ରାଜନୀତି

୫ ବର୍ଷ ପରେ ଟିଏସି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ମୋଡରେ ଯୋଗ ଦେବାକୁ ବିଜେପିର ନିନ୍ଦା

ଭୁବନେଶ୍ୱର : ରାଜ୍ୟ ସମୁଦାୟ ଜନସଂଖ୍ୟାର ୨୩ ପ୍ରତିଶତ ହେଉଛନ୍ତି ଜନଜାତି ସମ୍ପ୍ରଦାୟର । ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବହୁ କଲ୍ୟାଣକାରୀ ଯୋଜନା ରହିଛି । ରାଜ୍ୟରେ ଜନଜାତିଙ୍କ ସମସ୍ୟାର ସମାଧାନ ଏବଂ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ‘ଟ୍ରାଇବାଲ ଆଡଭାଇଜରୀ କମିଟି’ (ଟିଏସି) ଗଠନ କରାଯାଇଛି । ବର୍ଷକୁ ୨ ଥର ଏହି ବୈଠକ ଅନୁଷ୍ଠିତ ହେବା ନିୟମ ରହିଛି । ଶେଷ ଥର ପାଇଁ ୨୦୧୮ ମସିହା ଜୁନ୍ ୨୮ ତାରିଖରେ ଟିଏସି ବୈଠକ ଅନୁଷ୍ଠିତ ହୋଇଥିଲା । ମାତ୍ର ଆଦିବାସୀ ବିରୋଧୀ ରାଜ୍ୟ ସରକାର ଦୀର୍ଘ ୫ ବର୍ଷ ପରେ ରାଜନୈତିକ ଉଦ୍ଦେଶ୍ୟ ରଖି ଗତ କାଲି ବାଧ୍ୟବାଧକତାରେ ଟିଏସି ବୈଠକ ଡକାଇଥିଲେ । ବହୁ ଆଶା ରଖି ଦୁରଦୁରାନ୍ତରୁ ଆମେ ବୈଠକରେ ଯୋଗ ଦେବା ପାଇଁ ଆସିଥିଲୁ । ଭୁବନେଶ୍ୱରରେ ଉପସ୍ଥିତ ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଅନୁପସ୍ଥିତି ଏବଂ ଭର୍ଚୁଆଲ ମୋଡରେ ଯୋଗ ଦେବା ପରେ ତାଙ୍କ ଆଚରଣ ସମଗ୍ର ଜନଜାତିଙ୍କ ପ୍ରତି ତାତ୍ସଲ୍ୟ ବୋଲି ବିଧାୟକ ତଥା ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।

ବୁଧବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଣ୍ଡ କହିଛନ୍ତି ଯେ, ୨୩ ବର୍ଷ ଶାସନ କରିଥିବା ବିଜେଡି ସରକାରଙ୍କ ସ୍ଥାଣୁତା, ଅପାରଗତା ପାଇଁ ରାଜ୍ୟର ମୋଟ ୨୩ ପ୍ରତିଶତ ଅନୁସୂଚିତ ଜନଜାତି ଦିନକୁ ଦିନ ପଛେଇବାରେ ଲାଗିଛନ୍ତି । ଆଦିବାସୀମାନଙ୍କ ଐତିହ୍ୟ, ପରମ୍ପରା ଓ ବିକାଶ କିଭଳି ହେବ ସେନେଇ ଟିଏସି ବୈଠକ ହୋଇଥାଏ ଏବଂ ଏହାର ଏକ ବିସ୍ତୃତ ରିପୋର୍ଟ  ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥାଏ । ଦୀର୍ଘ ୫ ବର୍ଷ ଅନ୍ତରରେ ଆଗାମୀ ୨୦୨୪ ନିର୍ବାଚନକୁ ଲକ୍ଷ୍ୟ କରି ଗତକାଲି ମୁଖ୍ୟମନ୍ତ୍ରୀ ବାଧ୍ୟ ବାଧ୍ୟକତାରେ ଟିଏସି ବୈଠକ କରିଥିଲେ । ଭର୍ଚୁଆଲ ମୋଡରେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିବା ପରେ ମୁଖ୍ୟମନ୍ତ୍ରୀ ବୈଠକ ମଝିରୁ ଉଭାନ ହୋଇଯାଇଥିଲେ । ଆଦିବାସୀଙ୍କ ବିକାଶକୁ ନେଇ ବହୁ ପ୍ରସଙ୍ଗ ଆଲୋଚନା ବି ହୋଇପାରିଲା ନାହିଁ । ମୁଖ୍ୟମନ୍ତ୍ରୀ ଆଦିବାସୀମାନଙ୍କ ବିକାଶ ପାଇଁ କେତେ ତତ୍ପର, ତାହା ଗତାକାଲିର ଟିଏସି ବୈଠକରୁ ସ୍ପଷ୍ଟ ହୋଇଛି । ରାଜ୍ୟର ଜନଜାତିଙ୍କ ପ୍ରତି ରାଜ୍ୟ ସରକାର କେଉଁ ଭଳି ଅନ୍ୟାୟ କରୁଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇଛି । ଆଦିବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସମୟ ନାହିଁ, ଏହା ତାଙ୍କ ପ୍ରତି ବଡ ଅପମାନ ବୋଲି ଶ୍ରୀ ଗଣ୍ଡ କହିଛନ୍ତି ।

ଆଦିବାସୀଙ୍କ ଉନ୍ନତି ନୁହଁ ବରଂ ଶାସକ ଦଳ କର୍ମୀମାନଙ୍କୁ ଥଇଥାନ କରିବା ପାଇଁ ନୀତିନିୟମକୁ ଖିଲାପ କରାଯାଇ ଏସଡିସି ଗଠନ ହୋଇଛି । ୨୦୧୭ ନିର୍ବାଚନ ପାଇଁ ଗଠନ ହୋଇଥିବା ଏସଡିସି ୨୦୧୯ ନିର୍ବାଚନ ସରିବା ପରେ ଏହା ଅକାମି ହୋଇଯାଇଥିଲା । ପୁନଃର୍ବାର ୨୦୨୪ ନିର୍ବାଚନକୁ ଆଖିଆଗରେ ରଖି ପୁଣି ଥରେ ଏସଡିସି ଗଠନ କରିଛନ୍ତି ରାଜ୍ୟ ସରକାର । ଏସଡିସି ଏକ ରାଜନୈତିକ ଥଇଥାନ କେନ୍ଦ୍ର ପାଲଟିଛି ଏବଂ ଏଥିରେ ଆଦିବାସୀମାନଙ୍କର କୌଣସି ବିକାଶ ସମ୍ଭବ ନୁହେଁ ବୋଲି ଶ୍ରୀ ଗଣ୍ଡ କହିଛନ୍ତି ।

‘ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିନିୟମ (ପେସା)-୧୯୯୬’ ଅଧିନିୟମାନୁଯାୟୀ ଅନୁସୁଚୀତ କ୍ଷେତ୍ରରେ ନିର୍ବାଚିତ ପ୍ରତିନିଧିଙ୍କ ସ୍ୱତନ୍ତ୍ର କ୍ଷମତା ରହିଛି । ପେସା ଆଇନକୁ ରାଜ୍ୟ ସରକାର ଜାଣିଶୁଣି କାର୍ଯ୍ୟକାରୀ ନକରି ସମସ୍ତ କ୍ଷମତା ନିଜେ ଜାବୁଡି ଧରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲାପାଳ ଓ ପ୍ରଶାସନ ହାତରେ ନ୍ୟସ୍ତ କରିଛନ୍ତି । ବାରମ୍ବାର ଦାବି ସତ୍ୱେ ଆଦିବାସୀଙ୍କ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ପେସା ଆଇନକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର କାହିଁକି କୁଣ୍ଠାବୋଧ କରୁଛନ୍ତି ବୋଲି ଶ୍ରୀ ଗଣ୍ଡ ପ୍ରଶ୍ନ କରିଛନ୍ତି ।

