍କୁ ସଂପାଦକ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିଯୁକ୍ତିକୁ ସମବାୟ ସମିତି ଅଧୀନସ୍ଥ କେତେକ ଚାଷୀ ବିରୋଧ କରିଥିଲେ । ସମିତିର ଅଚଳାବସ୍ଥା ଯୋଗୁଁ ଚାଷୀମାନେ ଫସଲବୀମା ଯୋଜନାରୁ ବଂଚିତ ହେବା ସହ ଋଣ ପରିଶୋଧ ଠିକ୍ ସମୟରେ ହୋଇପାରୁନଥିବାରୁ ସୁଧହାର ବୃଦ୍ଧି ହେଉଥିବାର ଅଭିଯୋଗ କରିଛନ୍ତି । ଏହାବ୍ୟତୀତ ଖରିଫ ଋଣରୁ ଚାଷୀ ବଞ୍ଚିତ ହୋଇଛନ୍ତି । ଆସନ୍ତା ଦିନରେ ସାର, ବିହନ ପାଇପାରିବେ ନାହିଁ ବୋଲି ଚାଷୀ ମହଲରେ ଆଶଙ୍କା ପ୍ରକାଶ ପାଇଛି । ଏଭଳି ପରିସ୍ଥିତିରେ ସମବାୟ ସମିତିର ସଂପାଦକ କାଳନ୍ଦୀ ଦାସଙ୍କ ନିଲମ୍ବନ ପ୍ରତ୍ୟାହାର କରି ଆର୍ଥିକ କାରବାର ନିର୍ଦ୍ଦେଶ ପ୍ରଦାନ କରିବାକୁ କେତେକ ଚାଷୀ ଆଜି ଜିଲା ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି । ଏଥିରେ ବ୍ୟତିକ୍ରମ ହେଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଦେବେନ୍ଦ୍ର ପ୍ରଧାନ, ବିଦ୍ୟାଧର ରାଉତ, ରମାକାନ୍ତ ପ୍ରଧାନ, ଶ୍ରୀକାନ୍ତ ପ୍ରଧାନ ପ୍ରମୁଖ ବହୁ ଚାଷୀ ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ଚାଷୀଙ୍କ ଏହି ଅଭିଯୋଗ ସଂପର୍କରେ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ଭଦ୍ରକ ଶାଖା କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ଯେ ପୂର୍ବତନ ନିଲମ୍ବିତ ସଂପାଦକ ଦାସ ବିଭାଗ ପକ୍ଷରୁ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଥିବା ଶ୍ରୀ ପଣ୍ଡାଙ୍କୁ ଦାୟିତ୍ୱ ହସ୍ତାନ୍ତର ଆଜିଯାଏଁ କରୁନାହାଁନ୍ତି । ହାଇକୋର୍ଟର ମାମଲା ସଂପର୍କରେ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି ଯେ ଏହି ମାମଲାରେ ହାଇକୋର୍ଟ ସ୍ଥିତାବସ୍ଥା ଜାରି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯେହେତୁ ପୂର୍ବତନ ସଂପାଦକ ଦାସ ନିଲମ୍ବନ ପରେ ହାଇକୋର୍ଟରେ ଆବେଦନ କରିଥିଲେ, ତେଣୁ ହାଇକୋର୍ଟଙ୍କ ସ୍ଥିତାବସ୍ଥା ଜାରି ନିର୍ଦ୍ଦେଶ ଅନୁସାରେ ନିଲମ୍ବନ ଆଦେଶ କାଏମ ରହିଲା ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ । ଅପରପକ୍ଷରେ ଦାୟିତ୍ୱ ହସ୍ତାନ୍ତର ହୋଇପାରୁନଥିବାରୁ ୫ ମାସ ଧରି ସମବାୟ ସମିତିରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଅପରପକ୍ଷରେ ଅନ୍ୟ ଏକ ଗୋଷ୍ଠୀର ଚାଷୀମାନେ ସମବାୟ ସମିତିର ଅଚଳାବସ୍ଥାକୁ ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିବାଦୀୟ ପରିସ୍ଥିତିର ସମାଧାନ ପାଇଁ ଏଆରସିଏସ୍ ଓ ତିହିଡି ସମବାୟ ବ୍ୟାଙ୍କ ମ୍ୟାନେଜର ଓ ଅନ୍ୟ ଅଧିକାରୀମାନେ ଗତ ୭ ତାରିଖରେ ପୁଲିସ୍ ସୁରକ୍ଷା ବଳୟ ମଧ୍ୟରେ ସଂପୃକ୍ତ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତିକୁ ଯାଇଥିଲେ । ସେଠାରେ ପହଞ୍ଚବା ପରେ ସମିତି ତାଲା ପଡିଥିବାର ଦେଖାଯାଇଥିଲା । ପରେ ସଂପାଦକ ଭାବେ ନୂଆ ନିଯୁକ୍ତି ପାଇଥିବା ପଣ୍ଡାଙ୍କୁ ସମବାୟ ସମିତିର ସଭାପତିଙ୍କ ନିକଟରେ କାର୍ଯ୍ୟରେ ଯୋଗ ଦେଇଥିଲେ । କିନ୍ତୁ ଦାୟିତ୍ୱ ହସ୍ତାନ୍ତର କରାଯାଇପାରିନଥିଲା । ଏଭଳି ପରିସ୍ଥିତିରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ  ଦାୟିତ୍ୱ ହସ୍ତାନ୍ତର ନେଇ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବାର ଜଣାଯାଇଛି ।

Leave a Reply

Your email address will not be published. Required fields are marked *