ଆଦିବାସୀଙ୍କ ଅର୍ଥନୀତିର ବିକାଶ ପାଇଁ ପୂର୍ବରୁ ମାତ୍ର ୧୩ଟି ଲଘୁଜାତ ବନ ଦ୍ରବ୍ୟରେ ଏମ୍‌ଏସ୍‌ପି ଲାଗୁ ହୋଇଥିବାବେଳେ ମୋଦି ସରକାର ଶାସନ କ୍ଷମତାକୁ ଆସିବାରେ ଏହାକୁ ୮୦କୁ ବୃଦ୍ଧି କରିଛନ୍ତି । ମାତ୍ର ରାଜ୍ୟ ସରକାରଙ୍କ ଆନ୍ତରିକ ଅଭାବ କାରଣରୁ ଏମଏସପି ପାଇବାରୁ ବଞ୍ଚିତ ହେଉଛନ୍ତି ।

ମୋଦି ସରକାର ଆଦିବାସୀ ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରୁ ‘ବନଧନ ଯୋଜନା’ ଆରମ୍ଭ କରିଛନ୍ତି । ବନଧନ ବିକାଶ କେନ୍ଦ୍ର ପାଇଁ କେନ୍ଦ୍ର ସରକାର ୧୫ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି, କିନ୍ତୁ ରାଜ୍ୟ ସରକାର ଏହି ଯୋଜନାକୁ ହାଇଜାକ କରି ନିଜ ନାମରେ ବ୍ରାଣ୍ଡିଂ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଅନୁଦାନ ସଠିକ ଉପଯୋଗ ପରିବର୍ତେ କେବଳ ରାଜନୈତିକ ସ୍ୱାର୍ଥ ହାସଲ ଆତ୍ମପ୍ରଚାରରେ ସୀମିତ ରଖୁଛନ୍ତି ରାଜ୍ୟ ସରକାର । ରାଜ୍ୟରେ ବର୍ତମାନ ସୁଦ୍ଧା ୧୫୦ଟି ବନଧନ ବିକାଶ କେନ୍ଦ୍ର କାର୍ଯ୍ୟକ୍ଷମ କରୁଛି । ଏବେ ରାଜ୍ୟ ସରକାର ଜନଜାତି ବହୁଳ ଅଂଚଳରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଯେଉଁ କେନ୍ଦ୍ର କରିବେ ବୋଲି ଘୋଷଣା କରିଛନ୍ତି, ତାହା ସଂପୂର୍ଣ୍ଣଭାବେ କେନ୍ଦ୍ରସରକାରଙ୍କ ବନଧନ ଯୋଜନାର ‘କପି ପେଷ୍ଟ’ । ମୁଖ୍ୟମନ୍ତ୍ରୀ ଶିକ୍ଷା ତଥା ମେଡିକାଲ, ଇଞ୍ଜିନିୟରିଂ କ୍ଷେତ୍ରରେ ୨୨.୫ପ୍ରତିଶତ ଆଦିବାସୀମାନଙ୍କୁ ୧୬.୨୫ଏସି ରହୁଥିବାବେଳେ ସେମାନେ ମଧ୍ୟ ଏଥିରୁ ବଂଚିତ ଅଛନ୍ତି । ପଦୋନ୍ନତି କ୍ଷେତ୍ରରେ ଆଦିବାସୀମାନଙ୍କୁ ଉପେକ୍ଷିତ କରିଛନ୍ତି ରାଜ୍ୟ ସରକାର ବୋଲି ଶ୍ରୀ ଗଣ୍ଡ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଭବାନୀ ଶଙ୍କର ଭୋଇ ଓ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ । 

Related Articles

Leave a Reply

Your email address will not be published.

Back to top button